ରାଜ୍ୟ ଜିଡିପି ୧୭ ବର୍ଷରେ ୮୮୨% ବୃଦ୍ଧି

ଭୁବନେଶ୍ୱର: ରାଜ୍ୟ ମୋଟ ଘରୋଇ ଉତ୍ପାଦ (ଜିଏସ୍‌ଡିପି)ରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିଛି। ବିଗତ ୧୭ ବର୍ଷ ଭିତରେ ଓଡ଼ିଶାର ଜିଏସ୍‌ଡିପିରେ ୮୮୨%ର ଅଭିବୃଦ୍ଧି ହୋଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ସୂତ୍ରରୁ ମିଳିିଥିବା ତଥ୍ୟ ଅନୁଯାୟୀ ଓଡ଼ିଶାର ଜିଡିପି ଟଙ୍କା ହିସାବରେ ୨୦୦୧-୦୨ ବେଳକୁ ୪୬,୭୫୬ କୋଟି ଟଙ୍କା ଥିଲା। ୨୦୧୭ରେ ତାହା ୪,୧୨,୦୦୦ କୋଟି ଟଙ୍କାରେ ପହଞ୍ଚିଛି। ୨୦୦୪ରେ ରାଜ୍ୟ ଜିଡିପି ପରିମାଣ ୬୦ ହଜାର କୋଟି ଟଙ୍କା ସ୍ତର ପାର କରିବା ପରେ ୨୦୦୭ରେ ଲକ୍ଷେ କୋଟି ଟଙ୍କା, ୨୦୧୨ରେ ଦୁଇ ଲକ୍ଷ କୋଟି ଟଙ୍କା, ୨୦୧୫ରେ ତିନି ଲକ୍ଷ କୋଟି ଟଙ୍କା ଏବଂ ୨୦୧୭ରେ ୪ ଲକ୍ଷ କୋଟି ଟଙ୍କାର ସ୍ତରକୁ ଜିଡିପି ଅତିକ୍ରମ କରିଛି ବୋଲି ସରକାରଙ୍କ ପକ୍ଷରୁ ଦାବି କରାଯାଇଛି।
ରାଜ୍ୟର ଜିଡିପି ପରିମାଣ ୨୦୦୭ରେ ଏକ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଥିଲା। ସେହିବର୍ଷ ଜିଡିପି ପରିମଶଣ ୧,୦୧,୮୩୯ କୋଟି ଟଙ୍କା ହୋଇଥିଲା। ୨୦୧୨ରେ ଜିଡିପି ପରିମାଣ ୨ ଲକ୍ଷ କୋଟି ଟଙ୍କା ସ୍ତର ଅତିକ୍ରମ କରି ୨,୧୪,୫୮୩ କୋଟି ଟଙ୍କାରେ ପହଞ୍ଚିଥିଲା। ଏହାର ମାତ୍ର ବର୍ଷକ ପରେ ଜିଡିପି ପରିମାଣ ଅଢ଼େଇ ଲକ୍ଷ କୋଟି ଟଙ୍କାର ସ୍ତର ଅତିକ୍ରମ କରିଥିଲା। ୨୦୧୩ରେ ଓଡ଼ିଶାର ଜିଏସ୍‌ଡିପି ପରିମାଣ ୨,୫୫,୪୫୯ କୋଟି ଟଙ୍କା ଥିଲା। ୨୦୧୪ରେ ତାହା ୨,୮୮,୪୧୪ କୋଟି ଟଙ୍କାରେ ପହଞ୍ଚିବା ପରେ ୨୦୧୫ରେ ରାଜ୍ୟର ଜିଡିପି ପରିମାଣ ୩ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଥିଲା।
୨୦୧୫ରେ ରାଜ୍ୟର ଜିଡିପି ପରିମାଣ ୩,୧୦,୮୧୦ କୋଟି ଟଙ୍କା ହୋଇଥିଲା। ୨୦୧୬ରେ ତାହା ୩,୪୮,୧୦୭ କୋଟି ଟଙ୍କାରେ ପହଞ୍ଚିବା ପରେ ୨୦୧୭ ବେଳକୁ ରାଜ୍ୟର ଜିଡିପି ପରିମାଣ ୪ ଲକ୍ଷ ଟଙ୍କା ସ୍ତର ଅତିକ୍ରମ କରି ୪,୧୨,୦୦୦ କୋଟି ଟଙ୍କା ହୋଇଯାଇଛି।

ସମ୍ବନ୍ଧିତ ଖବର