ବିଟ୍‌କଏନ୍‌ ଚୋରକୁ ଧରିବା ପାଇଁ ୨ କୋଟିର ପୁରସ୍କାର ଘୋଷଣା

ନୂଆଦିଲ୍ଲୀ: ଚୋରି ହୋଇଥିବା ୨୦ କୋଟି ଟଙ୍କାର ବିଟ୍‌କଏନ୍‌କୁ ଉଦ୍ଧାର କରିବାରେ ଯିଏ ସମର୍ଥ ହେବ ତାହାକୁ ୨ କୋଟି ଟଙ୍କାର ପୁରସ୍କାର ମିଳିବ। କ୍ରିପ୍ଟୋକରେନ୍ସି ଏକ୍ସଚେଞ୍ଜ କଏନ୍‌ସିକ୍ୟୋର ପକ୍ଷରୁ ଆଜି ଏହି ଘୋଷଣା କରାଯାଇଛି। ଏହି ଡିଜିଟାଲ ମୁଦ୍ରା ଏକ୍ସଚେଞ୍ଜ ପକ୍ଷରୁ କୁହାଯାଇଛି ଯେ, ଏହାର ବିଟ୍‌କଏନ୍‌ ଓ୍ଵପାଲେଟ୍‌ରେ ରହିଥିବା ମୁଦ୍ରା ମଧ୍ୟରୁ ୩ ନିୟୁତ ଡଲାର ( ପ୍ରାୟ ୨୦ କୋଟି ଟଙ୍କା) ହଜିଯାଇଛି। କଏନ୍‌ସିକ୍ୟୋରର ପ୍ଲାଟଫର୍ମରେ ଦିନକୁ ୨ ଲକ୍ଷରୁ ଅଧିକ ଲୋକ କାରବାର କରୁଛନ୍ତି। ପାସ୍‌ଓ୍ଵାର୍ଡ ଦ୍ୱାରା ସୁରକ୍ଷିତ ହୋଇ ଭର୍ଚୁଆଲ ଓ୍ଵାଲେଟ୍‌ରେ ରଖାଯାଇ ଥିବା ପ୍ରାୟ ୪୩୮ଟି ବିଟ୍‌କଏନ୍‌କୁ ଇଣ୍ଟରନେଟ୍‌ ମାଧ୍ୟମରେ କୌଣସି ଅଜଣା ସ୍ଥାନକୁ ସ୍ଥାନାନ୍ତର କରି ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଏକ୍ସଚେଞ୍ଜ ପକ୍ଷରୁ କୁହାଯାଇଛି ଯେ, ହ୍ୟାକରକୁ ଚିହ୍ନଟ କରିବାରେ କିମ୍ବା ବିଟ୍‌କଏନ୍‌ ପୁନରୁଦ୍ଧାରରେ ଯିଏ ସାହାଯ୍ୟ କରିପାରିବ ତାଙ୍କୁ ୧୦ ପ୍ରତିଶତ ବିଟ୍‌କଏନ୍‌ ପୁରସ୍କାର ଆକାରରେ ପ୍ରଦାନ କରାଯିବ। ତେବେ ବିଟ୍‌କଏନ୍‌ ହରାଇଥିବା ବ୍ୟକ୍ତିଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ପୂର୍ବରୁ କଏନ୍‌ସିକ୍ୟୋର ଘୋଷଣା କରିସାରିଛି।

ସମ୍ବନ୍ଧିତ ଖବର