ବିନ୍ଦିର ଚମକ: ୨ ହଜାରରୁ ଅଧିକ ଡିଜାଇନ୍‌

ପୂର୍ବରୁ ବିବାହିତା ମହିଳାମାନେ ମଥାରେ ସିନ୍ଦୂର ଏବଂ ଝିଅମାନେ କୁଙ୍କୁମ ଲଗାଉଥିଲେ। ଧୀରେ ଧୀରେ ଏହି ଧାରାରେ ପରିବର୍ତ୍ତନ ଆସିଯାଇଛି। ସିନ୍ଦୂର ଓ କୁଙ୍କୁମ ବଦଳରେ ଝିଅ ଏବଂ ମହିଳାମାନେ ଏବେ ମଥାରେ ବିନ୍ଦି ଲଗାଉଛନ୍ତି। ଫଳରେ ବିନ୍ଦି ଏକ ବଡ଼ ବ୍ୟବସାୟରେ ପରିଣତ ହୋଇଯାଇଛି। ବିନ୍ଦି ନିର୍ମାତାଙ୍କ କହିବାନୁଯାୟୀ, ଏ କ୍ଷେତ୍ରରେ ବ୍ୟବସାୟର ବ୍ୟାପକ ସୁଯୋଗ ରହିଛି। ପୂର୍ବାପେକ୍ଷା ମହିଳାମାନେ ଏବେ ବିନ୍ଦି କିଣିବାରେ ଅଧିକ ଅର୍ଥ ଖର୍ଚ୍ଚ କରୁଛନ୍ତି। ଏପରିକି ଜଣେ ଜଣେ ମହିଳା ଗ୍ରାହକ ଏକାଥରେ ୨ ହଜାର ଟଙ୍କା ଲେଖାଏଁର ବିନ୍ଦି କିଣୁଛନ୍ତି । ଅନେକ ମହିଳା ପାଶ୍ଚାତ୍ୟ ଡିଜାଇନ୍‌ର ପୋଷାକ ପିନ୍ଧୁଥିଲେ ମଧ୍ୟ ବିନ୍ଦିର ବ୍ୟବହାର ଛାଡ଼ିନାହାନ୍ତି। ଓଡ଼ିଆ ମହିଳାମାନେ ପରମ୍ପରାକୁ ବଜାୟ ରଖିବା ଲାଗି ତୃତୀୟ ନୟନର ଉପର ଆଡ଼କୁ କପାଳରେ ବିନ୍ଦି ଲଗାଇବା ଦେଖିବାକୁ ମିଳିଥାଏ। ବିନ୍ଦିକୁ ନେଇ ଆମର ଏହି ସ୍ୱତନ୍ତ୍ର ଉପସ୍ଥାପନା:

ବଜାରରେ ପ୍ରାୟ ଦୁଇ ହଜାରରୁ ଅଧିକ ଡିଜାଇନ୍‌ର ବିନ୍ଦି ଉପଲବ୍ଧ ହେଉଛି। ବୟସ ଏବଂ ପସନ୍ଦ ଅନୁସାରେ ମହିଳାମାନେ ଭିନ୍ନ ଭିନ୍ନ ଡିଜାଇନ୍‌ ଓ ଫେସନ୍‌ର ବିନ୍ଦି କିଣୁଛନ୍ତି।
ଦାମ୍‌ ୨ ଟଙ୍କାରୁ ଆରମ୍ଭ
ବିନ୍ଦି ପ୍ୟାକେଟ୍‌ର ମୂଲ୍ୟ ବଜାରରେ ୨ ଟଙ୍କାରୁ ଆରମ୍ଭ ହୋଇଯାଉଛି। ସାଧାରଣ ଛୋଟ ପ୍ୟାକେଟ ବିନ୍ଦିର ମୂଲ୍ୟ ୨ ଟଙ୍କା ଏବଂ ୫ ଟଙ୍କା ହୋଇଥିବାବେଳେ ବଡ଼ ପ୍ୟାକେଟ୍‌ ବିନ୍ଦିର ମୂଲ୍ୟ ୧୦ ଟଙ୍କା ଓ ୧୫ ଟଙ୍କାରୁ ଆରମ୍ଭ ହେଉଛି। ଦୈନନ୍ଦିନ ବ୍ୟବହାର ପାଇଁ ଉପଲବ୍ଧ ବିନ୍ଦିର ମୂଲ୍ୟ କମ୍‌ ଥିବାବେଳେ ପାର୍ଟି ଏବଂ ବିଭିନ୍ନ ପ୍ରକାର ଉତ୍ସବ ପାଇଁ ରହିଥିବା ବିନ୍ଦିର ଦାମ୍‌ ଅପେକ୍ଷାକୃତ ଭାବେ ଅଧିକ ରହିଛି। ଏତଦ୍‌ବ୍ୟତୀତ ବିବାହ ଭଳି ସ୍ୱତନ୍ତ୍ର ଉତ୍ସବ ପାଇଁ ଉପଲବ୍ଧ ବିନ୍ଦିର ଦାମ୍‌ ଉଚ୍ଚା ରହିଛି। ସେଗୁଡ଼ିକର ମୂଲ୍ୟ ପ୍ରାୟ ୧୦୦ ଟଙ୍କାରୁ ଆରମ୍ଭ କରି ଦୁଇ ଶହ ଟଙ୍କା ପର୍ଯ୍ୟନ୍ତ ରହିଛି।

ସମ୍ବନ୍ଧିତ ଖବର