ତଦନ୍ତ ଅଧିକାରୀଙ୍କ ବିରୋଧରେ ଆରକ୍ଷୀ ଅଧୀକ୍ଷକଙ୍କୁ ଅଭିଯୋଗ

ଖୋର୍ଦ୍ଧା: ୫ ମାସ ପୂର୍ବେ ଘଟିଥିବା ଏକ ଯୌତୁକ ନିର୍ଯାତନା ମାମଲାରେ ତଦନ୍ତ ଅଧିକାରୀ ଅଭିଯୁକ୍ତଙ୍କୁ ଖସାଇବାକୁ ଉଦ୍ୟମ କରୁଥିବା ନେଇ ଆଜି ଜଣେ ମହିଳା ଖୋର୍ଦ୍ଧା ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ଓଡ଼ଗାଁର ସୁଚରିତା ଶତପଥୀ (୨୬) ଆଜି ପୂର୍ବାହ୍ଣରେ ଖୋର୍ଦ୍ଧା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ କରିଥିଲେ। ସୁଚରିତାଙ୍କ ଅଭିଯୋଗ ଅନୁସାରେ, ସେ ବୋଲଗଡ଼ ଗାଁରୀ ପ୍ରଶାନ୍ତ କୁମାର ହୋତାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । କିନ୍ତୁ ଅଳ୍ପ କିଛି ମାସ ପରେ ଅଧିକ ଯୌତୁକ ଦାବି କରି ତାଙ୍କ ସ୍ୱାମୀ, ଶ୍ୱଶୁର, ଶାଶୁ, ନଣନ୍ଦ, ନଣନେ୍ଦଇ, ଦିଅର ପ୍ରମୁଖ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିଲେ। ଏନେଇ ସେ ଚଳିତ ବର୍ଷ ଅପ୍ରିଲ୍ ୧୮ ତାରିଖରେ ବୋଲଗଡ଼ ଥାନାରେ ଅଭିଯୋଗ କରିଥିଲେ ।

ପୁଲିସ ମାମଲାର ତଦନ୍ତ କରି ଶାଶୁ ଓ ଶ୍ୱଶୁରଙ୍କୁ ଗିରଫ କରିଥିଲା । ତେବେ ଅନ୍ୟ ଅଭିଯୁକ୍ତମାନେ ଗିରଫ ହୋଇନଥିବାରୁ ସେ ମଇ ୨୦ ତାରିଖରେ ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ସେମାନଙ୍କ ଗିରଫ ପାଇଁ ଅନୁରୋଧ କରିଥିଲେ । ତେବେ ପୁଲିସ ମାମଲାର ତଦନ୍ତରେ ଅବହେଳା କରିଥିବାରୁ ଅନ୍ୟମାନେ ଆଗୁଆ ଜାମିନ ପାଇଥିଲେ । ପରେ ପୁଲିସ ସେମାନଙ୍କ ନାମକୁ ଅଭିଯୋଗ ଫର୍ଦ୍ଦରୁ ହଟାଇ ଦେଇଛି । ପୁଲିସ ଜାଣିଶୁଣି ତାଙ୍କ ସ୍ୱାମୀଙ୍କୁ ଫେରାର୍ ହେବାରେ ସହାୟତା କରିଛି । ଏପରିକି ମାମଲାରେ ତାଙ୍କ କକା, ଖୁଡ଼ି ଓ ବିବାହ କରଥିବା ବ୍ରାହ୍ମଣଙ୍କ ରେକର୍ଡ କରିଥିବା ବୟାନରେ ପୁଲିସ ଜାଲିଆତି କରିଛି ବୋଲି ସେ ଅଭିଯୋଗ କରିଛନ୍ତି । ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ ତାଙ୍କ ଅଭିଯୋଗ ଶୁଣିବା ପରେ ଏନେଇ ତଦନ୍ତ କରିବାକୁ ଏସ୍ଡିିପିଓ ଦିଲିପ କୁମାର ଦାଶଙ୍କୁ ଦାୟିତ୍ୱ ଦେଇଥିବା ସୁଚରିତା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର