ବରଗଡ଼: କେବେ ସୁଧୁରିବ କେନାଲ୍‌ ଅବସ୍ଥା? କଠିନ ବର୍ଜ୍ୟବସ୍ତୁରେ ପୋତି ହେଲାଣି

ବରଗଡ଼ : ବରଗଡ଼ ସହର ଦେଇ ଯାଇଥିବା କେନାଲ୍‌ ଆବର୍ଜନା କୁଣ୍ଡ ପାଲଟି ଯାଇଛି। କେନାଲ୍‌ର ପାଣି ଶୁଖିଲେ ପ୍ରଦୂଷଣର ମାତ୍ରା ବଢ଼ୁଛି, ତାହା ଖୋଲା ଆଖିରେ ଜଳଜଳ ଦିଶୁଛି। କେନାଲ୍‌ ଭିତରେ କୁଢ଼କୁଢ଼ ପ୍ଲାଷ୍ଟିକ୍‌ ବର୍ଜ୍ୟବସ୍ତୁ ପଡ଼ି ରହୁଛି। ଏହାବାଦ୍‌ କାଚ‌ ବୋତଲ, ରସାୟନିକ ବର୍ଜ୍ୟ ମଧ୍ୟ ପଡ଼ୁଛି। କେନାଲ ରାସ୍ତାଗୁଡ଼ିକ ନିଜ ପୂର୍ବ କଦର୍ଯ୍ୟ ରୂପ ଧାରଣ କରିବାକୁ ଲାଗିଛି। ରାସ୍ତାକଡ଼ରେ ଲୋକେ ଖୋଲା ପାଇଖାନା ଭଳି ଝାଡ଼ା ଫେରୁଛନ୍ତି। ବାତାବରଣ ଦୁର୍ଗନ୍ଧରେ ଫାଟି ପଡ଼ୁଛି। ରାସ୍ତାଗୁଡ଼ିକର ସ୍ଥାନେସ୍ଥାନେ ଅଳିଆ ଆବର୍ଜନା ପଡ଼ିରହିଛି। ପୌର କର୍ମଚାରୀମାନେ ସଫେଇ କରୁଥିଲେ ହେଁ ଦୋକାନୀମାନେ ମନଇଚ୍ଛା ଅଳିଆ ଆବର୍ଜନା ଫୋପାଡ଼ି ଦେଉଛନ୍ତି। ବେଳେବେଳେ ଆବର୍ଜନାରେ ନିଆଁ ଲଗାଇ ଦେଉଥିବାରୁ ଧୂଆଁ ଲୋକଙ୍କୁ ଅଣନିଶ୍ବାସୀ କରି ଦେଉଛି। କେନାଲ୍‌ ଘାଟଗୁଡ଼ିକର ପାହାଚ ଲୋକଙ୍କ ପାଇଁ ପାଇଖାନା ପାଲଟି ଯାଇଛି।

ହିସାବ ଅନୁସାରେ ସହରରୁ ଦୈନିକ ୨ଟନ୍‌ ବର୍ଜ୍ୟବସ୍ତୁ କେବଳ କେନାଲ୍‌ ଭିତରେ ପଡ଼ୁଛି। ବିଶେଷକରି ଡ୍ୟାମ୍‌ କଲୋନି ଠାରୁ ଆରମ୍ଭ କରି ପୁରୁଣା ରିଜର୍ଭ ପୁଲିସ୍‌ ଛକ ଯାଏଁ କେନାଲ୍‌ ପାଣି ସଂପୂର୍ଣ୍ଣ ଦୂଷିତ ହୋଇପଡ଼ିଛି। ଏବଂ ଡ୍ୟାମ୍‌ କଲୋନିରୁ ଆରମ୍ଭ କରି ଗୋବିନ୍ଦପାଲି ଛକ ଯାଏ କେନାଲ୍‌ ସବୁଠୁ ପ୍ରଦୂଷିତ। ଏଠାରେ ସହରର ନର୍ଦ୍ଦମା ପାଣି ସିଧା ଯାଇ ମିଶୁଛି। ଏହାବାଦ୍‌ ସବୁ ଦୋକାନର ଆବର୍ଜନା ବି ପଡ଼ୁଛି। ଏହି ଇଲାକା ମଧ୍ୟରେ କେନାଲ୍‌ କଡ଼ ଅସାମାଜିକ ଲୋକଙ୍କ ଆଡ୍ଡା ପାଲଟିଛି। ତେଣୁ କେନାଲ୍‌ର ପୁନୋରୁଦ୍ଧାର ଜରୁରୀ ହୋଇପଡ଼ିଛି।

ବଡ଼ ସହରରେ କେନାଲ୍‌କୁ ଭୂତଳ କରାଯାଇଛି। ଅର୍ଥାତ ସହର ଭିତରେ ବଡ଼ ପାଇପ୍‌ ପକାଇ କେନାଲ୍‌ ପାଣି ଅପରପାର୍ଶ୍ବକ ଯିବ। ଉପରେ କଂ‌କ୍ରିଟ୍‌ ଆସ୍ତରଣ ରହିବ। ଫଳରେ କେନାଲ୍‌ ଉପରେ ଥିବା ସ୍ଲାବିଂକୁ ପାର୍କିଂ ପାଇଁ ବ୍ୟବହାର କରାଯାଇ ପାରିବ। ଏହି ବ୍ୟବସ୍ଥା ବରଗଡ଼ରେ କରିବା ମଧ୍ୟ ଅତି ଜରୁରୀ ବୋଲି ସଚେତନ ମହଲରେ ଦାବି ଉଠିଛି। ଯଦି ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହୁଏ, ତେବେ ପରିମଳ ବ୍ୟବସ୍ଥା ସହ ଟ୍ରାଫିକ୍‌ ସମସ୍ୟାରେ ସୁଧାର ଆସିବ ବୋଲି ଯୁକ୍ତି ଉଠିଛି।

ସମ୍ବନ୍ଧିତ ଖବର