ମୁମ୍ବାଇ: ନୋ-ଫ୍ରିଲ୍ ଆକାଉଣ୍ଟ୍ ଖୋଲିଥିବା ଖାତାଧାରୀମାନଙ୍କଠାରୁ ବିଭିନ୍ନ ବ୍ୟାଙ୍କ ମୋଟା ଅଙ୍କର ଜରିମାନା ଆଦାୟ କରୁଛନ୍ତି। ଏବିଷୟରେ ଖାତାଧାରକଙ୍କୁ ଆଗୁଆ ସୂଚନା ମଧ୍ୟ ଦିଆଯାଉନାହିଁ। ବ୍ୟାଙ୍କ ଆପେ ଜରିମାନା କାଟି ନେଉଛନ୍ତି। ନୋ-ଫ୍ରିଲ୍ ଆକାଉଣ୍ଟ୍ ଖୋଲିଥିବା ଗ୍ରାହକମାନଙ୍କ ଉପରେ କୌଣସି ପ୍ରକାର ଶୁଳ୍କ ଲାଗୁ କରାଯାଏ ନାହିଁ। ନିୟମ ଅନୁସାରେ ଏହି ଖାତା ଥିବା ଗ୍ରାହକ ମାସକୁ ଚାରି ଥର ଟଙ୍କା ଉଠାଇ ପାରିବେ। ଯେଉଁମାନେ ଚାରି ଥରରୁ ଅଧିକ ଟଙ୍କା ଉଠାଇଛନ୍ତି ସେମାନଙ୍କଠାରୁ ବ୍ୟାଙ୍କଗୁଡ଼ିକ ମୋଟା ଅଙ୍କର ଜରିମାନା ଆଦାୟ କରିଛନ୍ତି। ପଞ୍ଚମ ଥର ଉଠାଣ ବେଳେ ବ୍ୟାଙ୍କଗୁଡ଼ିକ ନୋ-ଫ୍ରିଲ୍ ଖାତାକୁ ସଙ୍ଗେ ସଙ୍ଗେ ଅନ୍ୟ ସାଧାରଣ ଖାତା ବର୍ଗରେ ସାମିଲ କରିଦେଉଛନ୍ତିି। ଖାତା ବର୍ଗରେ ହେଉଥିବା ପରିବର୍ତ୍ତନ ବିଷୟରେ ସେମାନେ ଗ୍ରାହକଙ୍କୁ କୌଣସି ସୂଚନା ଦେଉନାହାନ୍ତି। ଚାରିରୁ ଅଧିକ ଥର ଉଠାଣ ହେବା ମାତ୍ରେ ଜରିମାନା ଲଗାଇ ଦେଉଛନ୍ତି। ନୋ-ଫ୍ରିଲ୍ ଖାତାଗୁଡ଼ିକୁ ମୌଳିକ ସଞ୍ଚୟ ବ୍ୟାଙ୍କ ଜମା ଖାତା (ବିଏସ୍ବିଡିଏ) ମଧ୍ୟ କୁହାଯାଉଛି। ଏହି ଖାତାଗୁଡ଼ିକ ପାଇଁ ସର୍ବନିମ୍ନ ବାଲାନ୍ସର କୌଣସି ସୀମା ନାହିଁ। ଥରେ ବ୍ୟାଙ୍କଗୁଡ଼ିକ ନୋ-ଫ୍ରିଲ୍ ଖାତାକୁ ସାଧାରଣ ଖାତାରେ ପରିଣତ କରିଦେଲେ ସର୍ବନିମ୍ନ ବାଲାନ୍ସର ଆବଶ୍ୟକତା ଦେଖାଦିଏ। ସେଭଳି ପରିସ୍ଥିତି ସର୍ବନିମ୍ନ ବାଲାନ୍ସ ରଖୁନଥିବା ଗ୍ରାହକଙ୍କଠାରୁ ଯେଭଳି ଶୁଳ୍କ ଆଦାୟ କରାଯାଏ, ସେହି ନିୟମକୁ ନୋ-ଫ୍ରିଲ୍ ଖାତା ଉପରେ ଲାଗୁ କରିଦିଆଯାଉଛି।