ଏପ୍ରିଲରୁ ବ୍ୟାଙ୍କ ମିଶ୍ରଣ କାର୍ଯ୍ୟକାରୀ ହେବା ନେଇ ସନ୍ଦେହ, ଅଗଷ୍ଟରେ ଅର୍ଥମନ୍ତ୍ରୀ କରିଥି‌ଲେ ମିଶ୍ରଣ ଘୋଷଣା

ନୂଆଦିଲ୍ଲୀ: ଏପ୍ରିଲ ପହିଲା ଆଉ ଅଳ୍ପଦିନ ବାକି ଅଛି। ଏପ୍ରିଲ ପହିଲାରୁ ଦେଶର ୧୦ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ମିଶାଇ ୪ଟି ବ୍ୟାଙ୍କରେ ପରିଣତ କରିବା ଲାଗି ଯେଉଁ ଘୋଷଣା ଗତବର୍ଷ ଅଗଷ୍ଟରେ ଅର୍ଥମନ୍ତ୍ରୀ କରିଥିଲେ ତାହା ଏତେ ଅଳ୍ପଦିନ ମଧ୍ୟରେ କାର୍ଯ୍ୟକାରୀ ହେବା ନେଇ ସନ୍ଦେହ ଦେଖାଦେଇଛି। କାରଣ ଏ ନେଇ ରହିଥିବା ଅନେକ ଆନୁଷ୍ଠାନିକ କାର୍ଯ୍ୟ ଏପର୍ଯ୍ୟନ୍ତ ସମ୍ପାଦନ ହୋଇପାରି ନାହିଁ। ବ୍ୟାଙ୍କ ମିଶ୍ରଣକୁ କ୍ୟାବିନେଟ୍ ମଞ୍ଜୁରି ମିଳି ସାରିଥିଲେ ବି ବ୍ୟାଙ୍କ ଗୁଡ଼ିକର ସେୟାର ଅଦଳବଦଳ ଅନୁପାତ, ଅଂଶଧନଧାରୀଙ୍କ ସମ୍ମତି ଏବଂ ଅନ୍ୟାନ୍ୟ ନିୟାମକ ମଞ୍ଜୁରି ପାଇଁ ଅତିକମ୍‌ରେ ୩୦ରୁ ୪୫ ଦିନ ସମୟ ଲାଗିବ ବୋଲି କୁହାଯାଉଛି।

ତେବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ପକ୍ଷରୁ ଆସନ୍ତା ୩ରୁ ୫ ବର୍ଷ ପାଇଁ ବ୍ୟାଙ୍କ ଗୁଡ଼ିକର ଆର୍ଥିକ ଆକଳନ ସମ୍ପର୍କରେ ତଥ୍ୟ ମଗାଯାଇଥିବା ତଥ୍ୟାଭିଜ୍ଞ ମହଲ ମତ ଦେଇଛନ୍ତି। ସେହିଭଳି ଅନାଦାୟ ଋଣ (ଏନ୍‌ପିଏ), ପୁଞ୍ଜି ଆବଶ୍ୟକତା, ଋଣ ଅଭିବୃଦ୍ଧି ଏବଂ ମିଶ୍ରଣ ଫଳରେ ଖର୍ଚ୍ଚ କେତେମାତ୍ରାରେ ହ୍ରାସ ପାଇବ ସେସବୁ ତଥ୍ୟ ମଧ୍ୟ ମଗାଯାଇଛି। ‌ଏତେ କମ୍ ସମୟ ମଧ୍ୟରେ ଏସବୁ ତଥ୍ୟ ସମେତ ନିୟାମକ ସଂସ୍ଥା ଗୁଡ଼ିକର ମଞ୍ଜୁରି ମିଳିବା ସମ୍ଭବ ନୁହେଁ ବୋଲି କେତେକ ବ୍ୟାଙ୍କର୍‌ ମତ ଦେଇଛନ୍ତି। ତେଣୁ ବର୍ତ୍ତମାନ ପରିସ୍ଥିତିରେ ଆସନ୍ତା ଏପ୍ରିଲ ପହିଲାରୁ ବ୍ୟାଙ୍କର ମହାମିଶ୍ରଣ ବାସ୍ତବ ରୂପ ନେବ ବୋଲି କୁହାଯାଇ ପାରିବ ନାହିଁ। ନିୟାମକ ସଂସ୍ଥାର ମଞ୍ଜୁରି ମିଳିବା ବ୍ୟତୀତ ମିଶ୍ରଣ ଯୋଜନାକୁ ସଂସଦରେ ଆଗତ କରାଯିବ। ଏହି ପ୍ରସ୍ତାବକୁ ସଦସ୍ୟମାନଙ୍କୁ ପଢ଼ିବା ପାଇଁ ୩୦ ଦିନର ସମୟ ଦିଆଯିବ। ବଜେଟ ଅଧିବେଶନର ଦ୍ବିତୀୟାର୍ଦ୍ଧ ଆସନ୍ତା ମାର୍ଚ୍ଚ ୨ ତାରିଖରୁ ଆରମ୍ଭ ହେଉଥିବାରୁ ଉକ୍ତ ପ୍ରସ୍ତାବ ଗୃହୀତ ହେବାକୁ ନେଇ ଆଶଙ୍କା ଦେଖାଦେଇଛି।

ଗତବର୍ଷ ଅଗଷ୍ଟରେ ଘୋଷଣା ହୋଇଥିବା ବ୍ୟାଙ୍କ ମିଶ୍ରଣ ଯୋଜନା ଅନୁଯାୟୀ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସହିତ ୟୁନାଇଟେଡ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍ କମର୍ସ ମିଶିବ। ଏଥିସହିତ ସିଣ୍ଡିକେଟ୍ ବ୍ୟାଙ୍କର ମିଶ୍ରଣ କାନାରା ବ୍ୟାଙ୍କ ସହିତ ହେବାକୁ ଥିବାବେଳେ ଆଲ୍ଲାହାବାଦ ବ୍ୟାଙ୍କର ମିଶ୍ରଣ ଇଣ୍ଡିଆନ୍ ବ୍ୟାଙ୍କ ସହିତ ହେବ। ସେହିଭଳି ଆନ୍ଧ୍ରା ବ୍ୟାଙ୍କ ଏବଂ କର୍ପୋରେସନ ବ୍ୟାଙ୍କର ମିଶ୍ରଣ ୟୁନିୟନ ବ୍ୟାଙ୍କ ସହିତ ହେବ। ବରିଷ୍ଠ ବ୍ୟାଙ୍କ ଅଧିକାରୀଙ୍କ କହିବାନୁଯାୟୀ, ବ୍ୟାଙ୍କ ଅଫ୍ ବରୋଦା ସହିତ ଦେନା ବ୍ୟାଙ୍କ ଓ ବିଜୟା ବ୍ୟାଙ୍କର ମିଶ୍ରଣ ଗତ ୧୦ ମାସ ପୂର୍ବରୁ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସୂଚନା ପ୍ରଯୁକ୍ତି ମଧ୍ୟରେ ସମନ୍ବୟ ଅଣାଯାଇପାରି ନାହିଁ। ସେହିଭଳି ମାନବସମ୍ବଳ ଜନିତ ସମସ୍ୟା ମଧ୍ୟ ରହିଛି। ଏହାଦ୍ବାରା ଗ୍ରାହକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଅଧିକାରୀମାନେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର