ଲଣ୍ଡନ: ବ୍ରିଟେନ୍ରେ ଚାଲିଥିବା ଆଇସିସି କ୍ରିକେଟ୍ ବିଶ୍ବକପ୍ ୨୦୧୯ରେ ଭରତ ଓ ପାକିସ୍ତାନ ଭିତରେ ଗୋଟିଏ ଲଢ଼େଇ ଶେଷ ହୋଇଯାଇଥିବା ବେଳେ ପୁଣି ଏକ ଲଢ଼େଇ ହେବାର ସମ୍ଭାବନା ରହିଛି ବୋଲି ଚର୍ଚ୍ଚା ହେଉଛି। ସେହି ବିଦେଶ ମାଟିରେ ଏହି ଦୁଇ ଦେଶ ଆଉ ଏକ ଲଢ଼େଇ ଲଢ଼ୁଛନ୍ତି ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି।
ହାଇଦ୍ରାବାଦର ନିଜାମଙ୍କ ପାଣ୍ଠିକୁ ନେଇ ବ୍ରିଟେନ୍ର ଏକ କୋର୍ଟରେ ଭାରତ ଓ ପାକିସ୍ତାନ ଭିତରେ ଦୀର୍ଘ ବର୍ଷ ହେଲାଣି ଲଢ଼େଇ ଜାରି ରହିଛି। ଏହା ଏବେ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଥିବା କୁହାଯାଉଛି। ଲଣ୍ଡନର ନାଟ୍ୱେଷ୍ଟ୍ ବ୍ୟାଙ୍କରେ ହାଇଦ୍ରାବାଦର ନିଜାମ ଓସ୍ମାନ୍ ଅଲ୍ଲୀ ଖାନ୍ଙ୍କ ୩୫ ନିୟୁତ ପାଉଣ୍ଡ୍ ଜମା ରହିଛି। ସେହି ପାଣ୍ଠିର ପ୍ରକୃତ ହକଦାର ଆମେ ବୋଲି ଉଭୟ ଭାରତ ଓ ପାକିସ୍ତାନ ଦାବି କରୁଛନ୍ତି। ଭାରତ ସପକ୍ଷରେ ଅଛନ୍ତି ତୁର୍କୀରେ ବସବାସ କରୁଥିବା ନିଜାମ୍ଙ୍କ ସନ୍ତାନ ପ୍ରିନ୍ସ ମୁକରାମ ଜାହ୍ ଓ ତାଙ୍କ ସାନ ଭାଇ ମୁଫକମ୍ ଜାହ୍। ପାକିସ୍ତାନ କହୁଛି ଯେ ଆଇନଗତ ଭାବେ ସେହି ପାଣ୍ଠି ହେଉଛି ଆମର। ଘଟଣାଟି ହେଉଛି ଏହିଭଳି। ଭାରତ ଓ ପାକିସ୍ତାନ ମଧ୍ୟରେ ବିଭାଜନ ବେଳେ କେଉଁ ଦେଶକୁ ନିଜର କରିବେ ତାହାକୁ ନେଇ ହାଇଦ୍ରାବାଦର ନିଜାମ ଦ୍ବନ୍ଦ୍ବରେ ଥିଲେ। ବିଭିନ୍ନ ଦିଗରୁ ବିଚାର କରିବା ପରେ ୧୯୪୮ରେ ସେ ପାକିସ୍ତାନରେ ସ୍ଥାପନ ହୋଇଥିବା ବ୍ରିଟେନ୍ ହାଇକମିସନରଙ୍କୁ ୧୦ ଲକ୍ଷ ପାଉଣ୍ଡ୍ ପ୍ରଦାନ କରିଥିଲେ। ଉକ୍ତ ଅର୍ଥରାଶି ପରିମାଣ ବଢ଼ି ବଢ଼ି ଏବେ ୩୫ ନିୟୁତ ପାଉଣ୍ଡ୍ରୁ ଅଧିକ ହୋଇଗଲାଣି। ଲଣ୍ଡନର ରୟାଲ କୋର୍ଟସ୍ ଅଫ ଜଷ୍ଟିସ୍ରେ ଏହି ମାମଲାର ବିଚାର ଚାଲିଛି। ମାମଲାର ଗୋଟିଏ ପକ୍ଷ ପାକିସ୍ତାନର ହାଇକମିସନର ହୋଇଥିବା ବେଳେ ଅପର ପକ୍ଷରେ ନିଜାମଙ୍କ ସନ୍ତାନ, ଭାରତ ସରକାର ଓ ଭାରତର ରାଷ୍ଟ୍ରପତି ରହିଛନ୍ତି। ମାମଲାର ବିଚାର ଛଅ ସପ୍ତାହ ଭିତରେ ଶେଷ ହେବ ବୋଲି ଅନୁମାନ କରାଯାଉଛି। ନିଜାମଙ୍କ ପାଣ୍ଠିର ପ୍ରକୃତ ହକଦାର କିଏ ତାହାର ନିଷ୍ପତ୍ତି ବିଚାରପତି ମାର୍କସ୍ ସ୍ମିଥ୍ ନେବେ।
ପୂର୍ବବର୍ତ୍ତୀ ଖବର
ପରବର୍ତ୍ତୀ ଖବର
ସମ୍ବନ୍ଧିତ ଖବର