ଥାନାରେ ଥାର୍ଡ ଡିଗ୍ରି ଘଟଣା : ଏସ୍‌ପିଙ୍କୁ ରିପୋର୍ଟ ତଲବ କଲେ ମାନବାଧିକାର କମିସନ୍‌, ଥାନା ଅଧିକାରୀଙ୍କ ଦରମାରୁ ଭରଣା ହେବ ୧୦ ହଜାର ଟଙ୍କା

କେନ୍ଦୁଝର : ପାଟଣା ଥାନା ଭିତରେ ଜଣେ ଅଭିଯୁକ୍ତକୁ ଥାନା ଅଧିକାରୀ ସନ୍ଧ୍ୟାରାଣୀ ଜେନା ମାଡ଼ ଓ ଗୋଇଠା ମାରିବା ଘଟଣାରେ ରାଜ୍ୟ ମାନବାଧିକାର କମିସନ ହସ୍ତକ୍ଷେପ କରିଛନ୍ତି। ତୁରନ୍ତ ପୀଡ଼ିତଙ୍କୁ ୧୦ ହଜାର ଟଙ୍କାର ମଧ୍ୟବର୍ତ୍ତୀକାଳୀନ କ୍ଷତିପୂରଣ ଦେବାକୁ ରାଜ୍ୟ ପୁଲିସ ଡିଜି ଓ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦେଶ ଦେବା ସହ ଏହି ଅର୍ଥ ଥାନା ଅଧିକାରୀଙ୍କ ଦରମାରୁ ଭରଣା କରିବାକୁ ନିର୍ଦେଶ ଦେଇଛନ୍ତି। ଏଥିସହ କେନ୍ଦୁଝର ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କୁ ରିପୋର୍ଟ ତଲବ କରିଛନ୍ତି। ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ କମିସନ ନିର୍ଦେଶ ଦେଇଛନ୍ତି।

ମାନାବାଧିକାର କର୍ମୀ ମନୋଜ ଜେନାଙ୍କ ଦ୍ବାରା ଦାଖଲ ହୋଇଥିବା ପିଟିସନରେ ଦର୍ଶାଯାଇଛି ଯେ, ଥାନା ଭିତରେ ଯେଉଁଭଳି ଭାବେ ଥାନା ଅଧିକାରୀ ଅଭିଯୁକ୍ତଙ୍କୁ ମାଡ଼ ମାରୁଛନ୍ତି ତାହା ଆଦୌ ଗ୍ରହଣୀୟ ନୁହେଁ। ଏହି ଘଟଣାରେ ଯଦି ସମ୍ପୃକ୍ତ ପୁଲିସ ଅଫିସର ଦଣ୍ଡିତ ନ ହେବେ, ତେବେ ପରବର୍ତ୍ତୀ ସମୟରେ ସେ ନିଜର ଉପରିସ୍ଥ ଅଧିକାରୀଙ୍କ ନିର୍ଦେଶକୁ ମଧ୍ୟ ନ ମାନିବାର ସମ୍ଭାବନା ରହିଛି। ସେହିପରି ଏହି ଘଟଣାରେ ଯଦି ଦଣ୍ଡ ବିଧାନ ନହୁଏ, ତେବେ ସାଧାରଣରେ ଆଇନ ସୁରକ୍ଷା ପାଇଁ ନୁହେଁ ବରଂ ଦୁର୍ବଳ ଶ୍ରେଣୀର ସ୍ବର ଚାପିବା ପାଇଁ ଉଦ୍ଦିଷ୍ଟ ବୋଲି ଧାରଣା ସୃଷ୍ଟି ହେବ। ଏହି ମାମଲାକୁ ବିଚାର ପାଇଁ ଗ୍ରହଣ କରି କମିସନ ତୁରନ୍ତ ପୀଡ଼ିତଙ୍କୁ ୧୦ ହଜାର ଟଙ୍କାର ମଧ୍ୟବର୍ତ୍ତୀକାଳୀନ କ୍ଷତିପୂରଣ ପ୍ରଦାନ କରିବା ସହ ଏହି ଅର୍ଥକୁ ସଂପୃକ୍ତ ଥାନା ଅଧିକାରୀଙ୍କ ଦରମାରୁ କାଟିବାକୁ ନିର୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ପାଟଣା ଥାନା ତାଳସରୁଆ ଗ୍ରାମର ରାଜୁ ମହାନ୍ତ ଜମିଜମା ବିବାଦକୁ ନେଇ ଗଣ୍ଡଗୋଳ ଘଟଣାରେ ଗିରଫ ହୋଇଥିଲେ। ରାଜୁଙ୍କୁ ଥାନା ଅଧିକାରୀ ସନ୍ଧ୍ୟାରାଣୀ ଜେନା ଅତି ଅମାନୁଷିକ ଭାବେ ମାଡ଼ ମାରିଥିଲେ। ଏହି ସମୟର ଦୃଶ୍ୟକୁ କେହି ମୋବାଇଲରେ ସୁଟିଂ କରି ଭିଡିଓ ଭାଇରାଲ କରିଥିଲା। ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରଚାରିତ ହେବା ପରେ କେନ୍ଦୁଝର ପୁଲିସ ବଦନାମ ହୋଇଥିଲା।

ସମ୍ବନ୍ଧିତ ଖବର