ଗଂଜାମ୍‌ ଏସ୍‌ପି କାର୍ଯ୍ୟାଳୟ ସାମ୍ନାରେ ଶରୀ‌ରରେ ପେଟ୍ରୋଲ ଢାଳି ଯୁବକଙ୍କ ଆତ୍ମାହୁତି ଉଦ୍ୟମ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ଛତ୍ରପୁର/ଭୁବନେଶ୍ବର: ଗଂଜାମ ଏସ୍‌ପି କାର୍ଯ୍ୟାଳୟ ସାମ୍ନାରେ ଆଜି ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକ ନିଜ ଶରୀରରେ ପେଟ୍ରୋଲ ଢାଳିବା ପରେ ନିଆଁ ଲଗାଇ ଦେଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସ୍‌ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଆତ୍ମାହୁତି  କରିିଥିବା ଯୁବକଙ୍କ ନାଁ ବାଦଲ ସାହୁ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ ଗଂଜାମ ଥାନା ଅନ୍ତର୍ଗତ ହୁମା ଫାଣ୍ଡି ଅଧିନ ବୋରିଗାଁର ଯୁବକ ବାଦଲ ସାହୁଙ୍କୁ ଗାଁ ଲୋକେ ବାସନ୍ଦ କରିଥିଲେ। ଏ ନେଇ ବାଦଲ ଅନେକ ଥର ପୁଲିସ ନିକଟରେ ଅଭିଯୋଗ କରିଥିଲେ। କିନ୍ତୁ ସେ ପୁଲିସ ପକ୍ଷରୁ ନ୍ୟାୟ ପାଇପାରି ନ ଥିଲେ। ଶେଷରେ ନ୍ୟାୟ ପାଇବାରୁ ବଞ୍ଚିତ ହୋଇଥିବାରୁ ବାଦଲ ଆଜି ଆତ୍ମହତ୍ୟା ଉଦ୍ୟମ  କରିଥିଲେ ବୋଲି କୁହାଯାଉଛି। ଛତ୍ରପୁରସ୍ଥିତ ଏସ୍‌ପି କାର୍ଯ୍ୟାଳୟ ସାମ୍ନାରେ ନିଜ ଶରୀରରେ ପେଟ୍ରୋଲ ଢାଳିବା ପରେ ନିଆଁ ଲଗାଇ ଦେଇଥିଲେ। ତାଙ୍କୁ ଉଦ୍ଧାର କରାଯିବା ପୂର୍ବରୁୁ ସେ ଜଳିଯାଇଥିଲେ। ତାଙ୍କର ଶରୀରର ପାଖାପାଖି ୯୦ ପ୍ରତିଶତ ଜଳି ଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଛି।

ସୂଚନାଯୋଗ୍ୟ, ଟାଉନ ପୁଲିସର ବେଆଇନ ଗିରଫଦାରୀ ପ୍ରତିବାଦରେ ଭଦ୍ରକ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ଏକ ପରିବାରର ଲୋକେ ଶରୀରରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ। ପ୍ରଥମେ ଭଦ୍ରକ ଟାଉନ ଥାନା ଆଗରେ ପୁରା ପରିବାର ପ୍ରତିବାଦ କରିବା ପରେ ଏସପିଙ୍କ ଅଫିସ ଆଗରେ ଶରୀରରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ ପରିବାରର ସଦସ୍ୟ । ତେବେ ଅଘଟଣ ଘଟିବା ଆଗରୁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପୂରା ପରିବାରକୁ କାବୁ କରିଥିଲା।

ସମ୍ବନ୍ଧିତ ଖବର