ବାଲେଶ୍ବରରେ ହଳଦିଆ ପେଟ୍ରୋକେମିକାଲ୍ସ ନିବେଶ କରିବ ୭୮ ହଜାର କୋଟି

ପ୍ରକଳ୍ପ ପାଇଁ ଦରକାର ୨୫୦୦ ଏକର ଜମି, ୪୫୦ ମେଗାୱାଟ୍ ବିଦ୍ୟୁତ

ଭୁବନେଶ୍ବର: ପଶ୍ଚିମବଙ୍ଗର ପୂର୍ବ ମେଦିନାପୁରରେ ଥିବା ବୃହତ ସଂସ୍ଥା ହଳଦିଆ ପେଟ୍ରୋକେମିକାଲ୍ସ (ଏଚ୍‌ପିଏଲ୍‌) ପକ୍ଷରୁ ବାଲେଶ୍ବର ଜିଲ୍ଲାରେ ଏକ ହାଇଡ୍ରୋକାର୍ବନ ପ୍ରକ୍ରିୟାକରଣ କମ୍ପ୍ଲେକ୍ସ ନିର୍ମାଣ କରିବା ଲାଗି ୭୮ ହଜାର କୋଟି ଟଙ୍କା ନିବେଶ କରାଯିବ। ଏହା ସୁବର୍ଣ୍ଣରେଖା ବନ୍ଦର ନିକଟରେ ଲାଇଟ୍ କ୍ରୁଡ୍‌ ଅଏଲ୍ ରିଫାଇନାରି, ଆରୋମାଟିକ୍ କମ୍ପ୍ଲେକ୍ସ ଓ ଇଥାନଲ୍‌ କ୍ରାକର୍‌ କମ୍ପ୍ଲେକ୍ସ ଆଦି ନିର୍ମାଣ କରିବାକୁ ମଧ୍ୟ ଯୋଜନା ରଖିଛି। କଂପାନି ପକ୍ଷରୁ ୨୮,୭୦୦ କୋଟି ଟଙ୍କା ବିନିଯୋଗରେ ରିଫାଇନାରି କମ୍ପ୍ଲେକ୍ସ ନିର୍ମାଣ କରିବାର ଯୋଜନା ରଖାଯାଇଥିଲା। ସେଥିରେ ସଂଶୋଧନ କରାଯାଇ ନିବେଶ ରାଶିକୁ ୭୮ ହଜାର କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୧୦ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ପ୍ରକଳ୍ପ ଲାଗି ୨୫୦୦ ଏକର ଜମି, ୪୫୦ ମେଗାୱାଟ୍ ବିଦ୍ୟୁତ ଓ ୩୯ କ୍ୟୁସେକ୍ ଜଳ ଦରକାର।

ଏକ ଆକଳନରୁ ଜଣାପଡ଼ିଛି ଯେ, ୨୦୨୫ ସୁଦ୍ଧା ଓଡ଼ିଶାରେ ଉଚ୍ଚ ସାନ୍ଧ୍ରତା ଥିବା ପଲିଥିନର ଚାହିଦା ୧୦୦ କିଲୋ ଟନ୍‌ରେ ପହଞ୍ଚିବ। ‌ସେହି ସମୟରେ ପଲିପ୍ରୋପିଲିନର ଚାହିଦା ୩୫୦ କିଲୋ ଟନ୍ ଏବଂ ପିଭିସି ଚାହିଦା ୨୦୦ କିଲୋ ଟନ୍ ହେବ। ରାଜ୍ୟରେ ଥିବା‌ ବିପୁଳ ସମ୍ଭାବନା ବିଚାରକୁ ନେଇ କଂପାନି ଓଡ଼ିଶାରେ ଏହି କାରଖାନା ସ୍ଥାପନ କରିବାକୁ ଚାହୁଛି। ଏହି ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା ଲାଗି କଂପାନିର ପରିଚାଳନା ନିର୍ଦେଶକ ପୂର୍ଣ୍ଣେନ୍ଦୁ ଚାଟାର୍ଜୀ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କ ସହ ସମ୍ପର୍କରେ ରହିଛନ୍ତି।

ସମ୍ବନ୍ଧିତ ଖବର