ଜେଟ୍‌ଲିଙ୍କ ପ୍ରତିଶ୍ରୁତି: ବ୍ୟାଙ୍କରେ ଥିବା ଟଙ୍କା ବୁଡ଼ିବନି

ନୂଆଦିଲ୍ଲୀ: ଯଦି କଣସି ବ୍ୟାଙ୍କ ବିଫଳ ହେବ ତେବେ ସେଥିରେ ଜମା ରଖିଥିବା ଗ୍ରାହକମାନଙ୍କ ଟଙ୍କା ବୁଡ଼ିଯିବ ନାହିଁ। ଆଜି ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ଏହି ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି। ବ୍ୟାଙ୍କ ବିଫଳ ହେଲେ ଜମାକାରୀଙ୍କ ଟଙ୍କା ବୁଡ଼ିଯିବ ବୋଲି ଏକ ଖବର ପ୍ରକାଶ ପାଇବା ପରେ ଜେଟ୍‌ଲି ଏହି ପ୍ରତିଶ୍ରୁତି ଦେଇଛନ୍ତି। ଗଣମାଧ୍ୟମରେ ଯେଉଁ ରିପୋର୍ଟ ପ୍ରକାଶ ପାଇଛି ତାହାକୁ ସେ ଖଣ୍ଡନ କରିଛନ୍ତି। ସେ ଟୁଇଟ୍‌ କରି ଜଣାଇଛନ୍ତି ଯେ ଫାଇନାନ୍‌ସିଆଲ୍‌ ରିଜଲ୍ୟୁସନ୍‌ ଆଣ୍ଡ ଡିପୋଜିଟ୍‌ ଇନ୍‌ସ୍ୟୁରାନ୍ସ ବିଲ୍‌ (ଏଫ୍‌ଆର୍‌ଡିଆଇ ବିଲ୍‌), ୨୦୧୭ ଏବେ ଷ୍ଟାଣ୍ଡିଂ କମିଟିର ବିଚାରାଧୀନ ରହିଛି। ଜମାକାରୀ ଏବଂ ଆର୍ଥିକ ସଂସ୍ଥାଗୁଡ଼ିକର ସ୍ୱାର୍ଥକୁ ପୂର୍ଣ୍ଣ ସୁରକ୍ଷା ଦେବା ହେଉଛି ସରକାରଙ୍କ ଲକ୍ଷ୍ୟ ବୋଲି ଜେଟ୍‌ଲି ଲେଖିଛନ୍ତି। ଅର୍ଥ ସଚିବ ଏସ୍‌ ସି ଗର୍ଗ କହିଛନ୍ତି ଯେ ପୂର୍ବରୁ ଜମାକାରୀଙ୍କ ଯେଉଁ ସବୁ ଅଧିକାର ରହିଥିଲା ତାହା ନୂଆ ଏଫ୍‌ଆର୍‌ଡିଆଇ ନିୟମା ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ। ସେଥିରେ କୌଣସି ପରିବର୍ତ୍ତନ ହେବନାହିଁ। ଅଧିକନ୍ତୁ, ଜମାକାରୀଙ୍କ ଅଧିକାରରେ କେତେ ପ୍ରକାର ଉନ୍ନତି ଅଣାଯିବ। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକରେ ଜମାକାରୀଙ୍କ ଟଙ୍କା ସୁରକ୍ଷିତ। ଏହାର ଏକ ବଡ଼ ଗ୍ୟାରେଣ୍ଟି ହେଉଛି ବ୍ୟାଙ୍କଗୁଡ଼ିକର ସରକାରୀ ମାଲିକାନା। ସରକାରୀ ବ୍ୟାଙ୍କଗୁଡ଼ିକର ମାଲିକ ସରକାର ହୋଇଥିବାରୁ ସେଥିରେ ଥିବା ଜମାକାରୀଙ୍କ ଟଙ୍କା ଆଦୌ ପ୍ରଭାବିତ ହେବନାହିଁ। ଏଫ୍‌ଆଇଡିଆର୍‌ ବିଲ୍‌ ୨୦୧୭କୁ ସରକାର ଅଗଷ୍ଟ ମାସରେ ଲୋକସଭାରେ ଉପସ୍ଥାପନ କରିଥିଲେ। ଏହା ପରେ ତାହାକୁ ଏକ ଷ୍ଟାଣ୍ଡିଂ କମିଟି ନିକଟକୁ ପଠାଇ ଦିଆଯାଇଛି। କମିଟି ବିଲ୍‌ର ତର୍ଜମା କରୁଛି। କୌଣସି ଆର୍ଥିକ ସଂସ୍ଥା ଦେବାଳିଆ ହୋଇଗଲେ ଯେଉଁ ସମସ୍ୟା ସୃଷ୍ଟି ହେଉଛି ତାହାକୁ କିଭଳି ସମାଧାନ କରାଯାଇପାରିବ ସେ ସଂକ୍ରାନ୍ତ ବିଧିବ୍ୟବସ୍ଥା ଏହି ବିଲ୍‌୍‌ରେ ରହିଛି।

ସମ୍ବନ୍ଧିତ ଖବର