ଖାଉଟି ଅଧିକାରକୁ କିଏ ଦେବ ସୁରକ୍ଷା?

୩୧ ଜିଲ୍ଲା କମିସନରୁ ୨୮ରେ ନାହାନ୍ତି ସଭାପତି, ୬୨ରୁ ୫୫ ସଦସ୍ୟ ପଦ ଖାଲି

କଟକ : ରାଜ୍ୟର ସବୁ ଜିଲ୍ଲାରେ ଏବେ ଖାଉଟି ଅଦାଲତ ଗୁଡିକ ଏକ ପ୍ରକାର ଅଚଳ ଅବସ୍ଥାରେ ରହିଛି। ଓଡ଼ିଶା ରାଜ୍ୟ ଖାଉଟି ବିବାଦ ସମାଧାନ କମିସନ ( ଓଡ଼ିଶା ଷ୍ଟେଟ୍‌ କନ୍‌ଜ୍ୟୁମର ଡିସପ୍ୟୁଟସ୍‌ ରିଡ୍ରେସାଲ କମିସନ)‌ରେ ସମସ୍ତ ସଦସ୍ୟ ପଦ ଦୀର୍ଘ ୧୫ ମାସ ଖାଲି ପଡିବା ପରେ ମାର୍ଚ୍ଚ ୩ରେ ଚାରି ଜଣ ସଦସ୍ୟଙ୍କ ନିଯୁକ୍ତି ନେଇ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କିନ୍ତୁ ଏବେ ଜିଲ୍ଲା ଖାଉଟି କମିସନ ଗୁଡିକର ଅବସ୍ଥା ନ କହିଲେ ଭଲ।

ଅଧିକାଂଶ ଜିଲ୍ଲା କମିସନ ଗୁଡିକରେ ଦେଢ ବର୍ଷ ହେବ ଏକ ପ୍ରକାର ଅଚଳାବସ୍ଥା ଲାଗି ରହିଛି। ସବୁ ଜିଲ୍ଲା କମିସନରେ ସଭାପତି ଓ ଦୁଇ ଜଣ ସଦସ୍ୟ ରହିବା କଥା। କିନ୍ତୁ ଦେଢ ବର୍ଷ ତ‌ଳୁ କେତେକ ଜିଲ୍ଲା କମିସନର ସଭାପତି ଓ ସଦସ୍ୟ ଅବସର ନେବା ଆରମ୍ଭ କରିଥିଲେ। ଯେଉଁ ଜିଲ୍ଲା କମିସନରେ ସଭାପତି ଓ ସଦସ୍ୟ ପଦ ଖାଲି ରହୁଥିଲା ସେଠାକୁ ପାଖ ଜିଲ୍ଲାର କମିସନର ସଭାପତି ଓ ସଦସ୍ୟ ଯାଇ ସପ୍ତାହର ନିର୍ଦ୍ଦିଷ୍ଟ ଦିନ ଖାଉଟି ମାମଲା ଗୁଡିକ ଶୁଣାଣି କରୁଥିଲେ। କିନ୍ତୁ ଏବେ କିଛି ଦିନ ହେବ ପରିସ୍ଥିତି ସଂଗିନ ରହିଛି। ଏବେ ୩୧ଟି ଜିଲ୍ଲା କମିସନ ସଭାପତି ପଦରୁ ୨୮ଟି ଖାଲି ପଡିଛି। ସେହିଭଳି ଭାବେ ୩୧ଟି ଜିଲ୍ଲା କମିସନର ମୋଟ ୬୨ଟି ସଦସ୍ୟ ପଦରୁ ଏବେ ୫୫ଟି ଖାଲି ପଡିଛି। ରାଜ୍ୟର ୩୧ଟି ଜିଲ୍ଲା କମିସନରେ ମୋଟ ୯୩ଜଣ ସଭାପତି ଓ ସଦସ୍ୟ ପଦ ରହିଥିବା ବେଳେ ଏବେ ୮୩ଟି ପଦ ଖାଲି ପଡିଛି। ଏଭଳି ସ୍ଥିତିରେ କେମିତି ଜିଲ୍ଲା କମିସନ ଗୁଡିକରେ ଖାଉଟି ମାମଲାର ଶୁଣାଣି ହେଉଥିବା ତାହା ସ୍ପଷ୍ଟ।

୨୦୨୦, ଜୁଲାଇ ୨୦ରୁ ଦେଶରେ ନୂଆ ଖାଉଟି ସୁରକ୍ଷା ଆଇନ କାର୍ଯ୍ୟକାରୀ ହୋଇଥିଲା। ଜିଲ୍ଲା ଖାଉଟି ଫୋରମ ଗୁଡିକୁ ଜିଲ୍ଲା କମିସନ ମାନ୍ୟତା ମିଳିଛି। ଜିଲ୍ଲା କମିସନ ଗୁଡିକର କ୍ଷମତା/ମାମଲା ବିଚାର ପରିସର ବୃଦ୍ଧି ପାଇଛି। କିନ୍ତୁ ଅଧିକାଂଶ ଜିଲ୍ଲା କମିସନରେ ସଭାପତି ଓ ସଦସ୍ୟ ପଦ ଖାଲି ପଡିଛି। ଏଭଳି ସ୍ଥିତିରେ ଖାଉଟିଙ୍କ ଅଧିକାର ପାଇଁ ପ୍ରଣୟନ କରାଯାଇଥିବା ଆଇନ ଅନୁସାରେ ଲୋକମାନେ କେମିତି ତ୍ବରିତ ନ୍ୟାୟ ପାଇବେ ତାକୁ ନେଇ ପ୍ରଶ୍ନ ଉଠିଛି। ଭିତ୍ତିଭୂମି, ଖାଉଟି ଅଦାଲତ ଗୁଡିକରେ ସଦସ୍ୟ ପଦ ପୂରଣ, କର୍ମଚାରୀ ଅଭାବ ଯୋଗୁଁ ବହୁ ସମୟରେ ଖାଉଟି ବିବାଦ ଗୁଡିକର ଶୁଣାଣିରେ ବିଳମ୍ବ ହେଉଛି ବୋଲି ଅଭିଯୋଗ ହେଉଛି।

କଞ୍ଜ୍ୟୁମର ବାର୍ ଆସୋସିଏସନ୍ ସଭାପତି ଆଇନଜୀବୀ କରୁଣାକର ଜେନା କହିବା ଅନୁଯାୟୀ ବର୍ତ୍ତମାନ ଜିଲ୍ଲା କମିସନ ଗୁଡିକରେ ସଂପୂର୍ଣ୍ଣ ଅଚଳାବସ୍ଥା ସୃଷ୍ଟି ହୋଇଛି। ଜିଲ୍ଲା କମିସନ ଗୁଡିକରେ ତୁରନ୍ତ ଖାଲି ପଡିଥିବା ସଦସ୍ୟ ପଦ ପୂରଣ କରାଯିବା ଆବଶ୍ୟକ ବୋଲି ସଭାପତି ଶ୍ରୀ ଜେନା ଦାବି କରିଛନ୍ତି।

ସମ୍ବନ୍ଧିତ ଖବର