ଋଣ ନେଲା ଜୀବନ : ବିଷ ପିଇଲେ ମହିଳା ଓ ଦୋକାନୀ

ସମ୍ବଲପୁର : ଶିକ୍ଷକ ପରିବାରର ୫ଜଣଙ୍କ ସାମୂହିକ ଆତ୍ମହତ୍ୟା ଘଟଣା ବର୍ତ୍ତମାନ ମଧ୍ୟ ମନରୁ ଲିଭି ନାହିଁ। ସାକ୍ଷୀପଡ଼ାରେ ସେହିଭଳି ଏକ ଘଟଣା ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ପଡ଼ୋଶୀ ଥିବା ବିଧବା ମହିଳା ଏବଂ ଗୋଲବଜାର ସ୍ଥିତ ପରମ୍ପରା ସମ୍ବଲପୁରୀ ଲୁଗା ଦୋକାନ ମାଲିକ କୁନା ମେହେର(୪୦) ବିଷ ପିଇ ଦେଇଛନ୍ତି। ବିଧବା ମହିଳା ହିମାଦ୍ରୀ ପାଣି(୪୮)ଙ୍କ ସଦର ଚିକିତ୍ସାଳୟରେ ମୃତ୍ୟୁ ହୋଇଥିବାବେଳେ ଲୁଗା ଦୋକାନ ମାଲିକ କୁନା ମେହେରଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ବୀର ସୁରେନ୍ଦ୍ର ସାଏ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉଭୟ ନିଜ-ନିଜ ଘରେ ଏକା ସମୟରେ ବିଷ ପିଇଥିବା ଆଶଙ୍କା କରାଯାଉଥିବା କହିଛି ଧନୁପାଲି ପୁଲିସ । କୁନାଙ୍କୁ ପ୍ରଥମେ ଡାକ୍ତରଖାନା ନିଆଯାଇଥିବାବେଳେ ହିମାଦ୍ରୀଙ୍କୁ ବିଳମ୍ବରେ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ହିମାଦ୍ରୀଙ୍କ ମୃତ୍ୟୁ ହୋଇଥିଲା। ଗୋଟିଏ କାରଣ ଯୋଗୁଁ ଉଭୟ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। କୁନାଙ୍କର ପ୍ରାୟ ୩୦ ଲକ୍ଷ ଟଙ୍କା ହାତ ଉଧାରି ଥିବା ଅନୁମାନ କରାଯାଇଛି। ହିମାଦ୍ରୀ ତାଙ୍କୁ ବିଭିନ୍ନ ସମୟରେ ସହାୟତା କରି ନିଜେ ଋଣଗ୍ରସ୍ତ ହୋଇଥିବା କୁହାଯାଉଛି। ଏଥିଯୋଗୁଁ ଉଭୟ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। କୁନା ବିବାହିତ ଥିବାବେଳେ ତାଙ୍କ ଯମଜ ଶିଶୁ ପୁତ୍ର ଅଛନ୍ତି। ହିମାଦ୍ରୀ ପୂର୍ବରୁ ପରମ୍ପରା ଲୁଗା ଦୋକାନରେ କାର୍ଯ୍ୟ କରୁଥିବାବେଳେ ବର୍ଷେ ହେଲା ଏକ ଘରୋଇ କଲେଜରେ ଆୟା ଥିଲେ। ଧନୁପାଲି ଥାନା ଅନ୍ତର୍ଗତ ସାକ୍ଷୀପଡ଼ା ସ୍ଥିତ ବନ୍ଧ ସମ୍ମୁଖରେ ରହିଛି ହିମାଦ୍ରୀଙ୍କ ଘର। ସୋମବାର ଅପରାହ୍ନ ପ୍ରାୟ ୩ଟାରେ ହିମାଦ୍ରୀଙ୍କ ରୁମରୁ ଦୁର୍ଗନ୍ଧ ବାହାରିଥିଲା। କୌଣସି ଅଘଟଣ ଆଶଙ୍କା କରି ତାଙ୍କ ସମ୍ପର୍କୀୟମାନେ ଘର ଭିତରକୁ ପ୍ରବେଶ କଲାବେଳକୁ ସେ ଅଚେତ ହୋଇ ପଡ଼ିଥିଲେ। ସମ୍ପର୍କୀୟମାନେ ତୁରନ୍ତ ତାଙ୍କୁ ସଦର ଚିକିତ୍ସାଳୟ ନେଇ ଯାଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର