ଜିଓର ବ୍ରଡ୍‌ବ୍ୟାଣ୍ଡ୍‌ ଯୋଜନା

ଅଗଷ୍ଟ ୧୫ରେ ଜିଓ-୨ ଫୋନ୍‌ ଆସିବ, ଇ-କମର୍ସ ବ୍ୟବସାୟରେ ପ୍ରବେଶ କରିବ

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ୪୧ତମ ବାର୍ଷିକ ସାଧାରଣ ବୈଠକରେ ସିଏମ୍‌ଡି ମୁକେଶ ଅମ୍ବାନି ଆଜି ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ସେଗୁଡ଼ିକ ମଧ୍ୟରେ ରହିଛି ଫିକ୍ସଡଲାଇନ୍‌ ବ୍ରଡବ୍ୟାଣ୍ଡ ସେବା, ଜିଓ-୨ ଫୋନ୍‌ ସମେତ ଇ-କମର୍ସ ବ୍ୟବସାୟ ଆରମ୍ଭ ଯୋଜନା । କମ୍ପାନି ‘ଜିଓ ଗିଗାଫାଇବର’ ନାମରେ ବ୍ରଡବ୍ୟାଣ୍ଡ୍‌ ସେବା ଆରମ୍ଭ କରିବ ବୋଲି ମୁକେଶ ଘୋଷଣା କରିଛନ୍ତି। ଦେଶରେ ଏହା ଫିକ୍ସଡ ଲାଇନ୍ସ ବ୍ରଡବ୍ୟାଣ୍ଡ ସେବା ପ୍ରଦାନରେ ବିପ୍ଳବ ଆଣିବ ବୋଲି ଆଶା ରଖାଯାଇଛି। ଏତଦ୍‌ବ୍ୟତୀତ କମ୍ପାନି ଫିଚର ଫୋନ୍‌ ଜିଓର ଉନ୍ନତ ମଡେଲ ଆଣିବ। କମ୍ପାନି ଏହାର ନାମ ଜିଓ ଫୋନ୍‌-୨ ରଖିଛି। ଏଥିରେ ଫେସ୍‌ବୁକ୍‌, ହ୍ଵାଟ୍‌ସଆପ୍‌ ଭଳି ସୋସାଆଲ ମିଡିଆ ସହିତ ୟୁଟୁବ୍‌ ସୁବିଧା ମଧ୍ୟ ମିଳିବ। କମ୍ପାନି ଦେଶର ୧୧୦୦ ସହରରେ ବ୍ରଡବ୍ୟାଣ୍ଡ ସେବା ଆରମ୍ଭ ନେଇ ଘୋଷଣା କରିଛି। ଏଥିସହିତ ଆମାଜନ ଭଳି କମ୍ପାନିକୁ ଟକର ଦେବା ଲାଗି କମ୍ପାନି ଇ-କମର୍ସ ବ୍ୟବସାୟରେ ମଧ୍ୟ ପ୍ରବେଶ କରିବା ଯୋଜନା ରଖିଥିବା ସୂଚନା ଦେଇଛି। କମ୍ପାନିର ଫିକ୍ସଡଲାଇନ୍‌ ବ୍ରଡ୍‌ବ୍ୟାଣ୍ଡ୍‌ ମାଧ୍ୟମରେ ଗ୍ରାହକମାନେ ବଡ଼ ସାଇଜ୍‌ ଟିଭିରେ ଅଲ୍‌ଟ୍ରା ହାଇ-ଡେଫିନିସନ୍‌ ମାନର ଆମୋଦପ୍ରମୋଦ ସେବା ପାଇପାରିବେ। ଏଥିସହିତ ଘରେ ବସି ମଲ୍ଟି ପାର୍ଟି ଭିଡିଓ କନ୍‌ଫେରେନ୍ସିଂ କରିପାରିବେ। ସେହିଭଳି ଭର୍ଚୁଆଲ ରିଅଲିଟି ଗେମିଂ, ଭଏସ୍‌ ଆକ୍ଟିଭେଟେଡ ଭର୍ଚୁଆଲ ଆସିଷ୍ଟାଣ୍ଟ୍‌, ଡିଜିଟାଲ ସପିଂ ଆଦି ସୁବିଧା ମଧ୍ୟ ପାଇପାରିବେ ବୋଲି ମୁକେଶ ଘୋଷଣା କରିଛନ୍ତି। ଏହି ସେବା ଲୋକଙ୍କ ଘରେ ସିଧାସଳଖ ପହଞ୍ଚିବ। ଘରେ ପହଞ୍ଚାଇବା ପାଇଁ ଏଥିରେ କୌଣସି ପାରମ୍ପରିକ କେବୁଲ୍‌ର ବ୍ୟବହାର କରାଯିବ ନାହିଁ। ଫିକ୍ସଡ ବ୍ରଡବ୍ୟାଣ୍ଡ୍‌ କ୍ଷେତ୍ରରେ ଏହା ଭାରତର ସ୍ଥାନକୁ ଆହୁରି ଉପରକୁ ନେବ। ଏପରିକି ଜିଓ ଏ କ୍ଷେତ୍ରରେ ଭାରତକୁ ବିଶ୍ୱର ଶ୍ରେଷ୍ଠ ୫ଟି ଦେଶ ମଧ୍ୟରେ ପହଞ୍ଚାଇବାରେ ସହାୟକ ହେବ। ଫିକ୍ସଡ ବ୍ରଡବ୍ୟାଣ୍ଡ୍‌ ସେବା ପ୍ରଦାନ କ୍ଷେତ୍ରରେ ଭାରତ ଏବେ ୧୩୪ତମ ସ୍ଥାନରେ ରହିଛି। ଫିକ୍ସଡ ଲାଇନ୍‌ ଭିତ୍ତିଭୂମି ଦୁର୍ବଳ ଥିବାରୁ ଏଭଳି ସ୍ଥିତି ଭାରତରେ ରହିଛି ବୋଲି ମୁକେଶ କହିଛନ୍ତି। ‘ଜିଓ ଗିଗାଫାଇବର’ର ପରୀକ୍ଷଣ ଏବେ ଦେଶରେ ଚାଲିଛି। ଆସନ୍ତା ଅଗଷ୍ଟ ୧୫ରୁ ଏଥିପାଇଁ ଗ୍ରାହକମାନେ ପଞ୍ଜୀକରଣ କରିପାରିବେ। ଯେଉଁ ଅଞ୍ଚଳରୁ ସର୍ବାଧିକ ସଂଖ୍ୟକ ଆବେଦନ ଆସିବ ସେଠାରେ ଆଗ ସେବା ପ୍ରଦାନ କରିବା ଉପରେ କମ୍ପାନି ଅଗ୍ରାଧିକାର ଦେବ।

ଏଥିସହିତ କମ୍ପାନି ପକ୍ଷରୁ ଏହି ଅବସରରେ ଜିଓ ଫୋନ୍‌ ୨ର ଉନ୍ମୋଚନ କରାଯାଇଛି। ଏହାର ମୂଲ୍ୟ ୨୯୯୯ ଟଙ୍କା ରଖାଯାଇଛି। ଆସନ୍ତା ଅଗଷ୍ଟ ୧୫ରେ ଏହା ବଜାରକୁ ଛଡ଼ାଯିବ। ଦେଶରେ ବର୍ତ୍ତମାନ ଅଢ଼େଇ କୋଟି ଜିଓଫୋନ୍‌ ଗ୍ରାହକ ଅଛନ୍ତି। ଜିଓଫୋନ୍‌ ବ୍ୟବହାରକାରୀଙ୍କ ସଂଖ୍ୟା ୧୦ କୋଟିରେ ପହଞ୍ଚାଇବା ପାଇଁ କମ୍ପାନି ଏହି ନୂଆ ଫୋନ୍‌ ଆଣିଛି। ଏଥସହିତ କମ୍ପାନି ପକ୍ଷରୁ ଜିଓ ମନ୍‌ସୁନ୍‌ ହଙ୍ଗାମା ଅଫର ମଧ୍ୟ ଘୋଷଣା କରାଯାଇଛି। ଏହି ଅଫରରେ ଗ୍ରାହକମାନେ ସେମାନଙ୍କ ପୁରୁଣା ଫୋନ୍‌କୁ ବଦଳାଇ ୫୦୧ ଟଙ୍କା ଦେଲେ ନୂଆ ଜିଓଫୋନ୍‌ ପାଇପାରିବେ। ଏହି ଅଫର୍‌ ଜୁଲାଇ ୨୧ ତାରିଖରୁ ଆରମ୍ଭ ହେବ ବୋଲି କୁହାଯାଇଛି। ଏଥିସହିତ କମ୍ପାନି ଇ-କମର୍ସ ବ୍ୟବସାୟରେ ପ୍ରବେଶ ପାଇଁ ମଧ୍ୟ ମନ ବଳାଇଛି। ରିଲାଏନ୍ସ ରିଟେଲ୍‌ ସହିତ ଜିଓ ପ୍ଲାଟଫର୍ମକୁ ଉପଯୋଗ କରି କମ୍ପାନି ଏହି ସେବା ଆରମ୍ଭ କରିବା ଯୋଜନା ରଖିଛି।ଏସବୁ ବ୍ୟତୀତ ମୁକେଶ ତାଙ୍କ ପାରମ୍ପରିକ ବ୍ୟବସାୟ ସମ୍ପର୍କରେ ଅନେକ କିଛି ଘୋଷଣା କରିଛନ୍ତି।

ରିଲାଏନ୍ସର ବାର୍ଷିକ ବୈଠକରେ ଶ୍ଳୋକା ମେହେଟ୍ଟା
ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ବାର୍ଷିକ ସାଧାରଣ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ବାନିଙ୍କ ଭାବି ବଧୂ ଶ୍ଳୋକା ମେହେଟ୍ଟାଙ୍କୁ ଦେଖିବାକୁ ମିଳିଛି। ଶ୍ଳୋକା ଆସନ୍ତା ଡିସେମ୍ବରରେ ମୁକେଶଙ୍କ ବଡ଼ ପୁଅ ଆକାଶ ଅମ୍ବାନିଙ୍କୁ ବାହାହେବେ। କମ୍ପାନିର ୪୧ତମ ବାର୍ଷିକ ସାଧାରଣ ବୈଠକକୁ ମୁକେଶ ତାଙ୍କ ପତ୍ନୀ ନିତା ଏବଂ ସାନପୁଅ ଅନନ୍ତଙ୍କ ସହ ଆସି ପହଞ୍ଚିଥିଲେ। ଏହାପରେ ଆକାଶ ଏବଂ ଇଶା ଆସିଥିଲେ। ତେବେ ବୈଠକର ଆଗଧାଡ଼ିରେ ମୁକେଶଙ୍କ ପରିବାରର ଅନ୍ୟ ସଦସ୍ୟଙ୍କ ସହ ଶ୍ଳୋକା ବସିଥିବା ଦେଖାଯାଇଥିଲା। ବୈଠକରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଚାଲିଥିବା ବେଳେ ମଝିରେ ଶ୍ଳୋକା ଇଶାଙ୍କ ସହ ମିଶି ସେଠାରୁ ବାହାରି ଯିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର