ଟାଟୁ ଟ୍ରେଣ୍ଡ୍‌ରେ ଥ୍ରିଡି

ଭୁବନେଶ୍ୱର: ଦିନେ ଏକ ବିଶ୍ୱାସରୁ ଜନ୍ମ ନେଇଥିବା ଚିତାକୁଟା ପରମ୍ପରା ଏବେ ଟାଟୁର ରୂପ ନେଇଛି। ଯୁଗ ବଦଳିଛି। କିନ୍ତୁ ପୁରୁଣା ଟ୍ରେଣ୍ଡ୍‌ ନିଆରା ରୂପରେ ଚମକ ଆଣିଛି। ଯୁବପିଢ଼ିଙ୍କୁ ମୋହଗ୍ରସ୍ତ କରିଛି ରକମ ରକମର ରଙ୍ଗିନ୍‌ ଟାଟୁ। ଏ କ୍ଷେତ୍ରରେ ଭୁବନେଶ୍ୱର ପାଲଟିଛି ଓଡ଼ିଶାର ଟାଟୁ ହବ୍‌। ପାଣି ରଙ୍ଗ, ପ୍ରାକୃତିକ ରଙ୍ଗ, କଷ୍ଟମାଇଜ୍‌ଡ ଡିଜାଇନ୍‌ ଏବଂ ଜଟିଳ ଆକୃତିର ଟାଟୁ ଆଙ୍କିବାକୁ ଯୁବପିଢ଼ିଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ପରିଲକ୍ଷିତ ହେଉଛି। ତେବେ ନିକଟରେ ପ୍ରବେଶ କରିଥିବା ଥ୍ରିଡି ଟାଟୁର ଚାହିଦା ଏବେ ଢେର। ଥ୍ରିଡି ରଙ୍ଗରେ ବୁଢ଼ିଆଣି ହେଉ କି ପୋଟ୍ରେଟ୍‌ (କୌଣସି ବ୍ୟକ୍ତିଙ୍କ ମୁହଁ) ଭିନ୍ନ ଏକ ଚମକ ସୃଷ୍ଟି କରୁଛି। କେବଳ କଲେଜ୍‌ ପଢ଼ୁଆ ଯୁବପିଢ଼ିଙ୍କ ମଧ୍ୟରେ ଏହା ସୀମିତ ନାହିଁ। ବରଂ ଡାକ୍ତର, ଇଂଜିନିୟର, ସ୍ଥପତି, ଚାଟାର୍ଡ ଆକାଉଣ୍ଟାଣ୍ଟ୍‌, ବଡ଼ବଡ଼ ବ୍ୟବସାୟୀଙ୍କ ସଉକକୁ ଟାଟୁ ଟ୍ରେଣ୍ଡ୍‌ କବଳିତ କରିଛି। ଆଗରୁ ନାଁ’ଲେଖାରେ ସୀମିତ ଥିବା ଟାଟୁ ଏବେ ଗୋଟେଗୋଟେ କାହାଣୀ ବୟାନ କରିପାରୁଛି। ନିକଟରେ ନବକଳେବରର କାହାଣୀକୁ ଟାଟୁରେ ବ୍ୟକ୍ତ କରି ଅନନ୍ତ ନାମକ ଜଣେ ବ୍ୟକ୍ତି ଚର୍ଚାରେ ରହିଥିବା ବେଳେ କିଛି ଯୁବକ ନିଜ ବାପା ମା’ଙ୍କ ଚିତ୍ରକୁ ଟାଟୁ ରୂପରେ ବାହୁରେ ଓ ଛାତିରେ ଉତାରୁଛନ୍ତି। ମଣିଷ ନିଜକୁ ସର୍ବଦା ନିଆରା ରୂପରେ ଉପସ୍ଥାପନ କରିବାର ନିଶାରେ ଚୂର୍‌ ଥିବା ବେଳେ ଟାଟୁ ଏ କ୍ଷେତ୍ରରେ ପାଲଟିଛି ଏକ ନିଆରା ବିକଳ୍ପ।

ଟାଟୁ ଦୁଇ ରକମର। ସୀମିତ ସମୟ ପାଇଁ ଏବଂ ଅନ୍ୟଟି ସାର ଜୀବନ ପାଇଁ। ସୀମିତ କାଳ ପାଇଁ କରାଯାଉଥିବା ଟାଟୁ ୧ରୁ ୧୦ ଦିନ ପର୍ଯ୍ୟନ୍ତ ରହେ। ଯାହାର ଦର ୨୦୦ରୁ ୫ହଜାର ଟଙ୍କା। ସାରା ଜୀବନ ପାଇଁ କରାଯାଉଥିବା ଟାଟୁ ୧ହଜାର ଟଙ୍କାରୁ ଆରମ୍ଭ। ୧ହଜାର ପରେ ପ୍ରତି ବର୍ଗ ଇଞ୍ଚ ପାଇଁ କଳା ଓ ଧୂସର ଟାଟୁ ପାଇଁ ୫୦୦ ଟଙ୍କା ଏବଂ ରଙ୍ଗିନ ଟାଟୁ ପାଇଁ ବର୍ଗ ଇଞ୍ଚ ପିଛା ୮୦୦ ଟଙ୍କା ବ୍ୟୟ କରିବାକୁ ପଡ଼େ।

ସ୍କାଇଭାସ୍‌ ଷ୍ଟୁଡିଓର ଓମ୍‌ ଆଚାର୍ଯ୍ୟଙ୍କ କହିବା ମୁତାବକ ବେଳେବେଳେ ବହୁ ଯୁବପିଢ଼ି ଟାଟୁ ଆଙ୍କିବାକୁ ଆସନ୍ତି। କିନ୍ତୁ କ’ଣ ଆଙ୍କିବେ ଜାଣନ୍ତି ନାହିଁ। ତେଣୁ ତାଙ୍କର ସ୍ୱଭାବ ଦେଖି ସୁହାଇବା ଭଳି ଚିତ୍ରଟିଏ ଆଙ୍କିବାକୁ ପଡ଼େ। ସେ ଏକଥା ବି କହିଛନ୍ତି, ଜଣେ ସିଦ୍ଧ ଓ ସାର୍ଟିଫାଏଡ୍‌ ଟାଟୁ ଶିଳ୍ପୀ ନିକଟରେ ଟାଟୁ ଆଙ୍କିବା ଦରକାର। ଟାଟୁ ଏମିତି ଏକ କଳା ଯାହା ଆଙ୍କିବା ବେଳେ କିଛି ପରିମାଣରେ ଯନ୍ତ୍ରଣା ସହିବାକୁ ପଡ଼େ। କିନ୍ତୁ ଯଦି କେହି ତାକୁ ପରେ ଛଡ଼େଇବାକୁ ଚାହେଁ ତାହା ବହୁତ ଯନ୍ତ୍ରଣାଦାୟକ ଏବଂ ବ୍ୟୟସାପେକ୍ଷ। ତେଣୁ ଟାଟୁ ଆଙ୍କିବା ପୂର୍ବରୁ ସାବଧାନତା ଜରୁରି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର