ମାନ୍ଦାବସ୍ଥାକୁ ସରକାର ମାନୁନାହାନ୍ତି: ମନମୋହନ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ମାନ୍ଦାବସ୍ଥା ଶବ୍ଦକୁ ସ୍ବୀକାର କରୁନାହାନ୍ତି। ଏହା ହେଉଛି ଆଜିର ଦିନରେ ସବୁଠୁ ବଡ଼ ସମସ୍ୟା ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କହିଛନ୍ତି। ଯୋଜନା ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ମଣ୍ଟେକ ସିଂହ ଆଲୁୱାଲିଆଙ୍କ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି, ଯଦି ଯୋଜନା ଆୟୋଗ ଢାଞ୍ଚାରେ ଅଭିବୃଦ୍ଧି ଆଗକୁ ବଢ଼ିଥା’ନ୍ତା ତେବେ ୨୦୨୪-୨୫ ସୁଦ୍ଧା ଭାରତ ୫ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପରିଣତ ହେବାର ସ୍ବପ୍ନ ପୂରଣ ହୋଇପାରିଥାନ୍ତା। ଏବେ କିନ୍ତୁ ଅନେକ ପ୍ରସଙ୍ଗରେ ଆଲୋଚନା ହେବାର ଆବଶ୍ୟକତା ରହିଛି। ବର୍ତ୍ତମାନର ସରକାର ମାନ୍ଦାବସ୍ଥା ଭଳି ଶବ୍ଦକୁ ସ୍ବୀକାର କରୁନାହିଁ। ଯଦି ସମସ୍ୟା କ’ଣ ତାହା ଚିହ୍ନଟ କରାଯିବ ନାହିଁ ‌ତେବେ ତାହାର ସମାଧାନ ବାଟ କିଭଳି ମିଳିବ, ଏହା ବର୍ତ୍ତମାନର ସବୁଠୁ ବଡ଼ ସମସ୍ୟା ବୋଲି ସେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି ଚିଦମ୍ବରମ ବର୍ତ୍ତମାନର ଅର୍ଥନୀତିକୁ ଏକ ରୋଗୀ ସହ ତୁଳନା କରି କହିଛନ୍ତି ଯେ, ଏ‌େ‌ବ ରୋଗୀର ଦେହ ବହୁତ ଖରାପ। ତାହାକୁ ଆଇସିୟୁକୁ ନିଆଯାଉନାହିଁ। ବାହାରେ ଠିଆ କରାଯାଇଛି। ଦେଶରେ ବେକାରି ଓ ଦରଦାମ ବଢ଼ୁଥିବା ବେଳେ ସରକାର କିଛି ବି କରୁନାହାନ୍ତି ବୋଲି ସେ କହିଛନ୍ତି। ବର୍ତ୍ତମାନର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ କ’ଣ ପରାମର୍ଶ ଦେବେ ବୋଲି ପ୍ରଶ୍ନ ହେବାରୁ ସେ କହିଥିଲେ ଯେ ମୁଁ ତାଙ୍କୁ କହିବି ତୁରନ୍ତ ଇସ୍ତଫା ଦିଅ।

ସମ୍ବନ୍ଧିତ ଖବର