କାଠଗଣ୍ଡି ‌ବୋଝେଇ ଟ୍ରକ ଜବତ, ମାଲିକ ଫେରାର

କାଳିଆପାଣି: ସୁକିନ୍ଦା ରେଞ୍ଜ୍ ଓ ସେକ୍ସନ ପକ୍ଷରୁ ଖରଡ଼ି ପଞ୍ଚାୟତ ଆମ୍ବସାର ଗାଁରେ ଚଢ଼ଉ କରାଯାଇ ଏକ କାଠଗଣ୍ଡି ବୋଝେଇ ଟ୍ରକ୍‌ ଜବତ କରାଯାଇଛି। ଆମ୍ବସାର ବାଲାଙ୍ଗି ସାହିର ଏକ ସ୍ଥାନରୁ ୟୁକାଲିପଟାସ ଗଛ କଟାଯାଇ କଟା ଗଣ୍ଡିକୁ ଡାଲାରେ ବୋଝେଇ କରାଯାଇଥିଲା। ପାଲବାନ୍ଧି ଖସି ପଳାଇ ଯିବାକୁ ବସିଥିବା ବେଳେ ସ୍ଥାନୀୟ ଲୋକେ ବନ ବିଭାଗକୁ ଜଣାଇଥିଲେ। ସ୍ଥାନୀୟ ଜଣେ ଜନ ପ୍ରତିନିଧି ଏଥିରେ ଦଲାଲି କରୁଥିବା ଜଣାପଡ଼ିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ରେଞ୍ଜର ବିପିନ ବିହାରୀ ରାଉତରାୟଙ୍କ ନିର୍ଦେଶରେ ବନପାଳ ଦୀପ୍ତିମୟୀ ନାୟକ ସଦଳବଳ ଘଟଣାସ୍ଥଳ‌ରେ ପହଞ୍ଚିଲା ବେଳକୁ ଟ୍ରକ୍‌ ଡ୍ରାଇଭର, କାଠ କଟାଇଥିବା ମାଲିକ ଓ ସହଯୋଗୀମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ବନ ବିଭାଗ ଉକ୍ତ

ଟ୍ରକ୍‌(ଓଆର୍-୦୪ଏ-୪୦୭୨)କୁ ନିଜ ହେପାଜତକୁ ଆଣି ରେଞ୍ଜ୍ ଅଫିସ ପରିସରରେ ଅଟକ ରଖିଛି। ଏହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି। ୟୁକାଲିପଟାସ ପ୍ରଜାତିର କାଠଗଣ୍ଡି ଚାଲାଣରେ ବନ କଟକଣା ନଥିଲେ ମଧ୍ୟ ଏହାକୁ ନିର୍ଦ୍ଧାରିତ ଜମିରୁ କଟାଯିବା ନେଇ ସନ୍ଦେହ ଦୃଢ଼ୀଭୂତ ହୋଇଛି। ବନ ବିଭାଗ ପକ୍ଷରୁ ସୁକିନ୍ଦା ତହସିଲକୁ ଚିଠି ଲେଖାଯାଇ ତଦନ୍ତ କରିବାକୁ କୁହାଯାଇଛି। ରାଜସ୍ବ ବିଭାଗର ସରଜମିନ ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହୋଇଯିବ ବୋଲି ବନପାଳ ଶ୍ରୀମତୀ ନାୟକ କହିଛନ୍ତି। ଅନ୍ୟପକ୍ଷରେ କାଠଗଣ୍ଡି ବୋଝେଇ ହୋଇଥିବା ଉକ୍ତ ଟ୍ରକ୍‌ ୨୨ ବର୍ଷର ପୁରୁଣା। ଯାହାର ବୈଧ କାଗଜାତ ନଥିବା ଜଣାପଡ଼ିଛି। ଢେଙ୍କାନ‌ାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ଷଡ଼ଙ୍ଗୀ ଗାଁର ଜନୈକ ବ୍ୟକ୍ତି ଉକ୍ତ କାଠଗଣ୍ଡିକୁ କିଣି ନିଜ ଗାଁକୁ ନେଉଥିବା ବନ ବିଭାଗର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତେବେ ୨ ଦିନ ଧରି ସଂପୃକ୍ତ ଟ୍ରକ୍‌ ମାଲିକ, ଡ୍ରାଇଭର ଓ କାଠ କ୍ରେତା ଆତ୍ମଗୋପନ କରିଥିବା ସ୍ଥଳେ ଜନୈକ ମଧ୍ୟସ୍ଥି ଆଜି ସୁକିନ୍ଦା ବନ କାର୍ଯ୍ୟାଳୟକୁ ଆସି ଦଲାଲି କରୁଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର