ଜେଟ୍‌ରୁ ବିଦା ହେଲେ ପ୍ରତିଷ୍ଠାତା

ବ୍ୟାଙ୍କ ହାତକୁ ଗଲା ମାଲିକାନା, ତତ୍କାଳ ୧୫୦୦ କୋଟି ମିଳିବ, ୮୦୦୦ କୋଟିର ଋଣ ଶୁଝିପାରୁନି

ନୂଆଦିଲ୍ଲୀ: ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଘରୋଇ ବିମାନ କଂପାନି ଜେଟ୍ ଏୟାରୱେଜ୍‌ରୁ ଏହାର ପ୍ରତିଷ୍ଠାତା ନରେଶ ଗୋୟଲ ଓ ତାଙ୍କ ପତ୍ନୀ ଅନୀତା ଗୋୟଲ ଇସ୍ତଫା ପ୍ରଦାନ କରିଛନ୍ତି। ଏଥି ସହିତ ନରେଶଙ୍କୁ ନେଇ ଦୀର୍ଘଦିନ ଧରି ଯେଉଁ ଟଣାଓଟରା ଲାଗିରହିଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଆଜି ଜେଟ୍ ବୋର୍ଡରୁ ମୋଟ୍ ତିନି ଜଣ ସଦସ୍ୟ ଇସ୍ତଫା ଦେଇଛନ୍ତି। ଗୋୟଲ ପତିପତ୍ନୀଙ୍କ ବ୍ୟତୀତ ଆବୁଧାବିର ବିମାନ କଂପାନି ଏତିହାଦ୍‌ର ମନୋନୀତ ସଦସ୍ୟ ମଧ୍ୟ ଇସ୍ତଫା ଦେଇଛନ୍ତି। ପଚିଶ ବର୍ଷ ତଳେ ଜେଟ୍ ଏୟାରୱେଜ୍‌କୁ ନରେଶ ପ୍ରତିଷ୍ଠା କରିଥିଲେ। ସେ କେବେବି ସ୍ବପ୍ନରେ ସୁଦ୍ଧା ଭାବିନଥିବେ ତାଙ୍କୁ ଏହିଭଳି ଭାବେ କଂପାନିରୁ ବିଦା ହେବାକୁ ପଡ଼ିବ। ତେବେ ସନ୍ତାନ ଭଳି ଯେଉଁ କଂପାନିକୁ ବଢ଼ାଇଥିଲେ ତାହାକୁ ନିଶ୍ଚିତ ମୃତ୍ୟୁରୁ ବଞ୍ଚାଇବା ପାଇଁ ‌ନରେଶ ନିଜ ପଦରୁ ଇସ୍ତଫା ଦେଇଛନ୍ତି। କଂପାନିର ମାଲିକ ଚୌକିକୁ ବ୍ୟାଙ୍କମାନଙ୍କ ପାଇଁ ଛାଡ଼ି ଦେଇଛନ୍ତି।

ଆଜି ପର୍ଯ୍ୟନ୍ତ ୫୦.୫% ଅଂଶଧନ ସହିତ ନରେଶ ଥିଲେ ଜେଟ୍‌ର ମାଲିକ। ଆଗାମୀ ଦିନରେ ତାଙ୍କ ଅଂଶଧନ ପରିମାଣ ୨୫.୫%କୁ ଖସିଯିବ। ସେହିପରି ଏତିହାଦ୍‌ର ଅଂଶଧନ ମଧ୍ୟ ୨୪%ରୁ ହ୍ରା‌ସ ପାଇ ୧୨% ହୋଇଯିବ। ଜେଟ୍‌କୁ ଋଣ ଦେଇଥିବା ବ୍ୟାଙ୍କଗୁଡ଼ିକ ଏହାର ନୂଆ ମାଲିକ ହେବେ। ସେମାନଙ୍କ ଋଣ ରାଶି ଇକ୍ବିଟିରେ ପରିଣତ ହେବ। ମାତ୍ର ଏକ ଟଙ୍କା ବଦଳରେ ସବୁ ଋଣ ରାଶି ଜେଟ୍‌ର ଇକ୍ବିଟିରେ ରୂପାନ୍ତରିତ ହେବ ଏବଂ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ନେତୃତ୍ବରେ ଜେଟ୍‌କୁ ଋଣ ଦେଇଥିବା ବ୍ୟାଙ୍କଗୁଡ଼ିକ କଂପାନିର ନୂଆ ମାଲିକ ହେବେ। ତେବେ ବ୍ୟା‌ଙ୍କଗୁଡ଼ିକ ସବୁ ଦିନ ପାଇଁ ଜେଟ୍‌କୁ ନିଜ ମାଲିକାନାରେ ରଖିବେ ନାହିଁ। ପ୍ରାରମ୍ଭିକ ପର୍ଯ୍ୟାୟରେ ୧୫୦୦ କୋଟି ଟଙ୍କାର ନୂଆ ପାଣ୍ଠି ଦେଇ କଂପାନିକୁ ଠିଆ କରାଇବାକୁ ପ୍ରୟାସ କରିବେ। ଏହା ପୂର୍ବଭଳି ଆକର୍ଷଣୀୟ ହୋଇଯିବା ପରେ ବ୍ୟାଙ୍କଗୁଡ଼ିକ ନିଜ ଅଂଶଧନକୁ ନୂଆ ଗ୍ରାହକ କିମ୍ବା ନିବେଶକଙ୍କୁ ଉଚିତ ମୂଲ୍ୟରେ ବିକିଦେବେ। ମେ’ ୩୧ ସୁଦ୍ଧା ଜେଟ୍‌ ପାଇଁ ନୂଆ ଗ୍ରାହକ ଯୋଗାଡ଼ ହୋଇଯିବ ବୋଲି ଷ୍ଟେଟ୍‌ ବ୍ୟାଙ୍କର ମୁଖ୍ୟ ରଜନୀଶ କୁମାର ଆଶା ପ୍ରକଟ କରିଛନ୍ତି। ଯେବେଠାରୁ ଜେଟ୍‌ ସଙ୍କଟ ଆରମ୍ଭ ହୋଇଥିଲା ସେହିଦିନ ଠାରୁ ନରେଶଙ୍କୁ କଂପାନିର ମାଲିକ ପଦରୁ ହଟାଇବାକୁ ବ୍ୟାଙ୍କଗୁଡ଼ିକ ଜିଦ୍‌ ଧରିଥିଲେ। ଜେଟ୍‌ରେ ପୁଞ୍ଜିନିବେଶ କରିଥିବା ଏତିହାଦ୍‌ ମଧ୍ୟ ସମାନ ଦାବି କରିଥିଲେ। ବ୍ୟାଙ୍କ କିମ୍ବା ଏତିହାଦ୍ କେହି ଜେଟ୍‌ରେ ଆଉ ଅଧିକ ପୁଞ୍ଜି ଖଟାଇବାକୁ ଚାହିଁନଥିଲେ। ନିଜ ଆଡ଼ୁ ସବୁ ପ୍ରକାର ଉଦ୍ୟମ କରି ମଧ୍ୟ ନରେଶ କଂପାନିକୁ ବଞ୍ଚାଇବା ରଖିବା ପାଇଁ ଆବଶ୍ୟକ ପାଣ୍ଠି ଯୋଗାଡ଼ କରିପାରିନଥିଲେ। କଂପାନି ଉପରେ ୮୦୦୦ କୋଟି ଟଙ୍କାର ଋଣ ବାକି ପଡ଼ିଛି। ଷ୍ଟେଟ୍‌ ବ୍ୟାଙ୍କ ସମେତ ୨୬ଟି ବ୍ୟାଙ୍କ ଠାରୁ କଂପାନି ଏହି ସବୁ ଋଣ ନେଇଥିଲା। ସେହି ଋଣ ଟଙ୍କାକୁ ଇକ୍ବିଟିରେ ପରିଣତ କରି କଂପାନିର ମାଲିକାନାକୁ ନରେଶ ବ୍ୟାଙ୍କଗୁଡ଼ିକ ହାତକୁ ଟେକି ଦେଇଛନ୍ତି। ଏଭଳି ପଦକ୍ଷେପ ଗ୍ରହଣ କରି ସେ ନିଜକୁ ଋଣମୁକ୍ତ କରିଥିବା ବେଳେ କଂପାନିକୁ ବନ୍ଦ ହେବାରୁ ବଞ୍ଚାଇ ଦେଇଛନ୍ତି। ଜେଟ୍‌ର ପରିଚାଳନା ପାଇଁ ଏକ ନୂଆ କମିଟି ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି। କଂପାନି ପାଇଁ ନୂଆ ଗ୍ରାହକ ଯୋଗାଡ଼ ହେବା ପର୍ଯ୍ୟନ୍ତ ଏହି କମିଟି ନିତିଦିନିଆ କାମର ଦେଖାଶୁଣା କରିବ। ଏଥି ସହିତ କଂପାନି ବୋର୍ଡରେ ବ୍ୟାଙ୍କଗୁଡ଼ିକ ଦୁଇ ଜଣ ସଦସ୍ୟଙ୍କୁ ମନୋନୀତ କରିଛନ୍ତି। ସେମାନେ ବ୍ୟାଙ୍କଗୁଡ଼ିକର ସ୍ବାର୍ଥ ରକ୍ଷା ପ୍ରତି ଧ୍ୟାନ ଦେବେ। ଜେଟ୍ ପାଖରେ ୧୧୯ଟି ବିମାନ ରହିଛି। ଲିଜ୍‌ରେ ବିମାନ ଦେଇଥିବା ସଂସ୍ଥାଗୁଡ଼ିକୁ ଠିକ୍ ସମୟରେ ପେମେଣ୍ଟ୍‌ ଦିଆଯାଇନପାରିବାରୁ ୫୪ଟି ବିମାନ ଠିଆ ହୋଇ ରହିଛି। ରକ୍ଷଣାବେକ୍ଷଣ ଅଭାବରୁ ଅନ୍ୟ ୧୨ଟି ବିମାନ ମଧ୍ୟ ଠିଆ ହୋଇଛି। ପ୍ରତିଦିନ ଜେଟ୍‌ର ୩୦୦ରୁ ଅଧିକ ବିମାନ ଉଡ଼ାଣ ବାତିଲ ହେଉଛି।

ଜେଟ୍‌ର ସୁରକ୍ଷା ଠାରୁ ବଡ଼ ବଳିଦାନ କିଛି ନାହିଁ: ନରେଶ
ମୁମ୍ବାଇ: ଜେଟ୍‌ର ଅଧ୍ୟକ୍ଷ ପଦରୁ ଆଜି ଇସ୍ତଫା ଦେଇଥିବା ନରେଶ ଗୋୟଲ କହିଛନ୍ତି ଯେ, ଜେଟ୍ ଏୟାରୱେଜ୍‌ ଓ ଏହା ପାଇଁ କାମ କରୁଥିବା ୨୨,୦୦୦ କର୍ମଚାରୀଙ୍କ ପରିବାରର ସ୍ବାର୍ଥର ସୁରକ୍ଷା ଠାରୁ ବଡ଼ ବଳିଦାନ ତାଙ୍କ ପାଇଁ କିଛି ନାହିଁ। ୨୨ ହଜାର କର୍ମଚାରୀଙ୍କୁ ନେଇ ଥିବା ମୋ ପରିବାରର ସୁରକ୍ଷା ପାଇଁ ମୁଁ ଜେଟ୍‌ ଏୟାରୱେଜ୍‌ ବୋର୍ଡରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି। ମୋର ଏହି ନିଷ୍ପତ୍ତି ପଛରେ ମୋ ପରିବାର ଠିଆ ହୋଇଛି ଏବଂ ମୁଁ ଆଶା କରୁଛି ଯେ ସେମାନେ ମୋ ନିଷ୍ପତ୍ତିକୁ ସମର୍ଥନ କରିବେ। ଆପଣମାନେ ସବୁ ବେଳେ ମୋତେ ମନେ ପଡ଼ିବେ ବୋଲି ଗୋୟଲ ଭାବବିହ୍ବଳ ହୋଇ କହିନ୍ତି। ୧୯୯୨ ଏପ୍ରିଲ୍‌ରୁ ସେ ଜେଟ୍‌ର ଅଧ୍ୟକ୍ଷ ଭାବେ ଦାୟିତ୍ବ ନିର୍ବାହ କରୁଥିଲେ।

ଦୁଃଖଦ ଦିନ: ସ୍ପାଇସ୍‌ଜେଟ୍‌ ମାଲିକ
ମୁମ୍ବାଇ: ଭାରତୀୟ ବିମାନ ଶିଳ୍ପ ପାଇଁ ଆଜି ଦିନଟି ସବୁଠୁ ଦୁଃଖଦ ଦିନ ବୋଲି ସ୍ପାଇସ୍‌ଜେଟ୍‌ର ମାଲିକ ଅଜୟ ସିଂହ କହିଛନ୍ତି। ଜେଟ୍‌ରୁ ଏହାର ପ୍ରତିଷ୍ଠାତା ନରେଶ ଗୋୟଲ ଓ ତାଙ୍କ ପତ୍ନୀ ଅନୀତା ଗୋୟଲଙ୍କୁ ବିଦା କରାଯିବା ପରେ ନିଜ ପ୍ରତିକ୍ରିୟାରେ ଶ୍ରୀ ସିଂହ ଏହା କହିଛନ୍ତି। ସେ କହିଲେ, ଭାରତୀୟ ବିମାନ ଶିଳ୍ପ ପାଇଁ ବାସ୍ତବରେ ଆଜିର ଦିନଟି ଦୁଃଖଦ ଦିନ। ଏକ ବିଶ୍ବ ସ୍ତରୀୟ କଂପାନି ସ୍ଥାପନ କରି ସେ ଭାରତକୁ ଗର୍ବିତ କରିଥିଲେ। ଦେଶର ନୀତି ନିର୍ଧାରକମାନଙ୍କ ପାଇଁ ଏହା ସତର୍କ ଘଣ୍ଟି। ଭାରତୀୟ ବିମାନ କଂପାନିଗୁଡ଼ିକ କିଭଳି ବିଶ୍ବ ସ୍ତରରେ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ରହିପାରିବେ ତାହା ନିଶ୍ଚିତ କରିବା ପାଇଁ ନୀତି ନିର୍ଧାରକମାନଙ୍କୁ ଢାଞ୍ଚାଗତ ପରିବର୍ତନ ଆଣିବା ଉପରେ ଗୁରୁତ୍ବ ଦେବାକୁ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର