କାମ ହେଉଛି, ଫଳକ ନାହିଁ: ଡିଏମ୍‌ଏଫ୍‌ ପାଣ୍ଠିରୁ ଖର୍ଚ୍ଚ ହେଉଛି ୧୪୪ କୋଟି ୮୯ ଲକ୍ଷ

ରାଉରକେଲା: ଆସନ୍ତା ୨୦୨୩ ଜାନୁଆରି ୧୩‌ରେ ହେବାକୁ ଯାଉଛି ପୁରୁଷ ବିଶ୍ବକପ୍‌ ହକି। ସହରର ସୌନ୍ଦର୍ଯ୍ୟକରଣ, ହକି ଷ୍ଟାଡିୟମ ନିର୍ମାଣ ଓ ଅନ୍ୟାନ୍ୟ କାମରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ପାଣ୍ଠିରୁ  କୋଟି କୋଟି ଟଙ୍କା ବିନିଯୋଗ ହେଉଛି। କେଉଁ ପ୍ରକଳ୍ପ ବାବଦରେ କେତେ ଟଙ୍କା ଖର୍ଚ୍ଚ ହେଉଛି, କାର୍ଯ୍ୟସ୍ଥଳରେ ସୂଚନାଫଳକ ଲାଗିବାର ନିୟମ ରହିଛି। ଡିଏମ୍‌ଏଫ୍‌ ପାଣ୍ଠିରେ ଖର୍ଚ୍ଚ ହେଉଥିବା ଗୋଟିଏ ହେଲେ ପ୍ରକଳ୍ପ ବାବଦ ଖର୍ଚ୍ଚର ସୂଚନା ଫଳକ ନାହିଁ।

ଠିକାସଂସ୍ଥା କାହିଁକି ସୂଚନା ଫଳକ ଲଗାଉ ନାହାନ୍ତି, ଥରୁଟି ଜିଲ୍ଲା ପ୍ରଶାସନ ପକ୍ଷରୁ ତାଗିଦ୍‌ କରାଯାଉ ନାହିଁ। ଜିଲ୍ଲା ପ୍ରଶାସନ ଓ ଠିକାସଂସ୍ଥାର ଏଭଳି ମନମର୍ଜି କାମକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ। ହକି ଷ୍ଟାଡିୟମ ନିର୍ମାଣ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ପ୍ରକଳ୍ପରେ ମୋଟ ୧୪୪ କ‌ୋଟି ୮୯ ଲକ୍ଷ ଡିଏମ୍‌ଏଫ୍‌ ପାଣ୍ଠିରୁ ଖର୍ଚ୍ଚ କରାଯାଇଛି। ବିଡମ୍ବନା, କୌଣସି ଗୋଟିଏ କାର୍ଯ୍ୟସ୍ଥଳରେ ଫଳକ ଦେଖିବାକୁ ମିଳୁନାହିଁ। ସରକାରଙ୍କ ନିଜ ପାଣ୍ଠିରୁ ଟଙ୍କା ଖର୍ଚ୍ଚ ନ କରି ଡିଏମ୍‌ଏଫ୍‌ ପାଣ୍ଠିକୁ ବିନିଯୋଗ କରି ବାହାବା ନେବା ଆଦୌ ଗ୍ରହଣୀୟ ନୁହେଁ ବୋଲି ବିଧାୟକ ଶ୍ରୀ ଓରାମ କହିଛନ୍ତି। ସେ କହିଛନ୍ତି, ଜିଲ୍ଲା ଖଣିଜ ପାଣ୍ଠିରୁ ପାର୍କିଂ ପାଇଁ ୩୯୪ ଲକ୍ଷ ୬୧ ହଜାର ଟଙ୍କା, ଏୟାର୍‌ପୋର୍ଟରୁ ବିପିୟୁଟି ଗେଟ ପର୍ଯ୍ୟନ୍ତ ରାସ୍ତାରେ ୭୧ଲକ୍ଷ ୮୦ହଜାର ଟଙ୍କା, ଛେଣ୍ଡ ର ବିଭିନ୍ନ ରାସ୍ତାରେ ୪୨୩ଲକ୍ଷ ୧୮ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି ।

ଏହି କାର୍ଯ୍ୟ ସବୁ ଜୋରସୋରରେ ଚାଲୁଥିବା ବେଳେ କୌଣସି ଠାରେ ଜିଲ୍ଲା ଖଣିଜ ପାଣ୍ଠିର ନାମ ଫଳକ ଲଗାଯାଇନାହିଁ । ଫଳରେ ଜନସାଧାରଣଙ୍କୁ ଏହା ରାଜ୍ୟ ସରକାରଙ୍କ ତରଫରୁ କରାଯାଉଛି କୁହାଯାଉଛି।  ଗତ ୩୧/୦୭/୨୦୨୧ରେ ସୁନ୍ଦରଗଡ ସଦ୍‌ଭାବନା ଭବନଠାରେ ଅଷ୍ଟମ ଟ୍ରଷ୍ଟି ବୋର୍ଡ ବୈଠକ କରାଯାଇଥିଲା।  ବୈଠକ ଅବସରରେ ବିରମିତ୍ରପୁର ବିଧାୟକ ଶ୍ରୀ ଓରାମ ଜିଲ୍ଲାରେ କ୍ରୀଡା ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ବାରୋପ କରିବାସହ ମିନି ଷ୍ଟାଡିୟମ ପ୍ରତିଷ୍ଠା, ଜିଲ୍ଲାର ସମସ୍ତ ହାଇସ୍କୁଲରେ ଖେଳପଡିଆର ଉନ୍ନତିକରଣ ଓ ଜିଲ୍ଲାର ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ଓ ବ୍ଲକରେ ଅଷ୍ଟ୍ରୋଟର୍ଫ ହକି ପଡିଆ, ଇଣ୍ଡୋର ଷ୍ଟାଡିୟମ ଏବଂ ସମସ୍ତ ଖେଳ ହୋଇପାରୂଥିବା ଖେଳପଡିଆ ଉପରେ ଗୁରୁତ୍ବାରୋପ କରିଥିଲେ । ଗତ ୨୬/୧୦/୨୦୨୨ ରେ ଅର୍ଥାତ୍‌ ପରବର୍ତ୍ତୀ ନବମ ଟ୍ରଷ୍ଟି ବୋର୍ଡ ବୈଠକରେ ଜିଲ୍ଲାର ୧୬ଟି ବ୍ଲକରେ ଅଷ୍ଟ୍ରୋଟର୍ଫ ହକି ପଡିଆ ପ୍ରସ୍ତୁତ କରାଯାଇଛି ବୋଲି କୁହାଯାଇଥିଲା।

ଏହି ପରିପ୍ରେକ୍ଷୀରେ ବିଧାୟକ ଶ୍ରୀ ଓରାମ ଗତ ବିଧାନସଭାରେ ହକି ଷ୍ଟାଡିୟମ ନିର୍ମାଣ ପାଇଁ କେଉଁ ଯୋଜନାରୁ କେତେ ଅର୍ଥ ବିନିଯୋଗ କରାଯାଉଛି,ତାର ତଥ୍ୟ ମାଗିଥିଲେ । ଯେଉଁଥିରେ  ରାଜ୍ୟ ସରକାର ହକି ଷ୍ଟାଡିୟମ ପାଇଁ ଜିଲ୍ଲା ଖଣିଜ ପାଣ୍ଠିରୁ ୧୩୬କୋଟି ଟଙ୍କା ବିନିଯୋଗ ହେଉଛି ବୋଲି ଉତ୍ତର ରଖିଥିଲେ। ସୂଚନାଯୋଗ୍ୟ ଯେ ଜିଲ୍ଲା ଖଣିଜ ପାଣ୍ଠିର ଦୂରୂପଯୋଗର ଅଭିଯୋଗ ପରେ ଗତ ୧୨ ଜୁଲାଇ ୨୦୨୧ ରେ କେନ୍ଦ୍ରଖଣି ବିଭାଗ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶନାମା ଜରିଆରେ ଅବଗତ କରାଇଥିଲେ। କହିଥିଲେ, ଜିଲ୍ଲା ଖଣିଜ ପାଣ୍ଠିରୁ କୌଣସି ଅର୍ଥ ରାଜ୍ୟ ସରକାରଙ୍କ ଯୋଜନାରେ ବିନିଯୋଗ କରାଯାଇ ପାରିବନାହିଁ। ସେହିପରି ଜିଲ୍ଲା ଖଣିଜ ପାଣ୍ଠିରୁ କରାଯାଉଥିବା ଅଙ୍ଗନବାଡି ଗୃହ ନିର୍ମାଣରେ ବ୍ୟାପକ ଅନିୟମିତା ହେଉଥିବା ଶ୍ରୀ ଓରାମ ଅଭିଯୋଗ କରିଥିଲେ । କାମ ଗୁଡିକୁ ସିଙ୍ଗଲ୍ ଟେଣ୍ଡର ନକରି ବିଭକ୍ତିକରଣ ମାଧ୍ୟମରେ କରାଯାଉଥିବାରୁ ଏଥିରେ ଅନିୟମିତାର ଗନ୍ଧ ବାରିହେଉଛି ବୋଲି ସେ କହିଥିଲେ। ଏସବୁ କାମର ବିଧିବଦ୍ଧ ତଦନ୍ତ ହେବାର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର