କରୋନାରେ ଚାଲିଗଲା ଜୀବନ, ଅଧା ରହିଗଲା ବାହାଘର ସ୍ୱପ୍ନ

ପୁଅ ମୁହଁ ବି ଦେଖିପାରିଲେନି ବାପାମା’

ଉଦଳା(୧) : ଘରେ ଭାବିଥିଲେ ପୁଅ ଫେରିବ। ଫେରିଲେ ଏଥର ବାହାଘର କରିଦେବେ। ହେଲେ ପୁଅ ତ ଫେରିଲାନି। ଆସିଲା ମୃତ୍ୟୁ ଖବର। ତା ପୁଣି କରୋନାରେ। ପ୍ରୋଟକଲ ଅନୁସାରେ ମୃତଦେହ ବି ମିଳିଲାନି। ପୁଅ ମଲା ମୁହଁ ବି ଦେଖିପାରିଲେନି ଘର ଲୋକ। ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ଡିହିରାକୁଳରେ ଏହି ଦୁଃଖଦ ଘଟଣା ଘଟିଛି।

ମୃତ ଯୁବକଙ୍କ ନାଁ ସୁଶାନ୍ତ (୩୦ବର୍ଷ)। ସେ ହରିୟାଣାର ଏକ ଘରୋଇ କମ୍ପାନିରେ ଗତ ୧୦ ବର୍ଷ ହେଲା କାମ କରୁଥିଲେ। ଲକଡାଉନ ଯୋଗୁ କମ୍ପାନି ବନ୍ଦ ହୋଇଗଲା। ଘରକୁ ବି ଫେରିପାରିଲେନି। ଗତ ୮ ଦିନ ତଳେ ହଠାତ୍ ଜ୍ବର ହେଲା। ୨ ଦିନ ତଳେ ତାଙ୍କର ମୃତ୍ୟୁ ହେବା ପରେ, କରୋନା ପରୀକ୍ଷା ହୋଇଥିଲା। ଆଉ ରିପୋର୍ଟ ଆସିବା ପରେ ଜଣାପଡ଼ିଲା ଯେ, ତାଙ୍କୁ କରୋନା ହୋଇଥିଲା। ପ୍ରୋଟକଲ ଅନୁସାରେ ସେଠାରେ ହିଁ ସରକାର ତାଙ୍କର ଅନ୍ତିମ ସଂସ୍କାର କରିଦେଲେ। ରୋଜଗାରିଆ ପୁଅକୁ ହରାଇ ଏବେ ବାପାମାଆ ପୂରା ଅସହାୟ ହୋଇପଡ଼ିଛନ୍ତି। କାନ୍ଦିକାନ୍ଦି ସେମାନଙ୍କ ଆଖିରୁ ଲୁହ ବି ଶୁଖିଗଲାଣି। ଗାଁରେ ବି ଦୁଃଖର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର