କରୋନା ଭୟରେ ସୁନ୍ଦରଗଡରେ ବିଷ ପିଇଦେଲେ ଚେନ୍ନାଇ ଫେରନ୍ତା ଯୁବକ

ରାଉରକେଲା: କୋରୋନାକୁ ନେଇ ରାଜ୍ୟରେ ଲକଡାଉନ ଘୋଷଣା କରାଯାଇଥିବା ବେଳେ ସୁନ୍ଦରଗଡ ଜିଲ୍ଲା ନୂଆଗାଁରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜିଲ୍ଲାର ଲାଙ୍କୋଇ ଗାଁରେ କୋରୋନା ସନ୍ଦେହକୁ ନେଇ ଜଣେ ଯୁବକ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଯୁବକ ଜଣଙ୍କ ଶିଙ୍ଗ୍ରା ମୁଣ୍ଡାରୀ ବୋଲି ଜଣାପଡିଛି । ସେ ଓ ତାର ସାଙ୍ଗ ଚେନ୍ନାଇରେ ରହି କାମ କରୁଥିଲେ l

ସୂଚନା ଅନୁସାରେ ଯୁବକ ଜଣକ ବର୍ଷକ ତଳେ ପାଖ ଗାଁର କିଛି ଯୁବକଙ୍କ ସହ ଚେନ୍ନାଇ କାମ କାମ କରିବାକୁ ଯାଇଥିଲେ । କରୋନା ଯୋଗୁଁ ସମଗ୍ର ଭାରତ ଲକଡାଉନ ଘୋଷଣା ହେବା ପୂର୍ବରୁ ସେ ଗତ ୨୦ ତାରିଖରେ ଘରକୁ ଫେରିଥିଲେ । କିନ୍ତୁ ସେ ଘରକୁ ନଯାଇ ନିକଟସ୍ଥ ଲିଣ୍ଡ୍ରା ଗାଁରେ ଥିବା ଜଣେ ସାଙ୍ଗଙ୍କ ଘରେ ୪ ଦିନ ରହିଥିଲେ । ୨୪ ତାରିଖରେ ଲାଙ୍କୋଇସ୍ଥିତ ନିଜ ଘରକୁ ଫେରିଥିଲେ । ତାପରେ ଗାଁ ଲୋକେ ରକ୍ତ ନମୁନା କରିବାକୁ ଶିଙ୍ଗ୍ରାଙ୍କୁ ପରାମର୍ଶ ଦେଇଥିଲେ ।

ସେହିପରି ଗାଁଲୋକେ ସ୍ଥାନୀୟ ଅଙ୍ଗନବାଡ଼ି କର୍ମୀ, ଆଶା ଦିନି ଓ ବିଶ୍ରା ଥାନାକୁ ସଂପୃକ୍ତ ଯୁବକଙ୍କ ସଂପର୍କରେ ସୂଚନା ଦେଇଥିଲେ । ତାପରେ ଯୁବକଙ୍କ ବାପା ମଧ୍ୟ ଶିଙ୍ଗ୍ରାଙ୍କୁ ନମୁନା ପରୀକ୍ଷା କରିବାକୁ ପରାମର୍ଶ ଦେଇଥିଲେ । ଫଳରେ ବାପ ଓ ପୁଅଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହା ପରେ ଯୁବକ ଜଣକ ୨୫ ତାରିଖ ଅପରାହ୍ନରେ ବିଷ ପିଇ ଦେଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ହାତୀବାରୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଗୁରୁବାର ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ରିପୋର୍ଟ ଲେଖାଯିବା ବେଳକୁ ଶିଙ୍ଗ୍ରା ମୁଣ୍ଡାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି ।

ସମ୍ବନ୍ଧିତ ଖବର