କୋଠାରି ବାପ, ପୁଅଙ୍କୁ ସିବିଆଇର ଜେରା

ନୂଆଦିଲ୍ଲୀ: ସିବିଆଇ ମୁଖ୍ୟ କାର୍ଯ୍ୟାଳୟରେ ରୋଟୋମ୍ୟାକ୍‌ କଂପାନିର ମାଲିକ ବିକ୍ରମ କୋଠାରି ଏବଂ ତାଙ୍କ ପୁଅ ରାହୁଲ କୋଠାରିଙ୍କୁ ଜେରା କରାଯାଇଛି। ଠକେଇ ବିଷୟରେ ଜଣାପଡ଼ିବା ପରେ କୋଠାରିଙ୍କୁ ପ୍ରଥମେ କାନପୁରରେ ଜେରା କରାଯାଇଥିଲା। ଏହା ପରେ ତାଙ୍କୁ ଦିଲ୍ଲୀ ଆସିବାକୁ କୁହାଯାଇଥିଲା। ସାତଟି ବ୍ୟାଙ୍କରୁ ୩୬୯୫ କୋଟି ଟଙ୍କାର ଋଣ ଠକେଇ କରିଥିବା ଅଭିଯୋଗ କୋଠାରିଙ୍କ ବିରୋଧରେ ହୋଇଛି। ତାଙ୍କ ବିରୋଧରେ ଇଡି ପକ୍ଷରୁ ମନି ଲଣ୍ଡରିଂ ମାମଲା ମଧ୍ୟ ଦାୟର କରାଯାଇଛି। ତାଙ୍କ ବିଦେଶ ଗସ୍ତକୁ ଅଟକାଇବା ପାଇଁ ଇଡି ପକ୍ଷରୁ ସମସ୍ତ ବିମାନ ବନ୍ଦରକୁ ସୂଚନା ଦିଆଯାଇଛି। ଆୟକର ବିଭାଗ ପକ୍ଷରୁ ଆଜି କାନପୁର ଏବଂ ଅହମ୍ମଦାବାଦରେ ଥିବା କୋଠାରିଙ୍କ ଚାରି ସମ୍ପତ୍ତି ଜବତ କରାଯାଇଛି। ଏହି ସବୁ ସମ୍ପତ୍ତିର ମୂଲ୍ୟ ୮୫ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ପୂର୍ବରୁ କୋଠାରିଙ୍କ ୧୪ଟି ବ୍ୟାଙ୍କ ଖାତା ଜବତ ହୋଇଥିଲା।

୨୦୧୫ରୁ ରୋଟୋମ୍ୟାକ୍‌ ଠକେଇ କଥା ଜାଣିଥିଲା ବ୍ୟାଙ୍କ

ନୂଆଦିଲ୍ଲୀ: ରୋଟୋମ୍ୟାକ୍‌ ମାଲିକ ବିକ୍ରମ କୋଠାରିଙ୍କ ଠକେଇ ବିଷୟରେ ବ୍ୟାଙ୍କ ଅଫ୍‌ ବରୋଦା ୨୦୧୫ରୁ ସୂଚନା ପାଇସାରିଥିଲା। କିନ୍ତୁ ଏବିଷୟରେ ବ୍ୟାଙ୍କ ପକ୍ଷରୁ ଗତ ରବିବାର ତଦନ୍ତ ଏଜେନ୍ସିକୁ ସୂଚନା ଦିଆଯାଇଥିଲା। ନିରବ ମୋଦି ଦେଶ ଛାଡ଼ି ଚାଲିଯିବା ଖବର ପ୍ରଚାରିତ ହେବା ପରେ ବ୍ୟାଙ୍କ ଭାବିଥିଲା ଯେ ବିକ୍ରମ ମଧ୍ୟ ଦେଶ ଛାଡ଼ି ଚାଲିଯାଇପାରନ୍ତି। ସେଥିପାଇଁ ବ୍ୟାଙ୍କ ପକ୍ଷରୁ ତଦନ୍ତ ଏଜେନ୍ସିକୁ ଅବଗତ କରାଯାଇଥିଲା। ରାଟୋମ୍ୟାକ୍‌ ଗ୍ଲୋବାଲ୍‌୍‌କୁ ପ୍ରଦାନ କରାଯାଇଥିବା ୪୩୫ କୋଟି ଟଙ୍କାର ଋଣକୁ ବ୍ୟାଙ୍କ ପକ୍ଷରୁ ୨୦୧୫ ଅକ୍ଟୋବରରେ ଏନ୍‌ପିଏ ଘୋଷଣା କରାଯାଇଥିଲା ଏବଂ ୨୦୧୭ ଡିସେମ୍ବରରେ ତାହାକୁ ‘ଠକେଇ’ ବର୍ଗରେ ସାମିଲ କରାଗଲା। ସିବିଆଇ ପାଖରେ ବ୍ୟାଙ୍କ ଦାୟର କରିଥିବା ଏତଲାରେ ଦର୍ଶାଇଥିଲା ଯେ, ରୋଟୋମ୍ୟାକ୍‌ ଠକେଇ ବହୁତ ବଡ଼ ଧରଣର। ଆମେ ଭାବୁଛୁ କଂପାନିର ନିର୍ଦେଶକ ଏବଂ ଗ୍ୟାରେଣ୍ଟର ଦେଶ ଛାଡ଼ି ଚାଲିଯାଇପାରନ୍ତି। ଯଦି ସେଭଳି ହେବ ତେବେ ସେମାନଙ୍କୁ ଦେଶକୁ ଫେରାଇ ଆଣିବା ଏବଂ ଟଙ୍କା ଫେରିପାଇବା କଷ୍ଟକର ହୋଇପଡ଼ିବ। ବିକ୍ରମ, ତାଙ୍କ ପତ୍ନୀ ଓ ପୁଅଙ୍କ ପାସପୋର୍ଟ ଜବତ କରିବାକୁ ବ୍ୟାଙ୍କ ପକ୍ଷରୁ କୁହାଯାଇଥିଲା। ପ୍ରଚଳିତ ନିୟମ ଅନୁସାରେ, ବଡ଼ ଧରଣର ଠକେଇ ଜଣାପଡ଼ିବା ପରେ ବ୍ୟାଙ୍କ ତୁରନ୍ତ ସେ ବିଷୟରେ ସିବିଆଇ, ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଏବଂ କେନ୍ଦ୍ରୀୟ ଭିଜିଲାନ୍‌ସ କମିସନ (ସିଭିସି)କୁ ସୂଚନା ଦେବା କଥା। ରୋଟୋମ୍ୟାକ୍‌ ଠକେଇ ମାମଲାରେ ଏହି ନିୟମକୁ ଠିକ୍‌ ଭାବେ ପାଳନ କରାଯାଇନାହିଁ।

ସମ୍ବନ୍ଧିତ ଖବର