ମହିଳାଙ୍କୁ କଚାଡ଼ି ମାରିଲା ଦନ୍ତା

କରଞ୍ଜିଆ/କରଞ୍ଜିଆଗୋଲେଇ/ସିଙ୍ଗଡ଼ା: ଦନ୍ତା ଆକ୍ରମଣରେ କରଞ୍ଜିଆ ବ୍ଲକ ରସମତଳା ପଞ୍ଚାୟତ ସରୁଭାଡ଼ି ଗାଁର ଜଣେ ମ‌ହିଳାଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଗ୍ରାମର ରାଜେନ୍ଦ୍ର ନାଏକଙ୍କ ପତ୍ନୀ ମାନିନୀ (୩୫)। ଆଜି ସକାଳେ ଗାଁର କିଛି ମହିଳା ଶାଳପତ୍ର ତୋଳିବା ପାଇଁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ସେମାନେ ପତ୍ର ତୋଳୁଥିବା ସମୟରେ ଗୋଟିଏ ଦନ୍ତା ହଠାତ ଜଙ୍ଗଲ ଉହାଡ଼ରୁ ଝପଟି ଆସିଥିଲା। ହାତୀକୁ ଦେଖି ଜୀବନବିକଳରେ ସମସ୍ତେ ଦୌଡ଼ି ପଳାଇଥିବା ବେଳେ ମାନିନୀଙ୍କୁ ପାଖରେ ପାଇ ଶୁଣ୍ଢରେ କଚାଡ଼ି ଦେଇଥିଲା ଦନ୍ତା।

ଅନ୍ୟ ମହିଳାଙ୍କଠାରୁ ଖବର ପାଇ ଜଙ୍ଗଲ ସାଥୀମାନେ ମାନିନୀଙ୍କୁ ୧୦୮ ଆମ୍ବୁଲାନ୍‌ସ ଯୋଗେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା ନିଆଯିବା ବେଳେ ବାଟରେ କେନ୍ଦୁଝର ଜିଲ୍ଲା ଘସିପୁରା ନିକଟରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାୟକ ସୂଚନା ଦେଇଛନ୍ତି। ରାଜେନ୍ଦ୍ରଙ୍କ ଘର ଯଶିପୁର ଥାନା ସିଙ୍ଗାରପୁର ଗାଁରେ। ସେ ସରଭାଡ଼ି ଗ୍ରାମର ମାନିନୀଙ୍କୁ ବିବାହ ପରେ ଏଠାରେ ରହୁଥିଲେ। ହାତୀ ଚଳପ୍ରଚଳ ସ୍ଥାନକୁ ନ ଯିବା ଲାଗି ବାରମ୍ବାର ବାରଣ କରାଯିବା ସତ୍ତ୍ବେ କିଛି ଲୋକ ଏହାକୁ ଭ୍ରୂକ୍ଷେପ କରୁନଥିବା ଶ୍ରୀ ନାୟକ କହିଛନ୍ତି। କିଛି ଦିନ ପୂର୍ବରୁ ଝାଡ଼ଖଣ୍ଡୀ ହାତୀପଲଙ୍କୁ ବନ ବିଭାଗ ଉପରୋକ୍ତ ଅଞ୍ଚଳରୁ ଘଉଡ଼ାଇ ଦେଇଥିଲେ ମଧ୍ୟ ଗୋଟିଏ ଦନ୍ତା ପୁଣି ଫେରି ଆସିଥିଲା। ଗୋଠଛଡ଼ା ଏହି ଦନ୍ତା ରରୁଆଁ ବ୍ଲକ ଜେଠମା ଗ୍ରାମରେ ଖାଦ୍ୟ ଅନ୍ୱେଷଣରେ ଘୁରି ବୁଲି କିଛି ଲୋକଙ୍କ ଘରଦ୍ୱାର ଭାଙ୍ଗିଥିଲା। ଗତକାଲି ସେଠାରୁ ପଳାଇ ଆସି କରଞ୍ଜିଆ ବନାଞ୍ଚଳ ସରୁଭାଡ଼ି ଜଙ୍ଗଲରେ ରହିଥିଲା।

ତେବେ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭରଶୀଳ ଗାଁଗଣ୍ଡାର ବନବାସୀ କେତେ ଦିନ ହାତୀ ଭୟରେ ପେଟରେ ଓଦାକନା ଦେଇ ବସିବେ ବୋଲି ଗ୍ରାମବାସୀ ବନ ବିଭାଗ ଅଧିକାରୀଙ୍କୁ ପ୍ରଶ୍ନ କରିଛନ୍ତି। ନିଜ ଉପରୁ ଦୋଷ ଖସାଇବା ଲାଗି ବନ ବିଭାଗର ଏଭଳି ଖାମଖିଆଲ ପ୍ରତିକ୍ରିୟାକୁ ଗ୍ରାମବାସୀ ନାପସନ୍ଦ କରିବା ସହ ହାତୀ ଉପଦ୍ରବର ପ୍ରତିକାର ଲାଗି ସୌରଚାଳିତ ବିଦ୍ୟୁତ ବାଡ଼, ଟ୍ରେଞ୍ଚ ଖନନ, ବ୍ୟାପକ ବୃକ୍ଷରୋପଣ ଓ ଜଙ୍ଗଲ ଭିତରେ ଅଧିକ ଜଳାଶୟ ଖନନ ଉପରେ ଗୁରୁତ୍ବାରୋପ କରିଛନ୍ତି। ହାତୀ ଉପଦ୍ରବର ପ୍ରତିକାର ଲାଗି ପ୍ରତିବର୍ଷ ବନ ବିଭାଗ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ କାହିଁକି ସବୁ ବ୍ୟବସ୍ଥା ଫେଲ୍‌ ମାରୁଛି, ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି‌ ହୋଇଛି।

ସମ୍ବନ୍ଧିତ ଖବର