କୁଳପତି ଚୟନ ପାଇଁ କିଏ ହେବ ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ସିଣ୍ଡିକେଟ୍‌ ନୋମିନି?

ନିଜେ କୁଳପତି ନା ପିଜି କାଉନସିଲ୍‌ ‌ଅଧ୍ୟକ୍ଷ!

ବ୍ରହ୍ମପୁର: ଆସନ୍ତା ଜୁଲାଇ ୧୩ରେ ଖଲ୍ଲିକୋଟ ବିଶ୍ବବିଦ୍ୟାଳୟର ବର୍ତ୍ତମାନ କୁଳପତି ପ୍ରଫେସର ଅମରେନ୍ଦ୍ର ନାରାୟଣ ମିଶ୍ରଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ନୂଆ କୁଳପତି ଚୟନ ପାଇଁ ଗଠିତ ହେବାକୁ ଥିବା ଚୟନ କମିଟିରେ ଏହି ବିଶ୍ବବିଦ୍ୟାଳୟର ନୋମିନି ଭାବେ ଜଣେ ସିଣ୍ଡିକେଟ୍ ସଦସ୍ୟଙ୍କୁ ମନୋନୀତ କରି ଯଥାଶୀଘ୍ର ଜଣାଇବା ପାଇଁ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ କୁଳସଚିବଙ୍କୁ ଚିଠି ଆସିବାର ସପ୍ତାହେ ପୁରିଲାଣି। କିଏ ଏହି ନୋମିନି ହେବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି। ଏସମ୍ପର୍କରେ ଜାଣିବା ପାଇଁ କୁଳସଚିବଙ୍କୁ ଫୋନ୍‌ରେ ଯୋଗାଯୋଗ କରିବାକୁ ଚେ‌ଷ୍ଟା କରିଥିଲୁ। କିନ୍ତୁ ତାହା ସମ୍ଭବ ହେଲାନାହିଁ।

ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେବା ଠାରୁ ଆଜି ପର୍ଯ୍ୟନ୍ତ ବିବାଦ ପିଛା ଛାଡ଼ୁନାହିଁ। ଏବେ ନୂଆ କୁଳପତି ଚୟନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହି ଚୟନ କମିଟିର ସଦସ୍ୟ ଭାବେ ବିଶ୍ବବିଦ୍ୟାଳୟ ସିଣ୍ଡିକେଟ୍‌ ପକ୍ଷରୁ କିଏ ନୋମିନି ହେବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ବର୍ତ୍ତମାନର କୁଳପତି ଏବଂ ପିଜି କାଉନସିଲ୍‌ ଅଧ୍ୟକ୍ଷଙ୍କ ବ୍ୟତିତ ସିଣ୍ଡିକେଟ୍‌ର ଅନ୍ୟ କୌଣସି ସଦସ୍ୟ ନଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ପୂର୍ବରୁ କୁଳାଧିପତି ତଥା ରାଜ୍ୟପାଳଙ୍କ ପକ୍ଷରୁ ‌ପ୍ରତିନିଧୁ ଭାବେ ପ୍ରଫେସର ଏନ୍‌.ସି.ପାଢ଼ୀ ଏହି ସିଣ୍ଡିକେଟ୍‌ର ସଦସ୍ୟ ଥିବା ବେଳେ ବିଶ୍ବବିଦ୍ୟାଳୟ ସିନେଟ୍ ପକ୍ଷରୁ ନିର୍ବାଚିତ ପ୍ରତିନିଧି ଭାବେ ପୂର୍ବତନ ବ୍ରହ୍ମପୁର ବିଧାୟକ ଡା.ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ ଏବଂ ଏକାଡେମିକ୍‌ କାଉନ୍‌ସିଲ୍‌ ପକ୍ଷରୁ ପ୍ରଫେସର୍‌ ଏନ୍‌ସି.ସାହୁ ଏହି ସିଣ୍ଡିକେଟ୍‌ର ସଦସ୍ୟ ଥିଲେ। ଗତ ଡିସେମ୍ବର ସୁଦ୍ଧା ଏହି ତିନି ସଦସ୍ୟଙ୍କ ତିନିବର୍ଷର କାର୍ଯ୍ୟକାଳ ଶେଷ ହୋଇଯାଇଛି। କିନ୍ତୁ ସେମାନଙ୍କ ସ୍ଥାନରେ ନୂଆ ସଦସ୍ୟ ମନୋନୀତ ହୋଇନାହାନ୍ତି।

ଗାଇଡ୍‌ଲାଇନ୍ ଅନୁଯାୟୀ ସଦସ୍ୟମାନଙ୍କ କାର୍ଯ୍ୟକାଳ ଶେଷ ହେବାର ତିନିମାସ ପୂର୍ବରୁ ଏନେଇ ରାଜ୍ୟପାଳଙ୍କୁ ଅବଗତ କରାଇବା ସହ ନୂଆ ସଦସ୍ୟ ଚୟନ ପାଇଁ ପ୍ରକ୍ରିୟା ଆରମ୍ଭ ହେବା କଥା। କିନ୍ତୁ ଆଜିପର୍ଯ୍ୟନ୍ତ ଖାଲି ପଦବୀ ପୂରଣ ହୋଇନାହିଁ। ତେଣୁ ବର୍ତ୍ତମାନ କୁଳପତି ଚୟନ ପାଇଁ ସିଣ୍ଡିକେଟ୍ ପକ୍ଷରୁ କିଏ ପ୍ରତିନିଧିତ୍ବ କରିବ, ନିଜେ କୁଳପତି ନା ପିଜି କାଉନ୍ସିଲ୍‌ ଅଧ୍ୟକ୍ଷ, ନା ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ଅଛି ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର