କେନ୍ଦୁଝର ଗହମ ଦୁର୍ନୀତି : ତଦନ୍ତ ବାଟବଣା କରିଥିଲେ ସିଏସ୍‌ଓ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ର ଟାଙ୍ଗିରିଆପାଳ ଓ ରାସୋଳ ପଞ୍ଚାୟତରେ ହୋଇଥିବା ଚାଉଳ ଦୁର୍ନୀତି ପରେ ବଡ଼ବିଲ ଆର୍‌ଆର୍‌ସି (ରାଇସ ରିସିଭିଂ ସେଣ୍ଟର)ରେ ଗହମ ଦୁର୍ନୀତିର ତଦନ୍ତକୁ ବର୍ତ୍ତମାନର ଇନ୍‌ଚାର୍ଜ ସିଏସ୍‌ଓ ହିଁ ବାଟବଣା କରିଥିଲେ। ତତ୍‌କାଳୀନ ସିଏସ୍‌ଓଙ୍କ ପକ୍ଷରୁ ହୋଇଥିବା ଚିଠିରୁ ଏହା ସ୍ପଷ୍ଟ ହୋଇଛି। ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ବଡ଼ବିଲରେ ରହିଛି ଏକ ରାଇସ୍‌ ରିସିଭିଂ ସେଣ୍ଟର।

ନିୟମ ଅନୁସାରେ, ମିଲ୍‌ରୁ ଚାଉଳ କିମ୍ବା ଗହମ ଯାଇ ଏହି ଆର୍‌ଆର୍‌ସିରେ ଗଚ୍ଛିତ ରହେ। ପରେ ବିଭିନ୍ନ ପଞ୍ଚାୟତକୁ ଏହା ପଠାଯାଇଥାଏ। ଏକ ନିର୍ଦ୍ଦିଷ୍ଟ ଅଭିଯୋଗ ପାଇ ୨୦୧୮ ମସିହା ଜୁଲାଇ ୫ ତାରିଖରେ ମାର୍କେଟିଂ ଇଣ୍ଟେଲିଜେନ୍ସ ଇନ୍‌ସପେକ୍ଟର ବିଷ୍ଣୁ ପ୍ରସାଦ ମହାରଣା ଓ ତତ୍‌କାଳୀନ ସିଏସ୍‌ଓ ପରେଶ ମହାନ୍ତି (ଏବେ ବି ଇନ୍‌ଚାର୍ଜ ସିଏସ୍‌ଓ ଭାବେ ଅଛନ୍ତି) ବଡ଼ବିଲ ଆର୍‌ଆର୍‌ସିରେ ଚଢ଼ଉ କରିଥିଲେ। ଆର୍‌ଆର୍‌ସିର ପ୍ରୋକ୍ୟୁରମେଣ୍ଟ ଇନ୍‌ସପେକ୍ଟର ରଘୁନାଥ ଦାଶ ଉପସ୍ଥିତ ଥିଲେ। ଚଢ଼ଉ ବେଳେ ଗୋଦାମରେ ୩୭ କୁଇଣ୍ଟାଲ ଗହମ ଅଧିକ ଥିଲା। ତଦନ୍ତ ରିପୋର୍ଟ ଆଧାରରେ ପ୍ରୋକ୍ୟୁରମେଣ୍ଟ ଇନ୍‌ସପେକ୍ଟର ରଘୁନାଥ ଦାଶ ନିଲମ୍ବିତ ହୋଇଥିଲେ। ସେ ନିଲମ୍ବିତ ହେବା ପରେ ସେଠାରେ ଅନ୍ୟ ଜଣେ ପ୍ରୋକ୍ୟୁରମେଣ୍ଟ ଇନସ୍‌ପେକ୍ଟର ଆଶୁତୋଷ ସାହୁଙ୍କୁ ଦାୟିତ୍ବ ଦିଆଯାଇଥିଲା। କିନ୍ତୁ ଦାୟିତ୍ବ ହସ୍ତାନ୍ତର ବେଳେ ନିଲମ୍ବିତ ପ୍ରୋକ୍ୟୁରମେଣ୍ଟ ଇନ୍‌ସପେକ୍ଟର ଶ୍ରୀ ଦାଶ ଜବତ ‌ହୋଇଥିବା ୩୭ କୁଇଣ୍ଟାଲ ଗହମକୁ ହସ୍ତାନ୍ତର କରିନଥିଲେ। ଏଥିପାଇଁ ତତ୍‌କାଳୀନ ସିଏସ୍‌ଓ ତଥା ତଦନ୍ତକାରୀ ଟିମ୍‌ର ମୁଖ୍ୟ ପରେଶ ମହାନ୍ତି ନୋଟିସ୍‌ କରିବା କଥା। ଏ ସଂପର୍କରେ ମାମଲା ରୁଜୁ କରିବା କଥା। ମାତ୍ର ସେ ତାହା କରିନଥିଲେ।

ଅନ୍ୟପକ୍ଷରେ ପରେଶ ମହାନ୍ତିଙ୍କ ପରେ କେନ୍ଦୁଝର ଜିଲ୍ଲାକୁ ଗଣେଶ୍ବର ଚୌଧୁରୀ ସିଏସ୍‌ଓ ହୋଇ ଆସିବା ପରେ ଏହି ଦୁର୍ନୀତିର ଫାଇଲ ପୁଣି ଖୋଲିଥିଲା। ଏ ନେଇ ଶ୍ରୀ ଚୌଧୁରୀ ପରେଶ ମହାନ୍ତିଙ୍କୁ କାରଣ ଦର୍ଶାଅ ନୋଟିସ କରିଥିଲେ। ୨୦୧୯ ମସିହା ଜୁଲାଇ ୩ ତାରିଖରେ ଚିଠି ନମ୍ବର ୧୬୦୯ରେ ଏହି ଗହମ କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଥିଲେ। ୨୦୧୯ ମସିହା ଜୁଲାଇ ୭ ତାରିଖରେ ଶ୍ରୀ ମହାନ୍ତି ଚିଠିର ଉତ୍ତର ଦେଇଥିଲେ। ମାତ୍ର ସେ ୩୭ କୁଇଣ୍ଟାଲ ଗହମ କଥା ଉଲ୍ଲେଖ ନକରି ଜିଲ୍ଲାପାଳଙ୍କୁ ରିପୋର୍ଟ ଦିଆସରିଛି ବୋଲି ଦର୍ଶାଇଥିଲେ। ଏହି ଚିଠି ଦିଆନିଆ ଭିତରେ ଗଣେଶ୍ବର ଚୌଧୁରୀଙ୍କ ବଦଳି ହୋଇଯାଇଥିଲା। ପୁଣି ସଦର ବ୍ଲକ୍‌ରେ ଏସିଏସ୍‌ଓ ଥିବା ପରେଶ ମହାନ୍ତିଙ୍କୁ ଆଉଥରେ ଇନ୍‌ଚାର୍ଜ ସିଏସ୍‌ଓ ଭାବେ ଦାୟିତ୍ବ ଦିଆଗଲା। ଏଥିରେ ଶ୍ରୀ ମହାନ୍ତିଙ୍କ ଭୂମିକାକୁ ନେଇ ସନ୍ଦେହ ଥିବାବେଳେ ଗହମ ଦୁର୍ନୀତି ମାମଲା ଯେତିକି ଆଗକୁ ବଢ଼ିଥିଲା ତାହା ପୁଣି ଚପିଗଲା। ୩୭କୁଇଣ୍ଟାଲ ଗହମ କୁଆଡେ ଗଲା ଯୋଗାଣ ବିଭାଗକୁ ତାହାର ପତ୍ତା ମିଳୁନି। ଏ ସଂପର୍କରେ, ଇନ୍‌ଚାର୍ଜ ସିଏସ୍‌ଓ ପରେଶ ମହାନ୍ତିଙ୍କୁ ପଚାରିବାରୁ, ଫାଇଲ ନ ଦେଖିଲେ ଏ ସମ୍ପର୍କରେ କହି ହେବନାହିଁ ବୋଲି ଉତ୍ତର ଦେଇଥିଲେ।

ସମ୍ବନ୍ଧିତ ଖବର