ଶ୍ରୀମନ୍ଦିରକୁ ପ୍ରତ୍ନତତ୍ତ୍ବ ବିଭାଗର ଅବହେଳା: ବର୍ଷା ହେଲେ ନାଟମଣ୍ଡପରୁ ଗଳୁଛି ପାଣି

ବେହେରଣ ଦ୍ବାର, ମୁକ୍ତିମଣ୍ଡପ ଜାଗାରେ ପାଣି ଗଳିବା ସମସ୍ୟା ସମାଧାନ ହେଲାନି

ପୁରୀ : ବର୍ଷା ହେଲେ ଶ୍ରୀମନ୍ଦିର ନାଟମଣ୍ଡପରୁ ଗଳୁଛି ପାଣି। ଦିନେ କି ଦୁଇ ଦିନ ନୁହେଁ, ବର୍ଷେ ହେଲାଣି ଏଭଳି ପାଣି ଗଳୁଛି। ତଥାପି ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଏଥିପ୍ରତି ଅଣଦେଖା କରିଚାଲିଛି। ଯେଉଁ ଭକ୍ତମାନେ ଶ୍ରୀମନ୍ଦିର ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଉଛନ୍ତି, ସେମାନେ ଏହି ପାଣି ଗଳିବା ଦୃଶ୍ୟ ଦେଖି ଅସନ୍ତୋଷ ପ୍ରକାଶ କରିବା ସହ ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ନେଇ ପ୍ରଶ୍ନ ଉଠାଇଛନ୍ତି। କେବଳ ନାଟମଣ୍ଡପ ନୁହେଁ, ବେହେରଣ ଦ୍ବାର ମୁହଁରେ ବି ପାଣି ଗଳୁଛି। ବେହେରଣ ଦ୍ବାରରୁ ମୁକ୍ତିମଣ୍ଡପକୁ ସଂଯୋଗ କରୁଥିବା ଛାତରୁ ବହୁଦିନରୁ ପାଣି ଗଳୁଥିବା ବେଳେ ପ୍ରତ୍ନତତ୍ତ୍ବ ବିଭାଗ ବି ଏହାକୁ ଅଣଦେଖା କରି ରଖିଛି।

ବହୁଦିନରୁ ଶ୍ରୀମନ୍ଦିର ନାଟମଣ୍ଡପ ଦୁର୍ବଳ ରହିଛି। କିନ୍ତୁ ନାଟମଣ୍ଡପର ଫାଟ କେତେ, ତା’ର ତୀବ୍ରତା ମାପିବା ପାଇଁ ତିନିବର୍ଷ ତଳେ ପ୍ରତ୍ନତତ୍ତ୍ବ ବିଭାଗ କ୍ରାକ୍‌ ମିଟର ଲଗାଇଥିଲା। ସେ ସମୟରେ ପ୍ରତ୍ନତତ୍ତ୍ବ ବିଭାଗ ସଫେଇ ଦେଇଥିଲା କି ଆଇଆଇଟି ମାଡ୍ରାସ କ୍ରାକ୍‌ ମିଟର ଜରିଆରେ ଏହାର ଅନୁଧ୍ୟାନ କରୁଛି। ସେହି ଅନୁଯାୟୀ ନାଟମଣ୍ଡପର ଆବଶ୍ୟକ ମରାମତି କରାଯିବ। କିନ୍ତୁ ଇତିମଧ୍ୟରେ ୩ ବର୍ଷ ବିତିଥିଲେ ବି ନାଟମଣ୍ଡପର ମରାମତି କରାଯାଇନି। ନିକଟରେ ଆମିକସ୍‌ କ୍ୟୁରି ବି ନାଟମଣ୍ଡପ ମରାମତିରେ ପ୍ରତ୍ନତତ୍ତ୍ବ ବିଭାଗ ଅବହେଳା ପ୍ରଦର୍ଶନ କରୁଥିବା ଦର୍ଶାଇଛନ୍ତି। ଏଭଳି ସ୍ଥିତିରେ ସାମାନ୍ୟ ବର୍ଷାରେ ନାଟମଣ୍ଡପରୁ ପାଣି ଗଳିବା ଏହା କେତେ ଦୁର୍ବଳ ତାହା ଦର୍ଶାଉଛି। ସେବାୟତ ଓ ଭକ୍ତଙ୍କ କହିବା ଅନୁଯାୟୀ, ନାଟମଣ୍ଡପ ଗରୁଡ଼ ସ୍ତମ୍ଭ ବ୍ରହ୍ମା ପ୍ରତିମୂର୍ତ୍ତି ନିକଟରେ ଟୋପା ଟୋପା ହୋଇ ପାଣି ଗଳୁଛି। ସେହିଭଳି ଭୋଗମଣ୍ଡପ ଦ୍ବାର ପାଖରେ ଅନ୍ୟ ଜାଗ‌ାରେ ବି ପାଣି ଗଳୁଛି।

ସମାନ ସ୍ଥିତି ବେହେରଣ ଦ୍ବାର ଓ ମୁକ୍ତିମଣ୍ଡପକୁ ସଂଯୋଗ କରୁଥିବା ଛାତର ଅବସ୍ଥା। ବର୍ଷା ହେବା ମାତ୍ରେ ଏଠାରେ ଜୋରରେ ପାଣି ଗଳୁଛି। ଏହି ଛାତ ଦୁର୍ବଳ ଥିବାରୁ ବହୁଦିନରୁ ପାଣି ଗଳୁଥିବା ସେବାୟତମାନେ କହିଛନ୍ତି। ଅନ୍ୟପଟେ ଶ୍ରୀମନ୍ଦିର ନାଟମଣ୍ଡପ ଓ ଭୋଗମଣ୍ଡପ ସଂଯୋଗସ୍ଥଳୀ ସହ ଅନ୍ୟାନ୍ୟ ସ୍ଥାନରୁ ବି ବର୍ଷା ହେଲେ ପାଣି ଗଳୁଛି। ମନ୍ଦିର ଉପରୁ ପାଣି ଗଡ଼ି ଆସିବା ବେଳେ ଏହି ସଂଯୋଗସ୍ଥଳ ଦେଇ ମନ୍ଦିର ଭିତରକୁ ପାଣି ଗଳୁଛି। ଆଗକୁ ଲଘୁଚାପଜନିତ ବର୍ଷା ଥିବାବେଳେ ‌ଏନେଇ ପ୍ରତ୍ନତତ୍ତ୍ବ ବିଭାଗର ନିରବତା ସେବାୟତ ଓ ଭକ୍ତ ମହଲରେ ଅସନ୍ତୋଷ ସୃଷ୍ଟି କରିଛି। ପ୍ରତ୍ନତତ୍ତ୍ବ ବିଭାଗ କେବଳ ନାମକୁ ମାତ୍ର ରକ୍ଷଣାବେକ୍ଷଣ କାମ ହାତକୁ ନେଇଛି ବୋଲି ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର