ପୁଞ୍ଜି ବଜାର ଅସ୍ଥିରତା ନେଇ ଉର୍ଜିତ୍‌ ଚିନ୍ତିତ

ନୂଆଦିଲ୍ଲୀ: ପୁଞ୍ଜି ବଜାରରେ ଗତ କିଛିଦିନ ହେଲା ଦେଖାଦେଇଥିବା ଅସ୍ଥିରତା, ବିଶେଷକରି ହ୍ରାସକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲ। ଷ୍ଟକ ମାର୍କେଟରେ ଯେଉଁ ହ୍ରାସ ବା ଅସ୍ଥିରତା ଦେଖାଦେଇଛି ତାହା ବଡ଼ ସମସ୍ୟା ଆଡ଼କୁ ଯିବା ଅନୁଚିତ। ଏଥିସହିତ ଆଗାମୀ ଦିନରେ ଏହି ଦିଗରୁ ରହିଥିବା ବିପଦ ପ୍ରତି ଉଭୟ ରିଜର୍ଭ ବ୍ୟାଙ୍କ ଓ ପୁଞ୍ଜି ବଜାର ନିୟାମକ ସେବି ସଚେତନ ହେବା ଉଚିତ ବୋଲି ସେ କହିଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କର ବୋର୍ଡ ସଦସ୍ୟମାନଙ୍କୁ ବଜେଟ୍‌ ପରେ ଅର୍ଥମନ୍ତ୍ରୀ ପ୍ରତିବର୍ଷ ଉଦ୍‌ବୋଧନ କରିବା ପରମ୍ପରା ରହିଛି। ଆଜି ଅନୁଷ୍ଠିତ ଏହି ବୈଠକ ପରେ ସାମ୍ବାଦିକମାନଙ୍କୁ ପଟେଲ ଉପରୋକ୍ତ ସୂଚନା ଦେଇଛନ୍ତି। ସେହିଭଳି ସେବି ଅଧ୍ୟକ୍ଷ ଅଜୟ ତ୍ୟାଗୀ ମଧ୍ୟ ପୁଞ୍ଜି ବଜାର ଅସ୍ଥିରତା ଉପରେ ମତ ରଖିଛନ୍ତି। ପୁଞ୍ଜି ବଜାରରେ ଏବେ ଯେଉଁ ହ୍ରାସ ଦେଖାଦେଉଛି ତାହା ବାହ୍ୟ କାରଣ ଯୋଗୁଁ ହେଉଛି ବୋଲି ସେ ମନ୍ତବ୍ୟ ଦେଇଛନ୍ତି। ବଜେଟ ପରଦିନ ସେନ୍‌ସେକ୍ସରେ ଯେଉଁ ହ୍ରାସ ଦେଖାଦେଇଥିବା ତାହା ବଜେଟ୍‌ରେ ରହିଥିବା ଦୀର୍ଘମିଆଦୀ ପୁଞ୍ଜି ଲାଭ ଟିକସ କାରଣରୁ ହୋଇଥିଲା। କିନ୍ତୁ ଏହା ପରେ ବଜାରରେ ଯେଉଁ ହ୍ରାସ ଦେଖାଦେଇଛି ତାହା ବ୍ୟହ୍ୟ ବଜାର ପ୍ରଭାବରେ ହେଉଛି ବୋଲି ଶ୍ରୀ ତ୍ୟାଗୀ ମତ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଗତ ୧ ତାରିଖରୁ ୯ ତାରିଖ ମଧ୍ୟରେ ସେନ୍‌ସେକ୍ସ ୧୯୦୦ ପଏଣ୍ଟ ଖସିଥିବାବେଳେ ନିଫ୍‌ଟି ୫୦୦ ପଏଣ୍ଟ ହ୍ରାସ ପାଇଛି।

ସମ୍ବନ୍ଧିତ ଖବର