ଏମ୍‌ଏସ୍‌ଏମ୍‌ଇକୁ ଦରକାର ଠିକ୍ ସମୟରେ ଋଣ

ଭୁବନେଶ୍ବର: ଦେଶର ଅର୍ଥନୈତିକ ଅଭିବୃଦ୍ଧି ଓ ନିଯୁକ୍ତି ସୁଯୋଗ ସୃଷ୍ଟି ପ୍ରତି ଲଘୁ, କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପ ସଂସ୍ଥା (ଏମ୍ଏସ୍‌ଏମ୍ଇ)ର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି। ଏହି କ୍ଷେତ୍ରକୁ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାଗୁଡ଼ିକ ଠିକ୍ ସମୟରେ ଓ ଆବଶ୍ୟକ ପରିମାଣର ଋଣ ଯୋଗାଇ ଦେବାର ଆବଶ୍ୟକତା ରହିଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଡେପୁଟି ଗଭର୍ଣ୍ଣର ଶ୍ୟାମଳା ଗୋପୀନାଥ କହିଛନ୍ତି। ଆଜି ହୋଟେଲ୍ ନ୍ୟୁ ମାରିଅନ୍‌ରେ ଆଇସିସି ତରଫରୁ ଆୟୋଜନ କରାଯାଇଥିବା ଏକ ସମ୍ମିଳନୀରେ ଅତିଥି ଭାବେ ଯୋଗ ଦେଇ ସେ କହିଛନ୍ତି ଯେ, ଏମ୍ଏସ୍‌ଏମ୍‌ଇଗୁଡ଼ିକୁ ଋଣ ତ ମିଳୁଛି କିନ୍ତୁ ଯେଉଁ ସମୟରେ ଯେତିକି ପରିମାଣର ଋଣ ଦରକାର ତାହା ମିଳୁନାହିଁ। ସେମାନଙ୍କୁ ଠିକ୍ ସମୟରେ ଋଣ ପ୍ରଦାନ କରିବାକୁ ହେବ ବୋଲି ସେ କହିଛନ୍ତି। ଆର୍ଥିକ ଅନ୍ତୁର୍ଭକ୍ତୀକରଣ ବଢ଼ାଇବା ପାଇଁ ବ୍ୟାଙ୍କଗୁଡ଼ିକୁ ଗାଁ ଓ ଅର୍ଧ ସହରାଞ୍ଚଳକୁ ଯିବାକୁ ସେ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ରିଜର୍ଭ ବ୍ୟାଙ୍କର ପୂର୍ବତନ ସିଜିଏମ୍ ପି କୃଷ୍ଣମୂର୍ତି, ରିଜର୍ଭ ବ୍ୟାଙ୍କ ଭୁବନେଶ୍ବର କାର୍ଯ୍ୟାଳୟର ଆଞ୍ଚଳିକ ନିର୍ଦେଶକ ଏମ୍ କେ ମଲ୍ଲ, ସାଉଥ୍‌ ଇଣ୍ଡିଆନ୍ ବ୍ୟାଙ୍କର ଅଧ୍ୟକ୍ଷ ସଲିମ୍‌ ଗଙ୍ଗାଧରନ୍‌, ଏ କେ ସାବତ ଆଣ୍ଡ୍‌ କୋ’ର ପାର୍ଟନର୍‌ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ ଏ କେ ସାବତ ଓ ଆଇସିସି ଓଡ଼ିଶା ରାଜ୍ୟ ପରିଷଦର ସହ-ଅଧ୍ୟକ୍ଷ ଜେ ବି ପାଣି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର