କାହିଁକି କିଶୋର-କିଶୋରୀ ଧୂମପାନ କରୁଛନ୍ତି ?

ସଂପ୍ରତି କିଶୋର କିଶୋରୀମାନେ ଧୂମପାନ ପ୍ରତି ବିଶେଷ ଆଗ୍ରହୀ ଥିବାର ପରିଲକ୍ଷିତ ହେଉଛି।ଏଇ ନିକଟରେ ଏ ସଂପର୍କରେ ଏକ ସର୍ଭେ କରାଯାଇଥିଲା।ସେଥିରୁ ଜଣାଯାଇଛି ଯେ,ଭାରତର ପଚାଶ ପ୍ରତିଶତ ଧୂମପାନ କରୁଥିବା ଯୁବକ,ଯୁବତୀ,କିଶୋର-କିଶୋରୀ ସ୍ୱୀକାର କରିଛନ୍ତି ଯେ,ସିଗାରେଟ୍‌ ଟାଣିବା ଦ୍ୱାରା ସେମାନଙ୍କର ମାନସିକ ଉତ୍ତେଜନା ହ୍ରାସ ପାଉଛି ଓ ସାଙ୍ଗ ସାଥିଙ୍କ ଭିତରେ ସେମାନଙ୍କର ‘କୁଲ୍‌’ଇମେଜ୍‌ ରହୁଛି।

ଏହି ସର୍ଭେକ୍ଷଣରେ ଆହୁରି ମଧ୍ୟ କୁହାଯାଇଛି ଯେ,୫୨ ପ୍ରତିଶତରୁ ଅଧିକ କିଶୋର-କିଶୋରୀ ସ୍ୱୀକାର କରିଛନ୍ତି ଯେ, ଧୂମପାନ ସେମାନଙ୍କର ଏକାଗ୍ରତା ବୃଦ୍ଧି ଦିଗରେ ସହାୟକ ହେଉଛି।ଅପର ପକ୍ଷରେ ୮୦ ପ୍ରତିଶତ କିଶୋର-କିଶୋରୀଙ୍କ କହିବା କଥା ଏହା ଦ୍ୱାରା କିଛି କ୍ଷତି ହୁଏ ନାହିଁ।ଠିକ୍‌ ସେହିପରି ୯୦ ପ୍ରତିଶତ କିଶୋର-କିଶୋରୀ କହିଛନ୍ତି ଯେ,ସେମାନଙ୍କର ପିତାମାତା ବାରଣ ନ କଲେ ସେମାନେ ଧୂମପାନରୁ ନିବୃତ୍ତ ହେବେ ନାହିଁ।
ଭାରତର ଛଅଟି ରାଜ୍ୟରେ ୧,୯୦୦ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କୁ ନେଇ ଏହି ସର୍ଭେକ୍ଷଣ କରାଯାଇଥିଲା।ଏଥିରେ ୭୫ ପ୍ରତିଶତ ଛାତ୍ରଛତ୍ରୀ କହିଛନ୍ତି ଯେ,ଯେତେବେଳେ ସାଙ୍ଗ ସିଗାରେଟ୍‌ ହାତକୁ ବଢ଼ାଇଦିଏ,ସେତେବେଳେ ମନା କରିବା କଷ୍ଟକର।ଠିକ୍‌ ସେହିପରି ୪୯ ପ୍ରତିଶତ କହିଛନ୍ତି ଯେ,ସେମାନେ ‘କୁଲ୍‌’ ଦିଶିବା ଲାଗି ଧୂମପାନ କରନ୍ତି।

photo-manicapost.co.zw

ପେଠାର୍ଟିସ ହସ୍ପିଟାଲ୍‌ର ମନୋଚିକିତ୍ସା ବିଭାଗର ବିଶେଷଜ୍ଞ ଡ଼ାକ୍ତର ସମୀର ପାରିଖ କହିଛନ୍ତି ଯେ,ଯୁବପୀଢ଼ିର ଧୂମପାନ ଅଭ୍ୟାସ ଓ ଏ ସଂପର୍କରେ ସେମାନଙ୍କର ଧାରଣାକୁ ନେଇ ଏହି ସର୍ଭେକ୍ଷଣ କରାଯାଇଥିବା ଏହି ସର୍ଭେରେ ଆଉ ଏକ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି ଯେ,ପରଦାରେ କଳାକାର ମାନଙ୍କର ଧୂମପାନ ଦେଖି ଛାତ୍ରଛାତ୍ରୀମାନେ ସେଥିପ୍ରତି ଆକର୍ଷିତ ହେଉଛନ୍ତି।୮୯ ପ୍ରତିଶତ ଛାତ୍ରଛାତ୍ରୀ ମତ ହେଲା ଧୂମପାନ ବିରୋଧରେ ହେଉଥିବା ଅଭିଯାନରେ ସେଲିବ୍ରିଟିମାନେ ସାମିଲ ହେଲେ,ସେମାନଙ୍କୁ ଧୂମପାନରୁ ବିରତ ହେବା ଲାଗି ସହାୟତା ମିଳିବ।
ଏଠାରେ ସୂଚନାଯୋଗ୍ୟ ଯେ,ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆକଳନ ଅନୁଯାୟୀ,ପ୍ରତି ବର୍ଷ ଧୂମପାନ ଯୋଗୁଁ ୭୦ ଲକ୍ଷ ଲୋକ ମୃତ୍ୟୁବରଣ କରୁଛନ୍ତି।

ସମ୍ବନ୍ଧିତ ଖବର