ପ୍ରାପ୍ୟ ଅଟକାଇବା ଇନ୍ଫୋସିସ୍କୁ ମହଙ୍ଗା ପଡ଼ିଲା
• ପୂର୍ବତନ ଅଧିକାରୀଙ୍କୁ ଗଣିବ ୧୨ କୋଟି• ସୁଧ ସହ ସବୁ ଟଙ୍କା ଫେରାଇବ
ନୂଆଦିଲ୍ଲୀ: ଯେଉଁ ଅଧିକାରୀଙ୍କୁ ତାଙ୍କ ସମସ୍ତ ପ୍ରାପ୍ୟ ନଦେଇ ଇନ୍ଫୋସିସ୍ ବିଦା କରିଦେଇଥିଲା ତାଙ୍କୁ ଏବେ ୧୨ କୋଟି ୧୭ ଲକ୍ଷ ଟଙ୍କା ଗଣିବ। ସେହି ଅଧିକାରୀ ଜଣକ ହେଉଛନ୍ତି କଂପାନିର ପୂର୍ବତନ ମୁଖ୍ୟ ବିତ୍ତ ଅଧିକାରୀ ରାଜୀବ ବଂଶଲ। ରାଜୀବ ହେଉଛନ୍ତି ସେହି ବ୍ୟକ୍ତି ଯାହାଙ୍କ ପାଇଁ ଇନ୍ଫୋସିସ୍ ସିଇଓ ପଦରୁ ବିଶାଲ ସିକ୍କାଙ୍କୁ ବିଦା ହେବାକୁ ପଡ଼ିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଇନ୍ଫୋସିସ୍ ପାଇଁ ଦୀର୍ଘ ୧୭ ବର୍ଷ କାମ କରିବା ପରେ ୨୦୧୫ ଅକ୍ଟୋବରରେ ରାଜୀବ ଚାକିରି ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। କଂପାନି ତରଫରୁ ତାଙ୍କୁ ୧୭.୩୮ କୋଟି ଟଙ୍କାର ପ୍ରାପ୍ୟ ଦିଆଯିବ ବୋଲି ନିଷ୍ପତ୍ତି ହୋଇଥିଲା ଯାହା ତାଙ୍କ ୨୪ ମାସର ଦରମା ସହିତ ସମାନ ଥିଲା। କିନ୍ତୁ ଏହାକୁ ନେଇ କଂପାନିର ଅନ୍ୟତମ ପ୍ରତିଷ୍ଠାତା ଏନ୍ଆର୍ ନାରାୟଣମୂର୍ତ୍ତି ଆପତ୍ତି ଉଠାଇଥିଲେ। କଂପାନିରେ ଚାଲିଥିବା ବେଆଇନ କାର୍ଯ୍ୟକଳାପ ଉପରେ ମୁହଁ ବନ୍ଦ ରଖିବା ପାଇଁ ରାଜୀବଙ୍କୁ ଏଭଳି ପ୍ୟାକେଜ୍ ଦିଆଯାଉଛି ବୋଲି ସେ ଅଭିଯୋଗ କରିଥିଲେ। ନାରାୟଣମୂର୍ତ୍ତି ସେହି ସମୟରେ ପରିସ୍ଥିତିକୁ ଏତେ ଜଟିଳ କରିଦେଇଥିଲେ ଯେ କଂପାନି ବାଧ୍ୟ ରାଜୀବଙ୍କ ପ୍ରାପ୍ୟକୁ ଅଟକାଇଥିଲା। ତାଙ୍କୁ ମାତ୍ର ୫.୨ କୋଟି ଟଙ୍କା ଦେଇଥିଲା।
ବଳକା ପ୍ରାପ୍ୟ ଅଟକାଇବା ପଛରେ କଂପାନି କାରଣ ଦର୍ଶାଇଥିଲା ଯେ, ରାଜୀବ କଂପାନି ଛାଡ଼ିବା ପୂର୍ବରୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ଡିଲିଟ୍ କରିଦେଇଛନ୍ତି। କଂପାନି ଠାରୁ ନିଜ ପ୍ରାପ୍ୟ ପାଇବାରେ ବିଫଳ ହେବା ପରେ ରାଜୀବ ଆବ୍ରିଟ୍ରେସନ୍ ଟ୍ରିବ୍ୟୁନାଲ୍ର ଦ୍ୱାରସ୍ଥ ହୋଇଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ଆଇନଗତ ଲଢ଼େଇ ଲଢ଼ିବା ପରେ ତାଙ୍କର ବିଜୟ ହୋଇଛି। ରାଜୀବଙ୍କୁ ତାଙ୍କ ପ୍ରାପ୍ୟ ବାବଦ ୧୨.୧୭ କୋଟି ଟଙ୍କା ସୁଧ ସହିତ ଫେରାଇବାକୁ ଟ୍ରିବ୍ୟୁନାଲ୍ ପକ୍ଷରୁ ଇନ୍ଫୋସିସ୍କୁ ନିର୍ଦେଶ ଦିଆଯାଇଛି। ଟ୍ରିବ୍ୟୁନାଲ୍ଙ୍କ ନିର୍ଦେଶ ବିରୋଧରେ ଆବେଦନ କରିବାକୁ ଇନ୍ଫୋସିସ୍ ସଜବାଜ ହେଉଥିବା ଜଣାପଡ଼ିଛି। ରାଜୀବଙ୍କ ମୋଟା ବେତନକୁ ନେଇ ଏକ ସମୟରେ ଇନ୍ଫୋସିସ୍ କର୍ତୃପକ୍ଷ ଓ ପ୍ରତିଷ୍ଠାତାଙ୍କ ମଧ୍ୟରେ ହାଇ ଡ୍ରାମା ଦେଖିବାକୁ ମିଳିଥିଲା। ଏହାର ପରିଣାମ ସ୍ୱରୂପ ସିକ୍କାଙ୍କୁ ସିଇଓ ପଦ ହରାଇବାକୁ ପଡ଼ିଥିଲା।