ଦୁଇ ଝିଅଙ୍କୁ ଧରି ଟ୍ରେନ୍‌ ଆଗକୁ ଡେଇଁଲେ ମହିଳା : ମା’ ମୃତ, ୨ ଭଉଣୀ ଗୁରୁତର

ବ୍ରହ୍ମପୁର : ଆଜି ବ୍ରହ୍ମପୁର ସହରରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ମହିଳା ତାଙ୍କର ଦୁଇଝିଅକୁ ସାଙ୍ଗରେ ନେଇ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଘଟଣାସ୍ଥଳରେ ମା’ର ମୃତ୍ୟୁ ଘଟିଥିବା ବେଳେ ଦୁଇ ଭଉଣୀ ଗୁରୁତର ଆହତ ହୋଇଛନ୍ତି। ସଙ୍କଟାପନ୍ନ ଅବସ୍ଥାରେ ଦୁଇ ଭଉଣୀଙ୍କୁ ଉଦ୍ଧାର କରି ବଡ଼ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ମୃତ ମହିଳାଙ୍କ ନାମ ରମା ଭଞ୍ଜ(୩୭) ବୋଲି ଜିଆର୍‌ପି କହିଛି। ତାଙ୍କର ଘର ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ମଛାକୋଟ ବୋଲି ଜଣାପଡ଼ିଛି।

ବ୍ରହ୍ମପୁର ଜିଆର୍‌ପି କେସ୍ ନମ୍ବର ୪୭/୧୯ରେ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଅନ୍ୟପକ୍ଷରେ ମହିଳାଙ୍କୁ ତାଙ୍କ ଶାଶୂଘର ଲୋକେ ଯୌତୁକ ପାଇଁ ନିର୍ଯାତନା ଦେଉଥିଲେ ବୋଲି ବଡ଼ଗଡ଼ ଥାନ‌ାରେ ଅଭିଯୋଗ ହେବା ପରେ ପୁଲିସ ରମାଙ୍କ ସ୍ବାମୀ ଉତ୍ସବ ଭଞ୍ଜଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ମିଳିଥିବା ସୂଚନା ଅନୁସାରେ ଆଜି ଭୋର୍‌ ସମୟରେ ପ୍ରଥମେ ଦୁଇ ଜଣ ଝିଅଙ୍କୁ ରକ୍ତାକ୍ତ ଅବସ୍ଥାରେ ଷ୍ଟେସନ୍‌ ନିକଟରୁ ଉଦ୍ଧାର କରାଯାଇଥିଲା। ଜିଆର୍‌ପି ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲା। ପଚରାଉଚରା ପରେ ଉଭୟଙ୍କ ପରିଚୟ ମିଳିଥିଲା। ବଡ଼ ଭଉଣୀର ନାମ ପ୍ରିୟା(୧୧) ଓ ସାନ ଭଉଣୀର ନାମ ରିଆ(୮) ବୋଲି ଜଣାପଡ଼ିଥିଲା। ସେମାନଙ୍କ ମା’ ରମା ଟ୍ରେନ୍‌ରେ କଟି ମୃତ୍ୟୁ ଘଟିଥିବା ନେଇ ଜାଣିବା ପରେ ପୁଲିସ ‌ରମାଙ୍କ ଶବ ଖୋଜିବାକୁ ବାହାରିଥିଲା। ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଥିଲା ଯେ ଗୁଡ୍‌ସସେଡ୍‌ ରୋଡ଼ ଓଭର୍‌ବ୍ରିଜ୍‌ ଆଗକୁ ରମା ତାଙ୍କର ଦୁଇଝିଅଙ୍କୁ ନେଇ ଆଜି ଭୋର୍‌ କୌଣସି ଏକ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏଥିରେ ରମାଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇ ଭଉଣୀ ଆହତ ହୋଇଥିଲେ। ଦୁଇ ଭଉଣୀ କାନ୍ଦିକାନ୍ଦି ଧାରଣା କଡ଼ ଦେଇ ଆସୁଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇଥିଲା। ଉଭୟ ଭଉଣୀଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗୁରୁତର ଆଘାତ ଲାଗିଛି। ପାରିବାରିକ ଅଶାନ୍ତିକୁ ନେଇ ମହିଳା ଜଣକ ତାଙ୍କର ଦୁଇଝିଅଙ୍କୁ ନେଇ ଆତ୍ମହତ୍ୟା କରିବା ଉଦ୍ଦେଶ୍ୟରେ ଟ୍ରେନ୍‌ ଆଗକୁ ଡେଇଁଥିବା ନେଇ ପ୍ରାଥମିକ ତଦନ୍ତରେ ଜଣାପଡ଼ିଛି ବୋଲି ଜିଆର୍‌ପି ଥାନା ଅଧିକାରୀ ସୁକାନ୍ତ ଭୋଇ ସୂଚନା ଦେଇଛନ୍ତି। ବଡ଼ ଝିଅର ଅବସ୍ଥା ଗୁରୁତର ରହିଥିବାରୁ ଅଧିକ ଚିକିତ୍ସା ପାଇଁ ତାକୁ କଟକ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର