ଡାଭୋସ୍‌ ସମ୍ମିଳନୀ ଆଜିଠାରୁ: ଯୋଗଦେବେ ଭାରତର ୧୦୦ ସିଇଓ

ଟ୍ରମ୍ପ୍, ପୁଟିନ୍‌, ଥେରେସା ଭାଗ ନେବେନି

ଡାଭୋସ୍‌: ଆସନ୍ତାକାଲି ଠାରୁ ସ୍ବିଜରଲ୍ୟାଣ୍ଡ୍‌ର ଡାଭୋସ୍‌ ଠାରେ ବିଶ୍ବ ଅର୍ଥନୈତିକ ‌ଫୋରମ୍ (ଡବ୍‌ଲ୍ୟୁଇଏଫ୍‌)ର ପାଞ୍ଚଦିନିଆ ସମ୍ମିଳନୀ ଆରମ୍ଭ ହେବ। ଏଥିରେ ଭାରତର ୧୦୦ରୁ ଅଧିକ ସିଇଓ ‌ଯୋଗ ଦେବେ। ଗୌତମ ଆଦାନି, ମୁକେଶ ଅମ୍ବାନି, ସଞ୍ଜୀବ ବଜାଜ, ଏନ୍ ଚନ୍ଦ୍ରଶେଖରନ୍, ସଜ୍ଜନ ଜିନ୍ଦଲ, ଆନନ୍ଦ ମହିନ୍ଦ୍ରା, ସୁନିଲ ମିତ୍ତଲ, ନନ୍ଦନ ନିଲେକାନି, ସଲିଲ୍‌ ପାରେଖ, ଅଜିମ୍ ପ୍ରେମ୍‌ଜୀ, ରବି ରୁଇୟା ଏବଂ ଅଜୟ ସିଂହଙ୍କ ଭଳି ବିଶିଷ୍ଟ ଉଦ୍ୟୋଗପତି ଏଥିରେ ସାମିଲ ହେବେ। ଚଳିତ ବର୍ଷର ଏହି ସମ୍ମିଳନୀ ସାମାନ୍ୟ ଫିକା ରହିବ କାରଣ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍, ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍, ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ଥେରେସା ମେ’ ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍‌ ମାକ୍ରୋନ ଯୋଗଦେବେ ନାହିଁ। ତେଣୁ ବିଶ୍ବ ଅର୍ଥନୀତିରେ ‌ଏବେ ଯେଉଁ ସମସ୍ୟା ଲାଗି ରହିଛି ତାହାକୁ ନେଇ ଆଲୋଚନା ଏତେଟା ପ୍ରଭାବଶାଳୀ ହେବ ନାହିଁ ବୋଲି କୁହାଯାଉଛି। ଅବଶ୍ୟ ଜର୍ମାନି, ଜାପାନ, ଇସ୍ରାଏଲ୍‌ ଭଳି ୩୦ରୁ ଅଧିକ ଦେଶର ରାଷ୍ଟ୍ରମୁଖ୍ୟ ଏହି ସମ୍ମିଳନୀରେ ଅଂଶଗ୍ରହଣ କରି ବିଭିନ୍ନ ବିଷୟରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ସେମାନଙ୍କ ବ୍ୟତୀତ ବିଭିନ୍ନ କଂପାନିର ସିଇଓ, କେନ୍ଦ୍ରୀୟ ବ୍ୟାଙ୍କ ମୁଖ୍ୟ, ଅର୍ଥନୀତିଜ୍ଞ, ନାଗରିକ ସମାଜର ପ୍ରତିନିଧି, ସେଲିବ୍ରିଟି ଏବଂ ବିଶ୍ବ ସ୍ତରୀୟ ସଂଗଠନ ଯଥା ଆଇଏମ୍ଏଫ୍‌, ଡବ୍‌ଲ୍ୟୁଟିଓ, ଓଇସିଡି ଏବଂ ବିଶ୍ବବ୍ୟାଙ୍କର ମୁଖ୍ୟ ଏଥିରେ ସାମିଲ ହେବେ।

ଜଗତୀକରଣକୁ ବିଶ୍ବବାସୀଙ୍କ ସମର୍ଥନ: ସର୍ଭେ
ନୂଆଦିଲ୍ଲୀ: ବିଶ୍ବର ପ୍ରାୟ ସବୁ ପ୍ରାନ୍ତର ଲୋକ ଜଗତୀକରଣକୁ ସମର୍ଥନ କରୁଛନ୍ତି। ବିଶ୍ବ ବାଣିଜ୍ୟ ସଂଗଠନ ପକ୍ଷରୁ କରାଯାଇଥିବା ଏକ ସର୍ଭେରୁ ଏହା ଜଣାପଡ଼ିଛି। ବିଶ୍ବର ପ୍ରାୟ ସବୁ ଅଞ୍ଚଳର ୧୦ ହଜାର ଲୋକଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା। ଅନ୍ୟ ଦେଶକୁ ସାହାଯ୍ୟ କରିବା ବିଷୟକୁ ସମର୍ଥନ କରିବାରେ ଭାରତୀୟମାନେ ଶୀର୍ଷ ସ୍ଥାନରେ ରହିଛନ୍ତି। ଦକ୍ଷିଣ ଏସିଆର ଅଧିକାଂଶ ଦେଶ ଯଥା ପାକିସ୍ତାନ, ବାଲାଂଦେଶ ମଧ୍ୟ ଏହି ବିଷୟକୁ ସମର୍ଥନ କରୁଛନ୍ତି। ନାଇଜେରିଆ ଓ ସାଉଦି ଆରବ ଭଳି ଦେଶ ମଧ୍ୟ ଅନ୍ୟ ଦେଶକୁ ସାହାଯ୍ୟ କରିବା ସପକ୍ଷରେ ମତ ଦେଇଛନ୍ତି। ‘ଅନ୍ୟ ଦେଶକୁ ସାହାଯ୍ୟ କରିବା ଗୋଟିଏ ଦେଶର ଦାୟିତ୍ବ କି ନାହିଁ? ବୋଲି ସର୍ଭେରେ ଭାଗ ନେଇଥିବା ଲୋକମାନଙ୍କୁ ପ୍ରଶ୍ନ କରାଯାଇଥିଲା। ଭାରତର ୯୫% ଲୋକ ଅନ୍ୟ ଦେଶକୁ ସାହାଯ୍ୟ କରିବା କଥା କହିଥିଲେ। ଇଣ୍ଡୋନେସିଆ ଓ ପାକିସ୍ତାନର ୯୪%, ବାଲାଂଦେଶର ୮୭%, ନାଇଜେରିଆର ୮୪%, ସାଉଦି ଆରବର ୮୩% ଏବଂ ଚୀନ୍‌ର ୮୦% ଲୋକ ଅନ୍ୟ ଦେଶକୁ ସାହାଯ୍ୟ କରିବା ଦରକାର ବୋଲି କହିଛନ୍ତି। ବିଶ୍ବ ସ୍ତର‌ରେ ୭୨% ଲୋକ ଏହାକୁ ସମର୍ଥନ କରିଛନ୍ତି। ତେବେ ଆର୍ଜେଣ୍ଟିନା, ଫ୍ରାନ୍ସ, ଜର୍ମାନି, ବ୍ରିଟେନ୍‌ ଏବଂ ଆମେରିକାର ୬୦%ରୁ କମ୍ ଲୋକ ଏହି ବିଷୟକୁ ଏତେଟା ସମର୍ଥନ କରୁନାହାନ୍ତି।

ସମ୍ବନ୍ଧିତ ଖବର