ଯୁବକଙ୍କ କଙ୍ଗାରୁ କୋର୍ଟ: ପ୍ରେମିକାଙ୍କ ସହ କଥା ହେଉଥିବା ନାବାଳକଙ୍କୁ ନିସ୍ତୁକ ମାଡ଼
୫୨୦୦ ଟଙ୍କା ଦାଦାବଟି ଓ ଭିଡିଓ ଭାଇରାଲ୍; ୫ ଗିରଫ
ଜଗତସିଂହପୁର ଟାଉନ୍ : ଜଗତସିଂହପୁର ଥାନା ଅନ୍ତର୍ଗତ ରସଲପୁର ଗାଁରେ ପ୍ରେମିକାଙ୍କ ସହ କଥା ହେଉଥିବା ଏକ ନାବାଳକୁ ନିସ୍ତୁକ ମାଡ଼ ଓ ନିର୍ଯାତନା ଦିଆଯିବା, ୫୨୦୦ ଟଙ୍କା ଦାଦା ବଟି ଆଦାୟ ଓ ବାର୍ତାଳାପର ଭିଡିଓ ଭାଇରାଲ୍ କରିବା ଘଟଣାରେ ପୁଲିସ୍ ୫ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ରସଲପୁର ଗାଁର ଆକାଶ ମହାନ୍ତି(୨୫), ଅସିତ କୁମାର ମହାନ୍ତି(୧୯), ସରୋଜ ଭୋଇ ଓରଫ୍ ରାଜୁ (୨୫), ବିଘ୍ନନ ଓରଫ୍ ବିଘ୍ନେଶ୍ବର ନାଥ(୪୮) ଓ ଶ୍ରୀନିବାସ ସାହୁ ଓରଫ୍ ଟୁନା (୨୫)। ଏହି ଘଟଣାରେ ଆହୁରି ଅଭିଯୁକ୍ତ ସାମିଲ ଥିବାରୁ ଗିରଫଦାରି ସଂଖ୍ୟା ବଢ଼ିବ ବୋଲି କୁହାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ, ଫୁଲହାର ଅଞ୍ଚଳର ୧୭ ବର୍ଷୀୟ ଯୁକ୍ତ ୨ ଛାତ୍ର କୋଚିଂରୁ ଘରକୁ ଫେରୁଥିବା ବେଳେ ରସଲପୁରସ୍ଥିତ କୁକୁଡ଼ା ଫାର୍ମ ନିକଟରେ ପ୍ରେମିକାଙ୍କ ସହ କଥା ହେଉଥିଲେ। ସେହି ସମୟରେ ପ୍ରାୟ ୧୫ ଜଣ ଯୁବକ ସେଠାରେ ପହଞ୍ଚି ଉଭୟଙ୍କର ଫଟୋ ଓ ଭିଡିଓ ରେକର୍ଡିଂ କରିଥିଲେ। ଏହା ପରେ ସେମାନେ ଉଭୟଙ୍କୁ କ୍ଲବ ଘରକୁ ନେଇଗଲେ। ସେଠାରେ କଙ୍ଗାରୁ କୋର୍ଟ ବସାଇ ନାବାଳକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ।
ତା ଠାରୁ ମୋବାଇଲ ଫୋନ୍, ଟଙ୍କା, ବାଇକ୍ ଚାବି ଛଡ଼ାଇ ନେଇଥିଲେ। ଫୋନ୍-ପେ ରେ ୩୦୦୦ ଟଙ୍କା ପଠାଇବାକୁ ଧମକ ଦେଲେ। ନାବାଳକ ଫୋନ୍ ପେ ନମ୍ବର(୭୬୮୨୦୫୦୩୦୫)ରେ ୩ ହଜାର ଟଙ୍କା ପଠାଇଲେ। ଗାଡ଼ି ଚାବି, ଫୋନ୍ ଦେବା ପାଇଁ ନାବାଳକ ଯେତେ କାକୁତିମିନତି ହେଲେ ମଧ୍ୟ ସେମାନେ ମାରଣାସ୍ତ୍ର ଦେଖାଇ ଧମକଚମକ ଦେଲେ। ଏପରିକି ନାବାଳକଙ୍କ ପ୍ରେମିକାଙ୍କୁ ଅଶ୍ଳୀଳ ଇଙ୍ଗିତ କରିଥିଲେ। ଭିଡିଓ ଭାଇରାଲ୍ ନ କରିବାକୁ ମଧ୍ୟ ନାବାଳକ ଯୁବକମାନଙ୍କ ଗୋଡ଼ ଧରି କାକୁତିମିନତି ହୋଇଥିଲେ। ପ୍ରାୟ ୫୨୦୦ ଟଙ୍କା ଦେବା ପରେ ଯୁବକମାନେ ନାବାଳକଙ୍କୁ ଚାବି ଫେରାଇଥିଲେ। ପରବର୍ତ୍ତୀ ସମୟରେ ଯୁବକମାନେ ଭିଡିଓ ଭାଇରାଲ୍ କରିଥିଲେ। ଶେଷକୁ ଉକ୍ତ ନାବାଳକ ଥାନାର ଦ୍ବାରସ୍ଥ ହେବା ସହ ଲିଖିତ ଅଭିଯୋଗ କରିବାରୁ ପୁଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।