‘ଫନି’ ଏତେ ଉଗ୍ର ହେଲା କାହିଁକି

ନୂଆଦିଲ୍ଲୀ: ସାମୁଦ୍ରିକ ଝଡ଼ ‘ଫନି’ ଯେଉଁଭଳି ବିପର୍ଯ୍ୟୟ ଘଟାଇଲା ତାହା ମେ ମାସରେ କ୍ବଚିତ‌ ଦେଖିବାକୁ ମିଳେ। ଏହା ପାଣିପାଗ ବିଶେଷଜ୍ଞମାନଙ୍କୁ ମଧ୍ୟ ଚକିତ କରିଛି। କୁହାଯାଉଛି ଯେ ଗତ ୫୨ ବର୍ଷ ମଧ୍ୟରେ ମେ ମ‌ାସରେ ଏଭଳି ୯ଟି ସାମୁଦ୍ରିକ ଝଡ଼ ଦେଖିବାକୁ ମିଳିଛି। କିନ୍ତୁ ‘ଫନି’ ସେ‌ମାନଙ୍କ ଠାରୁ ସଂପୂର୍ଣ୍ଣ ଭିନ୍ନ। ଏହା ଯେତେ‌ଦିନ ସମୁଦ୍ର ଭିତ‌େର ରହିଲା ଏବଂ ଯେମିତି ବଳ ଗୋଟାଇଲା ତାହା ଅନ୍ୟ ଝଡ଼ କ୍ଷେତ୍ରରେ କେବେ ଦେଖିବାକୁ ମିଳିନଥିଲା। ସାଧାରଣତଃ ମୌସୁମୀ ପରେ (ଅକଟୋବରରୁ ଡିସେମ୍ବର ମଧ୍ୟରେ) ବଡ଼ ବଡ଼ ଝଡ଼ ଭାରତର ପୂର୍ବ ଉପକୁଳରେ ମାଡ଼ ହୋଇଥାଏ। ଭାରତର ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ ୧୯୬୫ରୁ ୨୦୧୭ ମଧ୍ୟରେ (୫୨ ବର୍ଷ) ୩୯ ଥର ଅତି ଭୀଷଣ ବାତ୍ୟା ଦେଖିବାକୁ ମିଳିଛି। ସେଥିମଧ୍ୟରୁ ୨୩ଟି ବାତ୍ୟା ଅକ୍ଟୋବରରୁ ଡିସେମ୍ବର ମଧ୍ୟ ହୋଇଥିଲା। କିନ୍ତୁ ମେ ମାସ‌େର ଏଭଳି ବାତ୍ୟା ୧୦ ଥର ହୋଇଛି। ୧୯୬୮, ୧୯୭୬, ୧୯୭୯, ୧୯୮୨, ୧୯୯୭. ୧୯୯୯ ଏବଂ ୨୦୦୧ରେ ହୋଇଥିବ‌ା ବେଳେ ପୁଣି ଆଜି ହୋଇଛି। କିନ୍ତୁ ଆଜିର ବାତ୍ୟା ‘ଫନି’ ଯେଭଳି ଶକ୍ତିଶାଳୀ ଥିଲା ତାହା ଅନ୍ୟ କୌଣସି ବାତ୍ୟା କ୍ଷେତ୍ରରେ‌ ଦେଖିବାକୁ ମିଳିନାହିଁ।

‘ଫନି’ ଏଭଳି ଉଗ୍ର ରୂପ ଧାରଣ କରିବା ପଛରେ ଦୁଇଟି କାରଣ ରହିଥିବା କୁହାଯାଉଛି। ପ୍ରଥମଟି ହେଉଛି ସମୟ ଏବଂ ଦ୍ବିତୀୟଟି ହେଉଛି ଶକ୍ତି। ‘ଫନି’ ଏପ୍ରିଲ ୨୫ ତାରିଖରେ ସୃଷ୍ଟି ହୋଇଥିଲା। ପୁରୀରେ ଲ୍ୟାଣ୍ଡଫଲ କରିବା ଲାଗି ଏହାକୁ ଲାଗିଲା ୧୦ ଦିନ। ସମୁଦ୍ର ଭିତରେ ଗତି କରିବା ସମୟରେ ‘ଫନି’ ଶକ୍ତିଶାଳୀ ହେବାକୁ ଲାଗିଥିଲା। ପାଣିପାଗ ବିଶେଷଜ୍ଞମାନ ମତ‌ରେ ବାତ୍ୟା ଯେତେ‌ ବେଶି ଦିନ ସମୁଦ୍ର ଭିତରେ ରହିବ ଏହା ସେତେ ଶକ୍ତିଶାଳୀ ହେବ। ବଙ୍ଗୋପ ସାଗରେ ଯେତେ ବାତ୍ୟା ସୃଷ୍ଟି ହୋଇଛି ତାହା୪ରୁ ୭ ଦିନ ପର୍ଯ୍ୟନ୍ତ ରହେ। କିନ୍ତୁ ‘ଫନି’ ୧୦ ଦିନ ଧରି ରହିଲା ସମୁଦ୍ର ଭିତରେ। ଯାହାକି ଏହାକୁ ଅଧିକ ବଳ ଗୋଟାଇବାରେ ସହାୟକ ହେଲା। ଫନି ଇକ୍ବେଡରରୁ ସୃଷ୍ଟି ହେଲା। ଲ୍ୟାଣ୍ଡଫଲ ହେବାକୁ ଏହାକୁ ୧୦ ଦିନ ଲାଗିଲା। ଯେଉଁଦିନ ଫନି ସୃଷ୍ଟି ହେଲା ସେହିଦିନ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା ଯେ ଏହା ତାମିଲନାଡ଼ୁ ଉପକୂଳ ଅତିକ୍ରମ କରିବ। କିନ୍ତୁ ଫନି ଅଗ୍ରସର ହେବା ସହିତ ଏହାର ଗତିପଥ ବଦଳାଇ ଦେଇଥିଲା। ଏହା ତାମିଲନାଡ଼ୁରେ ଲ୍ୟାଣ୍ଡଫଲ କରିଥି‌େଲ ଏତେ ଶକ୍ତିଶାଳୀ ହୋଇନଥାନ୍ତା। କମ ଦିନରେ ଏହା ସ୍ଥଳଭାଗ ଛୁଇଁଥାନ୍ତା। ଏହାଛଡ଼ା ଏପ୍ରିଲ-ମେ ମାସରେ ବଙ୍ଗୋପ ସାଗରରେ ସୃଷ୍ଟି ହେଊଥିବା ବାତ୍ୟା ଭାରତୀୟ ଉପକୂଳରେ ପହଂଚିଲା ‌େବଳକୁ ଦୁର୍ବଳ ହୋଇପଡ଼େ। କିନ୍ତୁ ଫନିର ଉତ୍ପତି ଇକ୍ବେଡର ଅଞ୍ଚଳରୁ ହୋଇଥିବାରୁ ଏହାର ଶକ୍ତି ଓ ଗତିପଥ‌େର ବ୍ୟତିକ୍ରମ ଦେଖାଗଲା ବୋଲି କୁହାଯାଉଛି।

ବିଶ୍ବ ପାଣିପାଗ ସଂଗଠନ ମଧ୍ୟ ଫନିକୁ ନେଇ ଏକ ନୂଆ ଧରଣର ପୂର୍ବାନୁମାନ କରିଥିଲା। ସଂଗଠନ ପକ୍ଷରୁ କୁହାଯାଇଥିଲା ଯେ ଫନି କେବଳ ଯେ ସମୁଦ୍ରରେ ଅଧିକ ସମୟ ରହିବ ତାହା ନୁହେଁ ଲ୍ୟାଣ୍ଡଫଲ କରିବା ପରେ ମଧ୍ୟ ଏହା ସ୍ଥଳ ଭାଗରେ ଅଧିକ ସମୟ ରହିବ। ପୁରୀରେ ସଂଗଠନ ପୂର୍ବାନୁମାନ କରିଥିଲା ‌େଯ ପୁରୀରେ ଲ୍ୟାଣ୍ଡଫଲ କରିବା ସମୟରେ ପବନର ଗତି ଘଣ୍ଟାକୁ ୧୭୦ କିଲୋମିଟର ଥିବ। ମେ ୩ ତାରିଖରେ ଲ୍ୟାଣ୍ଡଫଲ କରିବା ପରେ ଫନି ଓଡ଼ିଶା ଓ ପଶ୍ଚିମ ବଙ୍ଗ ଦେଇ ୪ ତାରିଖରେ ବାଂଲାଦେଶରେ ପହଂଚିବ। ଭୀଷଣରୁ ଅତି ଭୀଷଣ ରୂପ ନେଇ ଫନି ସ୍ଥଳ ଭାଗ ଛୁଇଁବା ପରେ ଅତି ଭୀଷଣ ଏବଂ ପରେ ଭୀଷଣ ବାତ୍ୟା ରୂପ ନେଇ ବାଂଲାଦେଶ ପହଂଚିବ। ତେବେ ସଂଗଠନର ବିଶେଷଜ୍ଞମାନଙ୍କ ମତରେ ଏପ୍ରିଲ ମା‌ସରେ ସୃଷ୍ଟି ହେଉଥିବା ସାମୁଦ୍ରିକ ଝଡ଼ ଏଭଳି ଉଗ୍ର ହେବା କ୍ବଚିତ ଦେଖାଯାଏ। କେନ୍ଦ୍ର ଭୂ-ବିଜ୍ଞାନ ବିଭାଗ ସଚିବ ମାଧବନ ରାଜୀବନଙ୍କ ସୂଚନା ଅନୁସାରେ ଏପ୍ରିଲ-ମେ ମାସ‌େର ୧୮୯୧ରୁ ୨୦୧୭ ମଧ୍ୟରେ ବଙ୍ଗୋପ ସାଗର‌େରେ ୧୪ ଥର ସାମୁଦ୍ରିକ ଝଡ଼ ସୃଷ୍ଟି ହୋଇଛି। ସେଥିମଧ୍ୟରୁ କେବଳ ୨୦୦୮ ମେ ୨ ତାରିଖରେ ସାମୁଦ୍ରିକ ଝଡ଼ ‘ନରଗିସ’ ମିଆନମାରରେ ମାଡ଼ ହୋଇଥିଲା। ଏଥିରେ ଦକ୍ଷିଣ ମିଆନମାର ଧ୍ବସ୍ତବିଧ୍ବସ୍ତ ହୋଇଥିଲା। ‌ ଝଡ଼ରେ ୧ ଲକ୍ଷ ୪୦ ହଜାର ଲୋକ ପ୍ରାଣ ହରାଇଥିଲେ। ଅନ୍ୟ ଝଡ଼ଗୁଡ଼ିକ ସମୁଦ୍ର ଭିତରେ ଦୁର୍ବଳ ହୋଇପଡ଼ିଥିଲା।

ସମ୍ବନ୍ଧିତ ଖବର