ଏଜିଆର୍ ବିବାଦ: ୩ କମ୍ପାନି ଦାଖଲ କଲେ ୧୪୬୯୦ କୋଟି

ନୂଆଦିଲ୍ଲୀ: ଏଜିଆର୍ (ଆଡଜ‌ଷ୍ଟେଡ୍ ଗ୍ରସ୍ ରେଭିନ୍ୟୁ) ମାମଲାରେ ସୁପ୍ରିମ୍ କୋର୍ଟ ଉଭୟ କେନ୍ଦ୍ର ସରକାର ଏବଂ ଟେଲିକମ୍ କମ୍ପାନି ଗୁଡ଼ିକ ଉପରେ ପ୍ରବଳ ମାତ୍ରାରେ ବର୍ଷିବା ପରେ ୩ଟି କମ୍ପାନି ଆଜି ୧୪୬୯୦ କୋଟି ଟଙ୍କା ଟେଲିକମ୍ ବିଭାଗ (ଡଟ୍) ନିକଟରେ ଜମା କରିଛନ୍ତି। ଭାରତୀ ଏୟାରଟେଲ୍ ୧୦ ହଜାର କୋଟି ଟଙ୍କା ଜମା କରିଛି। ଭାରତୀ ଏୟାରଟେଲ୍ ଏହାର ୩ଟି କମ୍ପାନି ପାଇଁ ଏହି ରାଶି ଜମା କରିଛି। ଅନ୍ୟ ଦୁଇଟି କମ୍ପାନି ହେଲା ଭାରତୀ ହେକ୍ସାକମ୍ ଏବଂ ଟେଲିନର। ସେହିଭଳି ଭୋଡାଫୋନ ଆଇଡିଆ ୨୫୦୦ କୋଟି ଟଙ୍କା ଦାଖଲ କରିଥିବାବେଳେ ଟାଟା ଟେଲିସ‌ର୍ଭି‌ସେସ୍ ୨୧୯୦ କୋଟି ଟଙ୍କା ଜମା କରିଛି।

ଏହି ପରିପ୍ରେକ୍ଷୀରେ ଭାରତୀ ଏୟାରଟେଲ୍ କହିଛି, ଆମେ ଏବାବଦରେ କେତେ ରାଶି ଦେବାକୁ ହେବ ସେ ନେଇ ଆକଳନ ଚଳାଇଛୁ। ଅବିଶିଷ୍ଟ ରାଶିକୁ ଖୁବ୍‌ଶୀଘ୍ର ପ୍ରଦାନ କରିବୁ ବୋଲି କମ୍ପାନି କହିଛି। ସୁପ୍ରିମ କୋର୍ଟରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପୂର୍ବରୁ କମ୍ପାନି ଏ ବାବଦ ରାଶି ଜମା କରିବା ସମ୍ଭାବନା ରହିଛି। ସରକାରଙ୍କ ଆକଳନ ଅନୁଯାୟୀ, ଏୟାରଟେଲକୁ ୩୫,୫୮୬ କୋଟି ଟଙ୍କା ଜମା କରିବାକୁ ପଡ଼ିବ। ଏଥିରେ ଲାଇସେନ୍ସ ଫି ଏବଂ ସ୍ପେକ୍ଟ୍ରମ ଚାର୍ଜ ରହିଛି। ଆଜି କମ୍ପାନି ଯେଉଁ ୧୦ ହଜାର କୋଟି ଟଙ୍କା ଦାଖଲ କରିଛି ସେଥିରୁ ଭାରତୀ ଏୟାରଟେଲ ଓ ଏହା ସହ ମିଶିଯାଇଥିବା ଟେଲିନର ପାଇଁ ୯୫୦୦ କୋଟି ଏବଂ ‌ଭାରତୀ ହେକ୍ସାକମ୍ ପାଇଁ ୫୦୦ କୋଟି ଟଙ୍କା ଜମା କରିଛି। କମ୍ପାନି ୨୦ ତାରିଖ ସୁଦ୍ଧା ୧୦ ହଜାର କୋଟି ଟଙ୍କା ଜମା କରିବ ବୋଲି ଗତ ଶୁକ୍ରବାର କହିଥିଲା।

ଭୋଡା‌‌ଫୋନ୍ ଆଜି ୨୫୦୦ କୋଟି ଟଙ୍କା ଜମା କରିଥିଲେ ବି ଚଳିତ ସପ୍ତାହରେ ଆଉ ୧୦୦୦ କୋଟି ଟଙ୍କା ଟଙ୍କା ଜମା କରିବ ବୋଲି କହିଛି। ଭୋଡାଫୋନ ଠାରୁ ସରକାର ଏଜିଆର୍ ବାବଦରେ ପ୍ରାୟ ୫୩ ହଜାର କୋଟି ଟଙ୍କା ଦାବି କରିଛନ୍ତି। ଟାଟଶ ଟେଲିସର୍ଭିସେସ ଲିମିଟେଡ ଏବଂ ଟାଟା ଟେଲିସର୍ଭିସେସ (ମହାରାଷ୍ଟ୍ର) ଲିମିଟେଡ ପକ୍ଷରୁ ଉପରୋକ୍ତ ୨୧୯୦ କୋଟି ଟଙ୍କା ଜମା କରାଯାଇଛି। ଏଜିଆର ମାମଲାରେ ୧୫ଟି କମ୍ପାନିକୁ ପ୍ରାୟ ୧ ଲକ୍ଷ ୪୭ ହଜାର କୋଟି ଟଙ୍କା ଦେବାକୁ ପଡ଼ିବ। ଏଥିରୁ ୯୨୬୪୨ କୋଟି ଟଙ୍କା ଲାଇସେନ୍ସ ଫି ବାବଦରେ ଦେବାକୁ ଥିବାବେଳେ ୫୫୦୫୪ କୋଟି ଟଙ୍କା ସ୍ପେକ୍ଟ୍ରମ ବ୍ୟବହାର ଚାର୍ଜ ବାବଦରେ ଦେବାକୁ ହେବ।

ସମ୍ବନ୍ଧିତ ଖବର