ମାଇଣ୍ଡ୍‌ଟ୍ରି ପାଇଁ ଲଢ଼େଇ ଆରମ୍ଭ

8ଏଲ୍‌ଆଣ୍ଡ୍‌ଟି କହିଲା ଏହା ଲଢ଼େଇ ନୁହେଁ ପ୍ରେମ 8ପ୍ରତିଷ୍ଠାତା କହିଲେ ନିଜ ଆଇଟି କମ୍ପାନି ସ୍ଥିତି କାହିଁକି ସୁଦୃଢ଼ କରୁନ

ବେଙ୍ଗାଲୁରୁ: ମାଇଣ୍ଡ୍‌ଟ୍ରି ଉପରୁ କୌଣସି ପରିସ୍ଥିତିରେ ଏହାର ପ୍ରତିଷ୍ଠାତାମାନେ ମାଲିକାନା ହରାଇବାକୁ ଚାହୁଁନାହାନ୍ତି। ଅନ୍ୟ ପକ୍ଷରେ ଯେକୌଣସି ଉପା‌ୟରେ ଏହି କଂପାନିକୁ ହାସଲ କରିବା ପାଇଁ ଏଲ୍‌ଆଣ୍ଡ୍‌ଟି ନିଷ୍ପତ୍ତି ନେଇଛି। ମାଇଣ୍ଡଟ୍ରିକୁ ନେଇ ଏହାର ପ୍ରତିଷ୍ଠାତା ଏବଂ ଏଲ୍‌ଆଣ୍ଡ୍‌ଟି ଭିତରେ ଲଢ଼େଇ ଆରମ୍ଭ ହୋଇଯାଇଛି।
ଗତକାଲି ଏଲ୍‌ଆଣ୍ଡ୍‌ଟି ପକ୍ଷରୁ ମାଇଣ୍ଡ୍‌ଟ୍ରିରେ ଥିବା କାଫେ କଫି ଡେ’ର ପ୍ରତିଷ୍ଠାତା ଭିଜି ସିଦ୍ଧାର୍ଥଙ୍କ ୨୧% ଅଂଶଧନକୁ କିଣିନେଇଛି। ଆଉ ୨୬% ଅଂଶଧନ କିଣିନେଲେ ମାଇଣ୍ଡ୍‌ଟ୍ରିର ମାଲିକାନା ଏଲ୍‌ଆଣ୍ଡ୍‌ଟି ହାତକୁ ଚାଲିଯିବ। ଏଲ୍‌ଆଣ୍ଡ୍‌ଟିର ଆଭିମୁଖ୍ୟକୁ ନେଇ ମାଇଣ୍ଡ୍‌ଟ୍ରିର ପ୍ରତିଷ୍ଠାତାମାନେ ଆଜି କେତେକ ପ୍ରଶ୍ନ କରିଛନ୍ତି। ସେହି ପ୍ରଶ୍ନଗୁଡ଼ିକ ହେଉଛି-(୧) ଏଲ୍‌ଆଣ୍ଡଟି ନିଜ ଆଇଟି କଂପାନିକୁ କାହିଁକି ସୁଦୃଢ଼ କରୁନାହିଁ?, (୨) ଭାରତୀୟ ଆଇଟି ଶିଳ୍ପରେ ପ୍ରଥମ ଜୋରଜବରଦସ୍ତ ଅଧିଗ୍ରହଣକାରୀର ପରିଚୟ କାହିଁକି ପାଇବାକୁ ଚାହୁଁଛ?, (୩) କାହିଁକି ଏହି ସଂସ୍ଥାର ମୂଲ୍ୟବୋଧକୁ ଧ୍ବଂସ କରିବାକୁ ଚାହୁଁଛ?, (୪) ଯଦି ମାଇଣ୍ଡ୍‌ଟ୍ରିର ଶ୍ରେଷ୍ଠ ମସ୍ତିଷ୍କ ଅଲଗା ହୋଇଯିବେ ତେବେ ଏଲ୍‌ଆଣ୍ଡ୍‌ଟି ପାଖରେ କ’ଣ ରହିବ?, (୫) ଦେଶର ଷ୍ଟାର୍ଟଅପ୍‌ଗୁଡ଼ିକୁ ଏଲ୍‌ଆଣ୍ଡ୍‌ଟି କ’ଣ ବାର୍ତା ଦେବାକୁ ଚାହୁଁଛି? ଏଲ୍‌ଆଣ୍ଡ୍‌ଟିର ଅଫରକୁ ମାଇଣ୍ଡ୍‌ଟ୍ରି ପ୍ରତିଷ୍ଠାତାମାନେ ‘ବଡ଼ ବିପଦ’ ଓ ‘ମୂଲ୍ୟବୋଧ ନଷ୍ଟକାରୀ’ ଭାବେ ବର୍ଣ୍ଣନା କରିଛନ୍ତି। ଏଲ୍‌ଆଣ୍ଡ୍‌ଟିର ଅଧିଗ୍ରହଣ ଉଦ୍ୟମକୁ ମାଇଣ୍ଡ୍‌ଟ୍ରିରେ ଅଂଶଧନ ରଖିଥିବା ତିନିଟି ପ୍ରମୁଖ ମ୍ୟୁଚୁଆଲ୍ ଫଣ୍ଡ୍‌ ସଂସ୍ଥା ମଧ୍ୟ ବିରୋଧ କରୁଛନ୍ତି। ମାଇଣ୍ଡ୍‌ଟ୍ରି ଅଧିଗ୍ରହଣ ଉଦ୍ୟମକୁ ଲଢ଼େଇ କୁହାଯିବା ପରେ ମୁହଁ ଖୋଲିଛନ୍ତି ଏଲ୍‌ଆଣ୍ଡ୍‌ଟିର ସିଇଓ ଏସ୍‌ ଏନ୍ ସୁବ୍ରମଣ୍ୟନ। ସେ କହିଛନ୍ତି ଯେ, ଆମ ଅଫରକୁ ଲଢ଼େଇ କହିବା ଠିକ୍ ନୁହେଁ। ଏହା ହେଉଛି ପ୍ରେମ। ଆଉ ଆମେ ଆମର ହୃଦୟରୁ ଏହି କାମ କରୁଛୁ। ସେ କହିଛନ୍ତି ଯେ, ଏଠାରେ କିଛି ଆବେଗ ଜଡ଼ିତ ରହିଛି, ମାତ୍ର ବ୍ୟବସାୟ ହେଉଛି ବ୍ୟବସାୟ। ଆବେଗ ତାହାର କାମ କରିବ। କିନ୍ତୁ ଆମକୁ ଆଗକୁ ବଢ଼ିବାକୁ ହେବ। ଆମେ ଏହା କରିବାକୁ ଚାହୁଁଛୁ ଯେଉଁଥିପାଇଁ ‘ପ୍ରେମ’ ଶବ୍ଦ ବ୍ୟବହାର କରିବା ଠିକ୍ ହେବ। ଆମେ ଆଗକୁ ମଧ୍ୟ ଆମ ହୃଦୟ ଭିତରୁ ସେଭଳି କାମ ଜାରି ରଖିବୁ ବୋଲି ସେ କହିଛନ୍ତି।

ସିଦ୍ଧାର୍ଥ ପ୍ରବର୍ତ୍ତାଇଥିଲେ
୧୯୯୯ରେ ମାଇଣ୍ଡ୍‌ଟ୍ରି ସ୍ଥାପନ ହେବା ଦିନଠାରୁ ସେଥିରେ କାଫେ କଫି ଡେ’ର ପ୍ରତିଷ୍ଠାତା ଭିଜି ସିଦ୍ଧାର୍ଥ ନିବେଶ କରିଥିଲେ। କିଛି ବର୍ଷ ଭିତରେ ନିଜ ଅଂଶଧନ ପରିମାଣକୁ ୨୧% ପର୍ଯ୍ୟନ୍ତ ବଢ଼ାଇଦେଇଥିଲେ। ମାଇଣ୍ଡ୍‌ଟ୍ରି ପାଇଁ ସବୁ କିଛି ଠିକ୍ ଚାଲିଥିବା ବେଳେ ସିଦ୍ଧାର୍ଥଙ୍କ ଖରାପ ସମୟ ଆରମ୍ଭ ହୋଇଯାଇଥିଲା। ତାଙ୍କ ଠାରୁ ୩୦୦ କୋଟି ଟଙ୍କା ଆଦାୟ କରିବା ପାଇଁ ଆୟକର ବିଭାଗ ଜଗି ରହିଥିବା ବେଳେ ନିଜ ମୂଳ କଂପାନି ମଧ୍ୟ ଋଣ ବୋଝ ତଳେ ଚାପି ହୋଇଯାଇଛି। ଏହି ସଙ୍କଟରୁ ଉଦ୍ଧାର ପାଇବା ପାଇଁ ମାଇଣ୍ଡ୍‌ଟ୍ରିରେ ଥିବା ଅଂଶଧନକୁ ସିଦ୍ଧାର୍ଥ ବିକିବାକୁ ଚାହୁଥିଲେ। ତିନି ମାସ ତଳେ ସେ ଏଲ୍‌ଆଣ୍ଡ୍‌ଟି ପାଖରେ ପହଞ୍ଚି ଏସଂକ୍ରାନ୍ତରେ ଆଲୋଚନା କରିଥିଲେ। ମାଇଣ୍ଡ୍‌ଟ୍ରିକୁ ଜୋରଜବରଦସ୍ତ ଅଧିଗ୍ରହଣ କରିବା ପାଇଁ ସିଦ୍ଧାର୍ଥ ହିଁ ଏଲ୍‌ଆଣ୍ଡ୍‌ଟିକୁ ପ୍ରବର୍ତ୍ତାଇଥିବା ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର