କ୍ରିକେଟ ବ୍ୟାଟରେ ବଡ଼ ବାପାକୁ ପିଟି ହତ୍ୟା ମାମଲା: ଅଭିଯୁକ୍ତ ପୁତୁରାକୁ ୭ବର୍ଷ ସଶ୍ରମକାରାଦଣ୍ଡ

ଜୟପୁର: କୋରାପୁଟ ଜିଲ୍ଲା କୋଟପାଡ଼ ଥାନା ଅନ୍ତର୍ଗତ ଘୁମର ଗାଁ ଡୁମର ହରିଜନଙ୍କୁ ହତ୍ୟା ଘଟଣାର ରାୟ ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ରାଜେଶ କୁମାର ନାୟର। ଅଭିଯୁକ୍ତ ସହଦେବ ହରିଜନ(୨୮)ଙ୍କୁ ଦୋଷୀ ସାବ୍ୟସ୍ତ କରି ୭ବର୍ଷ ସଶ୍ରମକାରାଦଣ୍ଡ ପାଇଁ ନିର୍ଦ୍ଧେଶ ଦେଇଛନ୍ତି। ଜରିମାନା ୨୫ହଜାର ଦେବାକୁ ‌ନିର୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଆଉ ବର୍ଷକ ସଶ୍ରମକାରାଦଣ୍ଡରେ ଦଣ୍ଡିତ କରିବାକୁ ଦେଇଛନ୍ତି ରାୟ।

ମାମଲାର ବିବରଣୀରୁ ଜଣାଯାଏ ଯେ, ୨୦୧୫ମସିହା ଜୁନ ୫ତାରିଖ ଦିନ ଗାଁ ନିକଟରେ ଥିବା ପଡ଼ିଆରେ ଅଭିଯୁକ୍ତ ସହଦେବ ଗାଁର କିଛି ପିଲାଙ୍କ ସହ କ୍ରିକେଟ ଖେଳୁଥିଲେ। ଏସମୟରେ ସେହି ପଡ଼ିଆ ନିକଟରେ ସହ‌ଦେବଙ୍କ ବଡ଼ବାପା ଡୁମର ହରିଜନ(୫୦) ଗାଇ ଗୋରୁ ଚରାଉଥିଲେ। ଡୁମର ସେହି ପଡ଼ିଆରେ ଖେଳିବା ପାଇଁ ସହଦେବ ଓ ଅନ୍ୟମାନଙ୍କୁ ମନା କରିବା ସହ ପାଟି କରିଥିଲେ। ସେ ଗାଇ ଚୋରାଇବାକୁ ହାତରେ  ଧରିଥିବା ବାଡ଼ିଟି ଏମାନଙ୍କୁ ମାରିବାକୁ ଉଠାଇଥିଲେ। ବଡ଼ ବାପା ଓ ପୁତୁରା ସହଦେବ ମଧ୍ୟରେ ଖେଳ ପଡ଼ିଆକୁ ନେଇ ସାମନ୍ୟ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ସହଦେବ ସେ ଖେଳୁଥିବା କ୍ରିକେଟ ବ୍ୟାଟରେ ନିଜ ବଡବାପା ଡୁମରଙ୍କୁ ଆକ୍ରମଣ କରିଥିଲା। ମୁଣ୍ଡ ଓ କାନ ନିକଟରେ ବ୍ୟାଟରେ ଜୋରରେ ପିଟି ଦେଇଥିଲା। ବ୍ୟାଟ ମାଡ଼ରେ ଡୁମରଙ୍କ କାନରୁ ବ୍ୟାପକ ରକ୍ତ ବୋହିବା ସହ ସେଠାରେ ଅଚେତ ‌ହୋଇ ପଡ଼ି ଯାଇଥିଲେ। ଡୁମୁରଙ୍କୁ ଡାକ୍ତରଖାନା ଆଣିବା ପରେ ଡାକ୍ତର  ମୃତ ଘୋଷଣା କରିଥିଲେ।

କୋଟପାଡ ଥାନାରେ ଏ ନେଇ ପରିବାରବର୍ଗ ଏତଲା ଦେବା ପରେ ପୁଲିସ ଆଇପିସିର ଦଫା ୨୯୪,୫୦୬, ଓ ୩୦୨ରେ ମାମଲା ରୁଜୁ କରି ଅଭିଯୁକ୍ତ ସହଦେବଙ୍କୁ ଗିରଫ କରି କୋର୍ଟକୁ ଚାଳାଣ କରିଥି‌ଲା। ପୁଲିସ ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଦେଇ ନ ପାରିବାରୁ ଆଇପିସିର ସବୁ ଦଫା କଟିଯିବା ସହ ଦଫା ୩୦୨ ଦଫା ୩୦୪(୨)ରେ ପରିବର୍ତ୍ତନ ହୋଇ ଶୁଣାଣି କରାଯାଇଥିଲା।  ଦଫା ୩୦୪(୨)ରେ ୭ବର୍ଷ ସଶ୍ରମକାରାଦଣ୍ଡ ସହ ୨୫ହଜାର ଜରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ଆଉ ବର୍ଷକ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ହେବେ ବୋଲି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ଏପିପି ଶଶିଧର ପଟ୍ଟନାୟକ, ଏପିପି ରବିନ୍ଦ୍ର କୁମାର ପାତ୍ର ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର