ଆନୁଷଙ୍ଗିକ ଶିଳ୍ପ ସଂଖ୍ୟା ବଢ଼ାଇବ ଓଡ଼ିଶା

ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ ମିଟ୍‌-୨୦୧୮

ଭୁବନେଶ୍ୱର: ଆନୁଷଙ୍ଗିକ ଶିଳ୍ପର କିଭଳି ବିକାଶ ହୋଇପାରିବ ସେ ଉପରେ ରାଜ୍ୟ ସରକାର ଅଧିକ ଗୁରୁତ୍ୱ ପ୍ରଦାନ କରୁଛନ୍ତି। ବଡ଼ ଶିଳ୍ପ ସଂସ୍ଥାଗୁଡ଼ିକ ଉତ୍ପାଦନ କରୁଥିବା ଉତ୍ପାଦକୁ ବ୍ୟବହାର କରି କିଭଳି ଲଘୁ, କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପ ସଂସ୍ଥା (ଏମ୍‌ଏସ୍‌ଏମ୍‌ଇ) ଲାଭବାନ ହୋଇପାରିବେ ସେ ଉପରେ ସରକାର ଅଧିକ ଧ୍ୟାନ ଦେଉଛନ୍ତି ବୋଲି ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି। ଇଡ୍‌କଲ୍‌ ଅଡିଟୋରିୟମ୍‌ରେ ଓଡ଼ିଶା ଆସେମ୍ବଲି ଅଫ୍‌ ସ୍ମଲ୍‌ ସ୍କେଲ୍‌ ଇଣ୍ଡଷ୍ଟ୍ରିଜ୍‌ (ଓସ୍‌ମି) ପକ୍ଷରୁ ଆୟୋଜନ କରାଯାଇଥିବା ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ ମିଟ୍‌-୨୦୧୮କୁ ଉଦ୍‌ଘାଟନ କରି ସେ କହିଛନ୍ତି ଯେ, ନିଯୁକ୍ତି ସୃଷ୍ଟି ଓ ରାଜ୍ୟର ବିକାଶରେ ଏମ୍‌ଏସ୍‌ଏମ୍‌ଇଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ସେମାନଙ୍କୁ ସଶକ୍ତ କରିବା ପାଇଁ ଶିଳ୍ପ ନୀତି ଓ ଏମ୍‌ଏସ୍‌ଏମ୍‌ଇ ନୀତିରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଆନୁଷଙ୍ଗିକ ଶିଳ୍ପ ସଂସ୍ଥା ସଂଖ୍ୟା ବଢ଼ାଇବା ଉପରେ ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି ବୋଲି ସେ କହିଛନ୍ତି। ଏହି ଅବସରରେ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ସାମଲ କହିଛନ୍ତି ଯେ, ରାଜ୍ୟରେ ୧୦୦୮ଟି ଆନୁଷଙ୍ଗିକ ଶିଳ୍ପ ସଂସ୍ଥା ରହିଛି ଯେଉଁଥିରେ ୭୭୮୬ ଜଣ ଲୋକ କାମ କରୁଛନ୍ତି। ଏହି ସବୁ ସଂସ୍ଥା ଇସ୍ପାତ, ଆଲୁମିନିୟମ୍‌ ଓ ସ୍ଲାଗ୍‌ ଆଦିକୁ ବ୍ୟବହାର କରି ବିଭିନ୍ନ ଉତ୍ପାଦ ପ୍ରସ୍ତୁତ କରୁଛନ୍ତି। ସେହିପରି ରାଜ୍ୟରେ ଥିବା ୭୮୬ଟି ଫ୍ଲାଏ ଆସ୍‌ ଭିତ୍ତିକ ସଂସ୍ଥାରେ ୧୨,୦୪୪ ଜଣ ଲୋକ ନିଯୁକ୍ତି ପାଇଥିବା ସେ ସୂଚନା ଦେଇଛନ୍ତି। ଏହି ଅବସରରେ ଶିଳ୍ପ ସଚିବ ସଞ୍ଜୀବ ଚୋପ୍ରା,  ଏନ୍‌ଏସ୍‌ଆଇସିର ସିଏମ୍‌ଡି ରବିନ୍ଦ୍ର ନାଥ, ଓସ୍‌ମିର ଅଧ୍ୟକ୍ଷ ଜି ଏସ୍‌ ଦାଶ, ସାଧାରଣ ସମ୍ପାଦକ ସାତ୍ତ୍ୱିକ ସ୍ୱାଇଁ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର