ପାରାକ୍ବେଟ୍ ପିଇ ଯୁବକଙ୍କ ଆତ୍ମହତ୍ୟା

ସମ୍ବଲପୁର : ଘାତକ ତୃଣନାଶକ ପାରାକ୍ବେଟ୍ ଯୋଗୁଁ ପଶ୍ଚିମ ଓଡ଼ିଶାବାସୀ ନିୟମିତ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ପୁଣିଥରେ ପାରାକ୍ବେଟ୍ ଏକ ମୂଲ୍ୟବାନ ଜୀବନ ନେଇଛି। ଧମା ଥାନା ମହୁଲପାଲି ଅଞ୍ଚଳର ହରିଶଙ୍କର ସିଂହଙ୍କ ପୁଅ ମହାବୀର ସିଂ (୪୦) ଘାତକ ତୃଣନାଶକ ଔଷଧ ପିଇ ଆତ୍ମହତ୍ୟା କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ବୁଧବାର ମହାବୀର ଘରକୁ ଆସି କୌଣସି କାରଣକୁ ନେଇ ଝଗଡ଼ା କରିଥିଲେ। ପରେ ତୃଣନାଶକ ଔଷଧ ପାରାକ୍ବେଟ୍ ପିଇ ଦେଇଥିଲେ। ପରିବାର ଲୋକ ଜାଣିବା ପରେ ତାଙ୍କୁ ବୁର୍ଲା ଭିମ୍‌ସାର୍‌ରେ ଭର୍ତ୍ତି କରିଥିଲେ। ଗୁରୁବାର ସକାଳ ୭ଟା ୫ ସମୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

ଉଲ୍ଲେଖଯୋଗ୍ୟ, କୃଷି ପ୍ରଧାନ ପଶ୍ଚିମ ଓଡ଼ିଶାରେ ବିଷ ପିଇ ଆତ୍ମହତ୍ୟା କରୁଥିବା ଲୋକଙ୍କ ମଧ୍ୟରୁ ଅନେକ ପାରାକ୍ବେଟ୍‌ର ଶିକାର ହୋଇଥାଆନ୍ତି। ଅନ୍ୟ ବିଷକ୍ରିୟାର ଚିକିତ୍ସା ଥିଲେ ବି ପାରାକ୍ବେଟ୍ ପିଇବା ମାତ୍ରେ ମୃତ୍ୟୁ ଏକପ୍ରକାର ସୁନିଶ୍ଚିତ। ଏହା ସେବନ କରୁଥିବା ଲୋକଙ୍କୁ ବଞ୍ଚାଇବା ଡାକ୍ତରଙ୍କ ପକ୍ଷରେ ପ୍ରାୟତଃ ସମ୍ଭବ ହୋଇ ନଥାଏ। ତେଣୁ ପ୍ରତି ବର୍ଷ ଭିମ୍‌ସାର୍‌ରେ ଶତାଧିକ ଲୋକ ପାରାକ୍ବେଟ୍ ଯୋଗୁଁ ମରିଥାଆନ୍ତି। ତେଣୁ ଓଡ଼ିଶାରେ ପାରାକ୍ବେଟ୍‌କୁ ବ୍ୟାନ୍‌ କରିବା ଦାବିରେ ୨୦୧୮ ମସିହା ମାର୍ଚ୍ଚ ମାସରେ ଡା. ଶଂକର ରାମଚନ୍ଦାନୀଙ୍କ ନେତୃତ୍ବରେ ଭିମସାର୍‌ର ଡାକ୍ତର ମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ଏନେଇ ବୁର୍ଲା ଡାକ୍ତରଖାନା ଅଧୀକ୍ଷକ ସରକାରଙ୍କୁ ଲେଖିଥିଲେ। ଦୀର୍ଘ ଦିନ ଧରି ଚାଲି ଥିବା ଏହି ଆନ୍ଦୋଳନ ଯୋଗୁଁ ସରକାର ପାରାକ୍ବେଟ୍‌ ଉପରେ କେତେକ ପ୍ରତିବନ୍ଧକ ଲଗାଇଥିଲେ। ଏହା ଉପରୁ ସରକାରୀ ସବ୍‌ସିଡି କାଢ଼ି ନିଆଯିବା ସହ ସରକାରୀ ପ୍ରୋତ୍ସାହନ ଦିଆଯିବ ନାହିଁ ବୋଲି ‌ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିଲା। ଏହା ସତ୍ତ୍ବେ ବି ପାରାକ୍ବେଟ୍‌ର ବିକ୍ରି ଓ ବ୍ୟବହାର ଜାରି ରହିଛି। ନିୟମିତ ବ୍ୟବଧାନରେ ଲୋକ ଏହାର ଶିକାର ହେଉଛନ୍ତି। ପାରାକ୍ବେଟ୍‌କୁ ନେଇ ଇଂଲଣ୍ଡର ‘ଚାନେଲ୍ ୪ ନ୍ୟୁଜ୍‌’ ପକ୍ଷରୁ ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ଉକ୍ତ ଚାନେଲ୍ ପକ୍ଷରୁ ଡା. ଶଂକର ରାମଚନ୍ଦାନୀଙ୍କ ସାକ୍ଷାତକାର ନିଆଯାଇଛି ଯାହା ଖୁବ ଶୀଘ୍ର ପ୍ରସାରିତ ହେବ।

ସମ୍ବନ୍ଧିତ ଖବର