୧୩୮ ଖଣ୍ଡ ଗାଁର ଜୀବନ ରେଖା ବ୍ରିଜ୍‌ ନମ୍ବର ୫୪୩

ଜୀବନକୁ ପାଣି ଛଡାଇ ଦୁଇଫୁଟିଆ ରାସ୍ତାରେ ଚାଲିଛି ଜୀବନ

କୋରାପୁଟ: ନିର୍ବାଚନ ପରେ ନିର୍ବାଚନ ଯାଉଛି। ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତିର ପାହାଡ ଉପରେ ଠିଆ କରି ନିର୍ବାଚନ ବୈତରଣୀକୁ ପାର କରୁଛନ୍ତି କୋରାପୁଟ ନେତା। ହେଲେ ସମସ୍ୟା ଯେଉଁଥିରେ କୁ ସେହିଥିରେ। ନା ସମସ୍ୟାର ସମାଧାନ ହେଉଛି ନା ଦୁଃଖ ଯାଉଛି। ଆମେ କହୁଛୁ କୋରାପୁଟ ଜିଲ୍ଲାର ଦୁର୍ବିଷହ ଜୀବନ ଯିଉଁଛନ୍ତି କୋରାପୁଟ, ଲମତାପୁଟ ଓ ନନ୍ଦପୁର ବ୍ଲକର ୧୩୮ଟି ଗାଁର ଲୋକେ। ତଳେ କୋଲାବ ଜଳଭଣ୍ଡାରର ଗଭୀର ଜଳରାଶି। ପାର୍ଶ୍ବରେ ରକ୍ତ ମୁଖା ରେଳ ଲାଇନ। ଅନ୍ୟ ପଟେ ପ୍ରାୟ ୭୫ କିଲୋମିଟର ପାହାଡିଆ ରାସ୍ତା। ଏହା ଉପର ଦେଇ ଜୀବନକୁ ବାଜି ଲଗାଇ ଯିବାଆସିବା କରୁଛନ୍ତି ଶହ ଶହ ଅଧିବାସୀ। କୋରାପୁଟ ପୌରପାଳିକାକୁ ଲାଗି ରହିଛି କୋଲାବ ଜଳଭଣ୍ଡାର। ଏହାକୁ ଲାଗି ରହିଛି କୋରାପୁଟ ବ୍ଲକର ବଡ ଶୁକୁ ପଞ୍ଚାୟତର ୧୮ ଖଣ୍ଡ ଗାଁ, ଲଙ୍କାପୁଟ ପଞ୍ଚାୟତର ୧୭ ଖଣ୍ଡ ଗାଁ, ଲମତାପୁଟ ପଞ୍ଚାୟତର କୁମାରଚନ୍ଦନା ପଞ୍ଚାୟତର ୨୫ ଖଣ୍ଡ ଗାଁ, ବନମାଳିପୁଟ ପଞ୍ଚାୟତର ୨୦ ଖଣ୍ଡ ଗାଁ, ଉମେଲ ପଞ୍ଚାୟତର ୧୮ ଖଣ୍ଡ, ଟିକରପଣ୍ଡା ପଞ୍ଚାୟତର ୨୦ ଖଣ୍ଡ ଗାଁ, ନନ୍ଦପୁର ବ୍ଲକର ମାଲିବେଲଗାଁ ପଞ୍ଚାୟତର ୨୦ ଖଣ୍ଡ ଗାଁର ଲୋକେ ରହୁଛନ୍ତି।

କୋରାପୁଟ ସହରରୁ ଏହି ଗାଁ ଗୁଡିକୁ ଯିବାକୁ ହେଲେ ବ୍ରିଜ୍‌ ନମ୍ବର ୫୪୩ ଦେଇ ଯିବାକୁ ହୁଏ। କୋଲାବ ଜଳଭଣ୍ଡର ଉପରେ ଦେଇ ଯାଇଥିବା ରେଳପୋଲ ଦେଇ ମଣିଷର ପାଦ ସକାଳୁ ସନ୍ଧ୍ୟା ଯାଏ ବିପଦଶଙ୍କୁଳ ଭାବେ ସବୁ ଦିନ ଆଗକୁ ବଢୁଛି । ପୋଲ ଦେଇ ଚାଲିଗଲା ବେଳକୁ ହେଉ ବା ଦୁଇ ଚକିଆ ଯାନ ହେଉ ତଳକୁ ଦେଖିଲେ ପ୍ରାଣ ଚାଲି ଗଲା ପରି ଭୟ ସଞ୍ଚାର ହୁଏ । ହେଲେ ଜୀବନକୁ ବାଜି ଲଗାଇ ଯାଆସ କରିବାକୁ ବାଧ୍ୟ ହେଉଛନ୍ତି ଅଭାବୀ ଗାଁର ଲୋକ । ଏହି ଲୋକ ପାଇଁ ଏହି ପୋଲ ପାଇଁ ଦେଇ ଯାଆସ କରୁଥିବା ରେଳ ଗାଡି ଗୁଡିକ ଜୀବନ ରେଖା ପାଲଟିଛି । ରେଳଗାଡି ଚାଲୁଥିବାରୁ ଚାଷୀ ନିଜ ଉତ୍ପାଦିତ ପନିପରିବା ସହ ସ୍କୁଲ, କଲେଜ, ହସ୍ପିଟାଲ, ପ୍ରଭୁତି କାମରେ ଅଧ ଘଣ୍ଟାରେ ଓ ସ୍ବଳ୍ପ ଖର୍ଚ୍ଚରେ କୋରାପୁଟ ଆସି ପାରନ୍ତି । କିନ୍ତୁ ରେଳଗାଡର ସମ୍ଭବ ନ ଥିବାରୁ ଅସିରକ୍ଷିତ ଅବସ୍ଥାରେ ବିପଦଜନକ ଭାବରେ ଏହି ପାଦ ଚଲା ରାସ୍ତା ଉପରେ ଯିବାଆସିବା କରୁଛନ୍ତି । ଦୀର୍ଘ ଦିନ ଧରି ପ୍ରଶାସନ ଆଗରେ ଗୁହାରି କରି ଥକି ଗଲେଣି। ବିଭିନ୍ନ ସମୟରେ ଦାବିପତ୍ର ସହ ବିକ୍ଷୋଭ ବି ପ୍ରଦର୍ଶନ କରିଛନ୍ତି କିନ୍ତୁ ସେମାନଙ୍କୁ ଆଶ୍ୱସନା ମିଳିଛି ସିନା ବାସ୍ତବରେ କାର୍ଯ୍ୟରେ ପରିଣତ ହୋଇପାରନି । ରେଳ ପୋଲ ଉପର ଦେଇଗଲେ ମାତ୍ର ୧୫ ମିନିଟରେ କୋରାପୁଟରେ ପହଞ୍ଚି ହେଉଥିଲା। କିନ୍ତୁ ମୁଖ୍ୟ ରାସ୍ତାରେ ଗଲେ ନନ୍ଦପୁର ଦେଇ ପ୍ରାୟ ୧୦୦ କିଲୋମିଟର ରାସ୍ତାକୁ ଗାଡି ଭଡା କରି ଯିବାକୁ ପଡେ ।

ଏହି ଗାଁଗୁଡିକରେ ରହୁଥିବା ଗରିବ, ଆଦିବାସୀ ଓ ଖଟିଖିଆ ଲୋକଙ୍କ ପାଖରେ ଏତେ ସାଧନ କାହିଁ ଯେ ସେମାନେ ଅର୍ଥ ଦେଇ ୧୦୦ କିଲୋମିଟର ଦେଇ ଆସିବେ । ଗତ ସାଧାରଣ ନିର୍ବାଚନ ପୂର୍ବରୁ ଏହି ଏହି ରେଳପୋଲ କଡ ଦେଇ ଯିବା ଆସିବା କରିବା ପାଇଁ ଜଳ ଭଣ୍ଡାର ଉପରେ ପୋଲଟିଏ ପାଇଁ ସରକାର ଘୋଷଣା କରିଥିଲେ ହେଁ ଆଜି ପର୍ଯ୍ୟନ୍ତ ସେ ଦିଗରେ କାର୍ଯ୍ୟ କରିବାକୁ ବାଲିଗୁଡି ମଧ୍ୟ ମୁଠାଏ ପଡି ନ ଥିବା ଅଭିଯୋଗ କରିଛନ୍ତି । ନିର୍ଦ୍ଧାରିତ ସମୟରେ ସରକାର ତାଙ୍କ ପ୍ରତିଶ୍ରୁତି ପାଳନ କରୁଥିଲେ ଅଞ୍ଚଳରେ ରହୁଥିବା ଗରିବ ଚାଷୀ ଆଖିରୁ ଏହି ଲୁହ ବହୁ ନ ଥିବା କିମ୍ବା ଉପଯୁକ୍ତ ସ୍ୱାସ୍ଥ୍ୟ। ସେବା ପାଇଁ ଏପରି ଅସୁବିଧାରେ ପଡି ନ ଥାନ୍ତା । ପୁଣି ଉଚ୍ଚଶକ୍ଷା ପାଇଁ ଏହି ଅଞ୍ଚଳର ପିଲା ଜୀବନକୁ ବାଜି ଲଗାଇ ଦୁଇ ଫୁଟିଆ ଟ୍ରେଞ୍ଜ ପାସ ଦେଇ ଯିବା ଆସିବା କରୁ ନ ଥିଲେ ।ସୁକୁ ଗାଁର ଗୁରୁବାରୀ ପ୍ରଧାନୀ କହିଛନ୍ତି ଯେ ପ୍ରତିଦିନ ଏହି ଦୁଇ ଫୁଟିଆ ରାସ୍ତା ଦେଇ ଯିବାଆସିବା କରୁଛୁ। ଜୀବନକୁ ପାଣି ଛଡାଇ ଏହି ରାସ୍ତା ଦେଇ ଯିବା କରୁଥିଲେ ମଧ୍ୟ ଆମ କଥା ବୁଝିବାକୁ କେହି ନାହିଁ। ଅଭିଯୋଗ କରି କରି ଥକିବା ପରେ ପ୍ରଶାସନ କାହିଁକି ଶୁଣୁନି ତାହା ଆମେ ଜାଣି ପାରୁନୁ ବୋଲି ସେ କହିଛନ୍ତି।

‌ଏନେଇ ଭାଗୀରଥି ପାଟିନିଆ କହିଛନ୍ତି ଯେ କୋଲାବ ଜଳ ଭଣ୍ଡାର ପାଇଁ ଜମି ଦେଲୁ। ରେଳ ଯିବ ବୋଲି ଜମି ବି ଗଲା। କିନ୍ତୁ ଆ‌ମକୁ ରାସ୍ତା ଖଣ୍ଡିଏ ମିଳିଲା ନାହିଁ। ନିର୍ବାଚନବେଳେ ନେତାଏ ଆସି ପ୍ରତିଶ୍ରୁତି ଦେଇ ଚାଲିଯାଉଛନ୍ତି ସିନା ଆମ ସମସ୍ୟାର ସମାଧାନ ହେଉନି। ଏହି ବ୍ରିଜ ଦେଇ ପ୍ରତିଦିନ ଜୀବନକୁ ପାଣି ଛଡାଇ ଯିବା ଆସୁଛି। ୨୦୧୯ ନିର୍ବାଚନରେ ଏନେଇ ପ୍ରତିଶ୍ରୁତି ମିଳିଥଲା କିନ୍ତୁ ଏବେଯାଏ ମାଟି ମୁଠାଏ ମଧ୍ୟ ପଡିଲା ନାହିଁ। କେବେ ଆମକୁ ଆମ ମୌଳିକ ସୁବିଧା ମିଳିବ ତାହା ଦେଖିବାକୁ ରହିଛି ବୋଲି ସେ କହିଛନ୍ତି। ଏନେଇ ବଡ ଶୁକୁର ସରପଞ୍ଚ ଗୋବିନ୍ଦ ମାଝି କହିଛନ୍ତି ଯେ ୧୩୮ଖଣ୍ଡ ଗାଁର ଲୋକେ ବହୁ ବାର ଜିଲ୍ଲା ପ୍ରଶାସନକୁ ଅଭିଯୋଗ ଦେଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁ ନାହାନ୍ତି। ଯଦି ଆସନ୍ତା ଦିନରେ ଆମ ସମସ୍ୟା ସମାଧାନ ନ ହୁଏ ତେବେ ରାଜରାସ୍ତାକୁ ଓହ୍ଲେଇବୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର