ପୁରୀ : କେଉଁଠି ଆସିଲା ରତ୍ନଭଣ୍ଡାର ଚାବି? ରତ୍ନଭଣ୍ଡାରକୁ ନେଇ ଚର୍ଚ୍ଚା ଓ ବିବାଦ ଭିତରେ ଏବେ ବି ଏହିଭଳି ଏକ ପ୍ରଶ୍ନ ସଭିଙ୍କ ମନରେ ରହିଆସିଛି। ଯାହାର ଉତ୍ତର କାହା ପାଖରେ ନାହିଁ କିମ୍ବା ଏ ସମ୍ପର୍କରେ କେହି ମୁହଁ ଖୋଲିବାକୁ ଚାହୁଁନାହାନ୍ତି।

Advertisment

ରତ୍ନଭଣ୍ଡାର ଚାବି ହଜିବା ଓ ଜିଲ୍ଲା କୋଷାଗାରରୁ ଚାବି ନ ମିଳିବାକୁ ନେଇ ବିବାଦ ମୁଣ୍ଡ ଟେକିବା ପରେ ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର। ଏହାରି ଭିତରେ ତତ୍କାଳୀନ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ୍‌ ହଠାତ୍‌ ଜିଲ୍ଲା ରେକର୍ଡ ରୁମ୍‌ରୁ ହଜିଥିବା ଚାବି ମିଳିଥିଲା ବୋଲି କହିଥିଲେ। କିନ୍ତୁ ଚାବି ଦେଖାଇଲେନି। ପରେ ଏହାକୁ ଜିଲ୍ଲା କୋଷାଗାର ଜିମା ଦିଆଯାଇଥିବା କୁହାଯାଇଥିଲା। କିନ୍ତୁ ସୂଚନା ଅଧିକାର ବଳରେ ଜିଲ୍ଲା ରେକର୍ଡ ରୁମ୍‌ ସେମାନଙ୍କୁ କେବେ ବି ରତ୍ନଭଣ୍ଡାର ଚାବି ଜିମା ଦିଆଯାଇନଥିବା ଏବଂ କେବେ ବି ରତ୍ନଭଣ୍ଡାର ଖୋଲିବା ପାଇଁ ସେମାନଙ୍କଠାରୁ ଚାବି ଯାଇନଥିବା କହିବା ପରେ ସନ୍ଦେହ ବଢ଼ିବାରେ ଲାଗିଛି। ସମାନ କଥା ଦୋହରାଇଛି ଜିଲ୍ଲା କୋଷାଗାର। ୧୯୬୦ ମସିହାଠାରୁ ସେମାନଙ୍କଠାରୁ କେବେ ବି ରତ୍ନଭଣ୍ଡାର ଚାବି ନିଆଯାଇନି କି ଜିମା ଦିଆଯାଇନି ବୋଲି କହିଛନ୍ତି। ଯାହା ସନ୍ଦେହକୁ ଦ୍ବିଗୁଣିତ କରି ଦେଇଛି। ସତରେ ରତ୍ନଭଣ୍ଡାର ଚାବି ଅଛି କି ମିଛ ବାହାନା କରାଯାଇଛି, ତାକୁ ନେଇ ଭକ୍ତ ମହଲ ପ୍ରଶ୍ନ ଉଠାଇଛନ୍ତି। ଯଦି ରେକର୍ଡ ରୁମ୍‌ କି ଜିଲ୍ଲା କୋଷାଗାରରୁ ଚାବି ଆସିନି, ତେବେ ତତ୍କାଳୀନ ଜିଲ୍ଲାପାଳ ରତ୍ନଭଣ୍ଡାର ଚାବି କେଉଁଠୁ ଆଣିଲେ। କାହିଁକି ଏହାକୁ ସାର୍ବଜନୀନ କରାଯାଉନି। କାହିଁକି ସରକାର ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ନିରବ ରହିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି।

publive-image

ମିଳିଥିବା ତଥ୍ୟ ମୁତାବକ, ୧୯୭୮ ମସିହା ଅଗଷ୍ଟ ୧୯ରେ ତତ୍କାଳୀନ ଶ୍ରୀମନ୍ଦିର ପ୍ରଶାସକ ପି. ରଥ ରାଜ୍ୟ ଆଇନ ବିଭାଗକୁ ରତ୍ନଭଣ୍ଡାର ଯାଞ୍ଚ ସମ୍ପର୍କିତ ଏକ ଚିଠି(ସଂଖ୍ୟା-୩୧୨୫) କରିଥିଲେ। ଯେଉଁଥିରେ ସେ ଉଲ୍ଲେଖ କରିଥିଲେ ଯେ ୧୯୬୦ ମସିହା ଶ୍ରୀମନ୍ଦିର ଆଇନ ଆଧାରରେ ୧୯୬୨ ମସିହାରେ ତତ୍କାଳୀନ ଶ୍ରୀମନ୍ଦିର ପ୍ରଶାସକ ତିରୁପତି ମନ୍ଦିରର ଏକ ବିଶେଷଜ୍ଞ ଦଳଙ୍କ ସହ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ସ୍ଥିତି ଯାଞ୍ଚ କରିଥିଲେ। କେ‌ତେ ସୁନା, ରୁପା ରହିଛି, ତାର ହିସାବ କରିଥିଲେ। ପରେ ୧୯୬୭ ମସିହାରେ ବି ତତ୍କାଳୀନ ପ୍ରଶାସକ ଆର ସି ଶତପଥୀଙ୍କ ଦ୍ବାରା ଯାଞ୍ଚ ଉଦ୍ୟମ କରାଯାଇଥିଲା, କିନ୍ତୁ ଏହା ସମ୍ପୂର୍ଣ୍ଣ ହୋଇପାରିନଥିଲା। ଏହିବର୍ଷ କିଛି ସୁନା ଅଳଙ୍କାରର ମରାମତି ପାଇଁ ରତ୍ନଭଣ୍ଡାରରୁ ସୁନା କଢ଼ାଯାଇଥିଲା। ୧୯୬୯ ମସିହାରେ ଚନ୍ଦନଯାତ୍ରା ସମୟରେ ବ୍ୟବହୃତ ମହାପ୍ରଭୁଙ୍କ ବିମାନ ସଜେଇବା ପାଇଁ ରତ୍ନଭଣ୍ଡାରରୁ ଏକ ବ୍ୟାଗ ଭର୍ତ୍ତି ଭଙ୍ଗା ରୁପା କଢ଼ାଯାଇଥିଲା। ୧୯୭୨ ଓ ୧୯୭୪ ମସିହାରେ ନୂଆ ମହାଲକ୍ଷ୍ମୀ ମୂର୍ତ୍ତି ତିଆରି ପାଇଁ ରତ୍ନଭଣ୍ଡାର ଖୋଲାଯାଇ ସୁନା ଅଳଙ୍କାର ଅଣାଯାଇଥିଲା। ପରେ ୧୯୭୮ ମସିହାରେ ରତ୍ନଭଣ୍ଡାରର ସମ୍ପୂର୍ଣ୍ଣ ଯାଞ୍ଚ ଓ ଗଚ୍ଛିତ ସୁନା, ରୁପା, ରତ୍ନ, ଅଳଙ୍କାରର ତାଲିକା ପ୍ରସ୍ତୁତ କରାଯାଇଥିଲା। ଏହି ଗଣତି ପ୍ରକ୍ରିୟା ୧୯୭୮ ମସିହା ମେ' ୧୩ରୁ ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ପରେ ପୂର୍ବ ତାଲିକା ସହ ମେଳ କରାଯାଇ ସମ୍ପୂର୍ଣ୍ଣ ତାଲିକା ପ୍ରସ୍ତୁତ କରାଯାଇଥିଲା। ତାଲିକା ଅନୁସାରେ ‌ସେ ସମୟର ୧୨ହଜାର ୮୩୧ ଭରି ୧ଅଣା ସୁନା ଅଳଙ୍କାର ଓ ଅନେକ ମୂଲ୍ୟବାନ ପଥର, ୨୨ହଜାର ୧୫୩ ଭରି ରୁପା ବାସନ ଓ ପୂଜା ସାମଗ୍ରୀ ରତ୍ନଭଣ୍ଡାରରେ ଗଚ୍ଛିତ ରହିଥିଲା। ୧୪ଟି ସୁନା ଓ ରୁପା ଜିନିଷ ବିଭିନ୍ନ କାରଣରୁ ଓଜନ ନ ହୋଇପାରିବାରୁ ଏହାକୁ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇନଥିଲା। ପରେ ୧୯୮୨ ମସିହା ଡିସେମ୍ବର ୨୬ରେ ରାଜ୍ୟ ସରକାରଙ୍କ ଅନୁମତିକ୍ରମେ ଭିତର ରତ୍ନଭଣ୍ଡାର ଖୋଲାଯାଇ ୩ହଜାର ୩୩୭ ଭରି ୧୦ଅଣା ରୁପା କଢ଼ାଯାଇଥିଲା। ଶେଷ ଥର ୧୯୮୫ ମସିହା ଜୁଲାଇ ୧୪ରେ ବଡ଼ଠାକୁରଙ୍କ ବ୍ୟବହୃତ ଅଳଙ୍କାର ମରାମତି ପାଇଁ ଭିତର ରତ୍ନଭଣ୍ଡାର ଖୋଲାଯାଇ କିଛି ସୁନା ଅଣାଯାଇଥିଲା।

ବଡ଼ଠାକୁରଙ୍କ ଚିତା ବ୍ୟବହୃତ ଯୋଗ୍ୟ ନ ହେବାରୁ ଓଡ଼ିଶା ସରକାରଙ୍କ ବିଧି ବିଭାଗ ଚିଠି ସଂଖ୍ୟା- ୮୭୬୭/୧୨/୭/୧୯୮୫ ଆଧାରରେ ରତ୍ନଭଣ୍ଡାର ଖୋଲାଯାଇ ସୁନା ଅଣାଯାଇଥିଲା। ପରେ ପୂର୍ବଭଳି ତାଲା ପକାଇ ଜଉମୁଦ ଦିଆଯାଇଥିଲା। ପ୍ରତି ୩ ବର୍ଷରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲି ଇନ୍‌ଭେଣ୍ଟୋରି କରିବାର ନିୟମ ରହିଥିବାବେଳେ ୧୯୮୫ ମସିହା ପରଠାରୁ ରତ୍ନଭଣ୍ଡାର ଆଉ ଖୋଲାଯାଇନି। ଶେଷଥର ୨୦୧୮ ଏପ୍ରିଲ ୪ରେ ହାଇକୋର୍ଟଙ୍କ ଆଦେଶକ୍ରମେ ରତ୍ନଭଣ୍ଡାର‌ ଖୋଲିବାକୁ ଉଦ୍ୟମ କରାଯାଇଥିଲା। ୧୭ଜଣିଆ ଯାଞ୍ଚ କମିଟି ବି ଗଠନ କରାଗଲା। କିନ୍ତୁ ରତ୍ନଭଣ୍ଡାର ଖୋଲିବା ବଦଳରେ ଏହି କମିଟି ହାଇଡ୍ରାମା କରିଥିଲେ। ପରେ ରତ୍ନଭଣ୍ଡାର ଚାବି ହଜିଯାଇଥିବା ଜଣାପଡ଼ିଥିଲା। କିନ୍ତୁ ଏହି ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ଏବେ ବି ଅନ୍ଧାର ଭିତରେ ରହିଛି।