ପିଏନ୍‌ବି ଠକେଇ:ରିଜର୍ଭ ବ୍ୟାଙ୍କ-ସରକାର ଦୋଷ ଲଦାଲଦି

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ (ପିଏନ୍‌ବି)ରେ ହୋଇଥିବା ଠକେଇ ପାଇଁ ଦାୟୀ କିଏ? ଏହି ପ୍ରଶ୍ନର ସନ୍ତୋଷଜନକ ଉତ୍ତର କାହା ପାଖରେ ନାହିଁ। ଏହାକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଓ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି। ଏହି ଠକେଇର ଉତ୍ତରଦାୟିତ୍ୱ କେହି ନେବାକୁ ଚାହୁଁନାହାନ୍ତି।
ପିଏନ୍‌ବି ଠକେଇର ପର୍ଦାଫାଶ ହେବା ପରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ଏଥିପାଇଁ ରିଜର୍ଭ ବ୍ୟାଙ୍କ, ବ୍ୟାଙ୍କର ପରିଚାଳନା କର୍ତୃପକ୍ଷ ଓ ଅଡିଟରମାନଙ୍କୁ ଦାୟୀ କରିଥିଲେ। ଯଦିଓ ସେ ରିଜର୍ଭ ବ୍ୟାଙ୍କ ନାମ ବଦଳରେ ନିୟାମକ ସଂସ୍ଥା ଶବ୍ଦ ବ୍ୟବହାର କରିଥିଲେ। ବ୍ୟାଙ୍କଗୁଡ଼ିକର ନିୟାମକ ସଂସ୍ଥା ହେଉଛି ରିଜର୍ଭ ବ୍ୟାଙ୍କ। ଗତ ବୁଧବାର ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲ୍‌ ନିଜର ପକ୍ଷ ରଖିଥିଲେ। ସେ କହିଥିଲେ ଯେ, ସରକାରୀ ବ୍ୟାଙ୍କଗୁଡ଼ିକ ଉପରେ ରିଜର୍ଭ ବ୍ୟାଙ୍କର ପୂର୍ଣ୍ଣ ନିୟନ୍ତ୍ରଣ ନାହିଁ। ଅଧାରୁ ଅଧିକ କ୍ଷମତା ସରକାରଙ୍କ ପାଖରେ ରହିଛି। ରିଜର୍ଭ ବ୍ୟାଙ୍କ ଚାହିଁଲେ ମଧ୍ୟ ସରକାରୀ ବ୍ୟାଙ୍କର କୌଣସି ବରିଷ୍ଠ ଅଧିକାରୀଙ୍କୁ ହଟାଇ ପାରିବ ନାହିଁ। ମିଶ୍ରଣ ଓ ଅଧିଗ୍ରହଣ ଉପରେ କୌଣସି ନିଷ୍ପତ୍ତି ନେଇପାରିବ ନାହିଁ।
ଉର୍ଜିତଙ୍କ ଏଭଳି ମନ୍ତବ୍ୟ ପୁଣି ଥରେ ରିଜର୍ଭ ବ୍ୟାଙ୍କ ଓ ସରକାରଙ୍କ ମଧ୍ୟରେ ରହିଥିବା ମତଭେଦକୁ ସାମ୍ନାକୁ ଆଣିଛି। ଜେଟ୍‌ଲି ଯେଉଁ ଅଭିଯୋଗ କରିଥିଲେ ତାହାକୁ ଉର୍ଜିତ ସହଜରେ ଗ୍ରହଣ କରିପାରିନାହାନ୍ତି। ସେଥିପାଇଁ ସେ ଏଭଳି ସ୍ପଷ୍ଟୀକରଣ ଦେଇଛନ୍ତି। ସରକାରୀ ବ୍ୟାଙ୍କଗୁଡ଼ିକ ଉପରେ ଲଗାମ କଷିବା ପାଇଁ ରିଜର୍ଭ ବ୍ୟାଙ୍କକୁ ଅଧିକ କ୍ଷମତା ପ୍ରଦାନ କରିବାକୁ ସେ ପରୋକ୍ଷ ଯୁକ୍ତି ଉପସ୍ଥାପନ କରିଛନ୍ତି।
ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନଙ୍କ ଉତ୍ତରାଧିକାରୀ ଭାବେ ଉର୍ଜିତ ପଟେଲ୍‌ଙ୍କୁ ନିଯୁକ୍ତି ମିଳିଥିଲା। ସରକାରଙ୍କୁ ସମାଲୋଚନା କରିବାରେ ରାଜନ ଆଗରେ ଥିଲେ। ସେଥିପାଇଁ ତାଙ୍କୁ ପଦବୀ ହରାଇବାକୁ ପଡ଼ିଥିଲା। ଉର୍ଜିତ ଯେତେବେଳେ ଗଭର୍ଣ୍ଣର ନିଯୁକ୍ତ ହେଲେ ଲୋକମାନେ ଭାବିଥିଲେ ଯେ ସେ ସରକାରଙ୍କ ସବୁ କଥା ମାନିନେବେ। ଏହାକୁ ସମ୍ପୂର୍ଣ୍ଣ ସତ ନୁହେଁ। ଉର୍ଜିତ ସରକାରଙ୍କ ସବୁ କଥା ମାନୁନାହାନ୍ତି। ଯଦିଓ ଅନେକ ସମୟରେ ସେ ଚୁପ୍‌ ରହିଛନ୍ତି। କିନ୍ତୁ ଆବଶ୍ୟକ ସ୍ଥଳେ ମୁହଁ ଖୋଲିବାକୁ ସେ ପଛାଇ ନାହାନ୍ତି। ଅତୀତରେ ଯେତେେ ଥର ରିଜର୍ଭ ବ୍ୟାଙ୍କର ସ୍ୱାଧୀନତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି, ସବୁ ଥର ଉର୍ଜିତ ସାମ୍ନାକୁ ଆସିଛନ୍ତି ଓ ସରକାରଙ୍କୁ ବିରୋଧ କରିବା ଭଳି କଥା କହିବାକୁ ପଛାଇ ନାହାନ୍ତି।
ବିବାଦ ନୂଆ ନୁହେଁ
ଭାରତୀୟ ରିଜର୍ଭ ବ୍ୟାଙ୍କ ଓ ଅର୍ଥ ମନ୍ତ୍ରଣାଳୟ ମଧ୍ୟରେ ବିବାଦ ଓ ମତଭେଦ ନୂଆ ନୁହେଁ। ଅତୀତରେ ଅନେକ ଥର ଦୁଇ ସଂସ୍ଥା ମୁହାଁମୁହିଁ ହୋଇଛନ୍ତି। ରଘୁରାମ ରାଜନ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଥିବା ବେଳେ ସେ ନିୟମିତ ଅର୍ଥ ମନ୍ତ୍ରୀ ଅରୁଣ ଜେଟ୍‌ଲିଙ୍କ ପ୍ରସ୍ତାବଗୁଡ଼ିକୁ ଗ୍ରହଣ କରୁନଥିଲେ। ଓଲଟା ସରକାରଙ୍କ କାର୍ଯ୍ୟକ୍ରମକୁ ସମାଲୋଚନା କରିବାକୁ ସେ ପଛାଉନଥିଲେ। ବୋଏ ହୁଏ ସେହି କାରଣ ଯୋଗୁଁ ରାଜନଙ୍କୁ ଦ୍ୱିତୀୟ ସୁଯୋଗ ଦିଆଯାଇନଥିଲା। ସେତେବେଳେ ରାଜନ-ଜେଟ୍‌୍‌ଲି ଲଢ଼େଇ ଚାଲିଥିଲା। ରାଜନ ବିଦାୟ ନେବା ପରେ ଜେଟ୍‌ଲି-ଉର୍ଜିତ ଲଢ଼େଇ ଆରମ୍ଭ ହୋଇଛି।
କେନ୍ଦ୍ର ଉପରେ ବିନୋଦ ରାଏ କ୍ଷୁବ୍ଧ
ସରକାରୀ ବ୍ୟାଙ୍କଗୁଡ଼ିକର ପରିଚାଳନାକୁ ସୁଦୃଢ଼ କରିବା ପାଇଁ ଅନେକ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ଅର୍ଥ ମନ୍ତ୍ରଣାଳୟ ସେଗୁଡ଼ିକୁ କାର୍ଯ୍ୟକାରୀ କରିବାରେ କୌଣସି ପଦକ୍ଷେପ ନେଇନାହିଁ। ଏଭଳି ଅଭିଯୋଗ କରିଛନ୍ତି ବ୍ୟାଙ୍କ ବୋର୍ଡ ବ୍ୟୁରୋର ମୁଖ୍ୟ ବିନୋଦ ରାଏ। ଏହି ପ୍ରସ୍ତାବଗୁଡ଼ିକ ବିଷୟରେ ସେ ବାରମ୍ବାର ଅର୍ଥ ମନ୍ତ୍ରଣାଳୟର ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ କୌଣସି ଥର ତାଙ୍କୁ କିଛି ବି ଉତ୍ତର ମିଳିନଥିଲା। ତାଙ୍କର ଏହି ମନ୍ତବ୍ୟରୁ ଏହା ଜଣାପଡ଼ିଛି ଯେ ବ୍ୟୁରୋ ଓ ସରକାରଙ୍କ ଭିତରେ ସମ୍ପର୍କ ଭଲ ନାହିଁ। ବ୍ୟୁରୋର ପ୍ରସ୍ତାବ ଓ ପରାମର୍ଶଗୁଡ଼ିକ ପ୍ରତି ସରକାର ଆଦୌ ଦୃଷ୍ଟି ଦେଉନାହାନ୍ତି। ସରକାରୀ ବ୍ୟାଙ୍କଗୁଡ଼ିକରେ ରହିଥିବା ସମସ୍ୟାକୁ ସମାଧାନ କରିବାକୁ ହେଲେ ବ୍ୟୁରୋ ଓ ସରକାରଙ୍କ ଭିତରେ ସମ୍ପର୍କ ଭଲ ରହିବା ଦରକାର ବୋଲି ସେ କହିଛନ୍ତି। ବ୍ୟାଙ୍କ ବୋର୍ଡ ବ୍ୟୁରୋ ଭୂମିକା କେବଳ ନିଯୁକ୍ତି କ୍ଷେତ୍ରରେ ସୀମିତ ରହିଯାଇଛି। ସରକାରୀ ବ୍ୟାଙ୍କର ପରିଚାଳନା, ପ୍ରଶାସନ ଓ ପ୍ରଦର୍ଶନରେ ଉନ୍ନତି ଆଣିବା ଦିଗରେ ବୋର୍ଡ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ।

ସମ୍ବନ୍ଧିତ ଖବର