ଦୋକାନ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ସମ୍ବଲପୁର : ଟାଉନ୍‌ ଥାନା ଅଧୀନ ଧୁଚୁରାପଡ଼ା ନିକଟସ୍ଥ ଏକ ବନ୍ଦ ଥିବା ଦୋକାନ ଘର ସିଲିଂରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଯାହାକୁ ନେଇ ସମ୍ବଲପୁର ସହରରେ ଚର୍ଚ୍ଚା ଖେଳି ଯାଇଥିବା ବେଳେ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା।

ମିଳିଥିବା ସୂଚନା ଅନୁଯାୟୀ ମୃତକ ଜଣକ ବାହାଲପଡ଼ାର ଅମରଜିତ୍‌ ଠାକୁର। ତାଙ୍କ ନିଜ ଘର ବିହାରରେ ହୋଇଥିବା ବେଳେ ଅନେକ ଦିନରୁ ସେ ସମ୍ବଲପୁର ବାହାଲପଡ଼ାରେ ରହୁଥିଲେ। ସେ ବଢ଼େଇ କାମ କରୁଥିଲେ ବୋଲି ସ୍ଥାନୀୟ ଲୋକ କହିଛନ୍ତି। ତେବେ ଧୁଚୁରାପଡ଼ା ସ୍ଥିତ ରାଧୀକା ହ୍ୟାଣ୍ଡଲୁମ୍‌ ଭିତରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ବିଦ୍ୟୁତ୍‌ ଆଘାତରୁ ଯୁବକଙ୍କ ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସତ ଜଣାପଡିବ ବୋଲି କୁହାଯାଉଛି।

ତେବେ ଦୋକାନଟି ସମ୍ପୂର୍ଣ୍ଣ ଭାବେ ବନ୍ଦ ଥିଲା। ଘର ଭଙ୍ଗାଯିବାକୁ ଥିବାରୁ ଦୋକାନକୁ ବନ୍ଦ କରିଦିଆଯାଇଥିଲା। ତେବେ ସେଠାରେ ଯୁବକଙ୍କ ମୃତ ଦେହ ଥିବା ଘର ମାଲିକ ପୁଲିସକୁ ସୂଚନା ଦେଇଥିଲେ। ଏହାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦେଖିବା ବେଳକୁ ଘରର ସିଲିଂରେ ଯୁବକଙ୍କ ମୃତ ଦେହଟି ଥିଲା। ତେଣୁ ପୁଲିସ ପକ୍ଷରୁ ଅଗ୍ନିଶମ ବାହିନୀକୁ ଡକାଯାଇ ମୃତଦେହକୁ ଉଦ୍ଧାର କରାଯାଇଥିଲା। ତେବେ ଘର ମାଲିକ ଅମରଜିତ୍‌କୁ ଚିହ୍ନି ନଥିବା କହିଛନ୍ତି। ସେ ତାଙ୍କୁ ଚିହ୍ନି ନାହାନ୍ତି କି ତାଙ୍କୁ କାମ କରିବାକୁ ଡାକି ନଥିଲେ ବୋଲି କହିଛନ୍ତି। ତେବେ ଅମରଜିତ୍‌ କିଭଳି ଭାବେ ଉକ୍ତ ରୁମରେ ପହଞ୍ଚିଲେ ତାହା ଏବେ ଅସ୍ପଷ୍ଟ। ଟାଉନ୍‌ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର