ଏନ୍‌ଆଇଟିରେ ଆଧ୍ୟାତ୍ମିକ ପ୍ରବଚକ ଅମୋଘ ଲୀଳା ଦାସ

ସକାରାତ୍ମକ ମାନସିକ ସ୍ବାସ୍ଥ୍ୟ, ଆଧ୍ୟାତ୍ମିକ ଦିଗ ଉପରେ ମନ୍ତ୍ର ଫୁଙ୍କିଲେ

ରାଉରକେଲା: ସକରାତ୍ମକ ମାନସିକ ସ୍ୱାସ୍ଥ୍ୟ ପାଇଁ ସଫଳ ସୂତ୍ର ହେଉଛି ଷ୍ଟ୍ରେସ୍ ମ୍ୟାନେଜମେଣ୍ଟ୍‌। ନିୟନ୍ତ୍ରଣ ବାହାରେ ଥିବା ଜିନିଷ ପଛରେ ନ ଗୋଡ଼ାଇ, ତାକୁ ଛାଡ଼ି ଦେବା ଆବଶ୍ୟକ। ଆମେ ସବୁବେଳେ ଭାବୁ ଯେ ଶାରୀରିକ ଆରାମ, ଦୁଃଖର ଅଭାବ ତଥା ବିଭିନ୍ନ ବସ୍ତୁର ଅଧିକାରୀ ହେବା ହିଁ ସୁଖ ଆଣିଥାଏ। ବାସ୍ତବରେ ଏହା ପ୍ରକୃତ ସୁଖ ନୁହେଁ। ଯେତେବେଳେ ଆମେ ଜୀବନର ମୂଳ ଉଦ୍ଦେଶ୍ୟ, ବାସ୍ତବିକତା ତଥା ଆଧ୍ୟାତ୍ମିକ ପୂର୍ଣ୍ଣତାର ଧାରଣା ବୁଝିଥାଉ; ସେତେବେଳେ ସୁଖପ୍ରାପ୍ତି ହୁଏ। ଅଳ୍ପ ବୟସରେ ଆଧ୍ୟାତ୍ମିକତାକୁ ଗ୍ରହଣ କରିବା ଜୀବନରେ ଅଧିକ ପ୍ରଭାବଶାଳୀ ଯୋଜନା କରିବାରେ ସହାୟକ ହୋଇଥାଏ। ଏଣୁ ପ୍ରତ୍ୟେକ ଛାତ୍ରଛାତ୍ରୀ ନିଜ ନିଜ ଭିତରେ ଲୁଚି ରହିଥିବା ଆଧ୍ୟାତ୍ମିକ ଦିଗକୁ ଆବିଷ୍କାର କରନ୍ତୁ। ସମସ୍ୟାର ସମାଧାନ କ୍ଷମତା ମାଧ୍ୟମରେ ସୁଖ ପାଇବାକୁ ମନକୁ ତାଲିମ ଦିଅନ୍ତୁ। ଏଭଳିଭାବେ ଏନ୍‌ଆଇଟିର ଛାତ୍ରଛାତ୍ରୀଙ୍କୁ ମମାର୍ଗଦର୍ଶନ ଦେଇଛନ୍ତି ପ୍ରତିଷ୍ଠିତ ସନ୍ଥ, ପ୍ରେରଣାଦାୟୀ ପ୍ରବଚକ ତଥା ଜୀବନଶୈଳୀ ପ୍ରଶିକ୍ଷକ ଅମୋଘ ଲୀଳା ଦାସ।
ଶ୍ରୀ ଲୀଳା ଦାସ ଦିନିକିଆ ରାଉରକେଲା ଗସ୍ତରେ ଆସି ଏନ୍‌ଆଇଟିର ବିଭିନ୍ନ ଅଧିବେଶନରେ ସାମିଲ ହୋଇଥିଲେ। ପ୍ରଥମ ଅଧିବେଶନରେ ଏନ୍‌ଆଇଟିରେ ଯୋଗଦେଇଥିବା ପ୍ରଥମ ବର୍ଷ ଓ ଆଖପାଖ ଶିକ୍ଷାନୁଷ୍ଠାନର ଛାତ୍ରାଛାତ୍ରୀଙ୍କୁ ‘ସର୍ବୋତ୍ତମ ମାନସିକ ସ୍ବାସ୍ଥ୍ୟ’ ଏବଂ ‘ଅବସାଦ, ଭୟ, ଦିଶ୍ଚିନ୍ତାରୁ ମୁକ୍ତି’ ପ୍ରସଙ୍ଗରେ ବିସ୍ତୃତ ଆଲୋକପାତ କରିଥିଲେ। ପରେ ଛାତ୍ରଛାତ୍ରୀଙ୍କ ସହ ମତବିନିମୟ କରିଥିଲେ। ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ବର ରାଓ ଆଧ୍ୟାତ୍ମିକ ଶିକ୍ଷାର ଗୁରୁତ୍ବ, ସନ୍ତୁଳିତ ଜୀବନରେ ଆଧ୍ୟାତ୍ମର ମହତ୍ତ୍ବ ଉପରେ କହିଥିଲେ। ଇନ୍‌ଷ୍ଟିଚ୍ୟୁଟ୍‌ କାଉନସିଲିଂ ସର୍ଭିସ୍‌(ଆଇସିଏସ୍‌) ବିଭାଗ ମୁଖ୍ୟ ପ୍ରଫେସର ପୱନ କୁମାର ସ୍ବାଗତ ଭାଷଣ ଦେଇଥିଲେ। ଆଇସିଏସ୍‌ ଛାତ୍ର ସଂଯୋଜକ ସ୍ବପ୍ନନୀଲ ଦାସ ବିବରଣୀ ପାଠ କରିଥିଲେ।
ସମ୍ବନ୍ଧିତ ଖବର