୧୧ ବର୍ଷରେ ସବୁଠୁ ଖରାପ ସ୍ଥିତି, ବିକାଶ ହାର ୩.୧%କୁ ଖସିଲା

ମୁଣ୍ଡପିଛା ଆୟ ୧,୩୪,୨୨୬ ଟଙ୍କା, ଜିଡିପିର ମୂଲ୍ୟ ୨୦୩.୪୦ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ: ଦେଶର ଅର୍ଥନୀତି ଉପରେ ଲକ୍‌ଡାଉନ୍‌ର ପ୍ରଭାବ କେତେ ଭୟଙ୍କର ତାହାର ଏକ ଝଲକ ଆଜି ମିଳିଛି। ଚଳିତ ବର୍ଷର ଜାନୁଆରି-ମାର୍ଚ୍ଚ ତିନି ମାସରେ ବିକାଶ ହାର ୩.୧ ପ୍ରତିଶତ ଭଳି ନିମ୍ନ ସ୍ତରକୁ ଖସିଯାଇଛି। ବିଗତ ୧୧ ବର୍ଷରେ ଅର୍ଥନୀତିର ଏହା ସବୁଠୁ ଖରାପ ସ୍ଥିତି। ମାର୍ଚ୍ଚ ୨୫ରେ ଲକ୍‌ଡାଉନ୍ ଘୋଷଣା କରାଯାଇଥିଲା। ଅର୍ଥାତ ଏହି ତିନି ମାସର ମାତ୍ର ୬ ଦିନ ଅର୍ଥନୀତି ସମ୍ପୂର୍ଣ୍ଣ ଠପ୍ ହୋଇଥିବା ବେଳେ ସ୍ଥିତି ଏତେ ଗମ୍ଭୀର ହୋଇଛି। ଏହାର ପରର୍ବତୀ ମାସଗୁଡ଼ିକ ସାରା ଦେଶର ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ରେ ରହିଛି। ତେଣୁ ତାହାର ତଥ୍ୟ ଯେତେବେଳେ ପ୍ରକାଶ ପାଇବ ସ୍ଥିତି ଆହୁରି କେତେ ଗମ୍ଭୀର ତାହା ଜଣାପଡ଼ିବ।

ଆଜି କେନ୍ଦ୍ର ସରକାରଙ୍କ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ତରଫରୁ ୨୦୧୯-୨୦ ଆର୍ଥିକ ବର୍ଷ ଓ ସେହି ବର୍ଷର ଶେଷ ତିନି ମାସ (୨୦୨୦ ଜାନୁଆରି-ମାର୍ଚ୍ଚ)ର ଅଭିବୃଦ୍ଧି ତଥ୍ୟ ଜାରି କରାଯାଇଛି। ୨୦୧୯-୨୦ ବର୍ଷ ସାରାରେ ଅଭିବୃଦ୍ଧି ହାର ୪.୨ ପ୍ରତିଶତ ହୋଇଛି ଯାହା ବିଗତ ୧୧ ବର୍ଷ ଭିତରେ ସବୁଠୁ କମ୍। ଗ୍ରସ୍ ଭାଲ୍ୟୁ ଆଡେଡ୍‌ (ଜିଭିଏ) ଅନୁସାରେ ସାରା ବର୍ଷର ଅଭିବୃଦ୍ଧି ହାର ହେଉଛି ୩ ପ୍ରତିଶତ ଏବଂ ଚତୁର୍ଥ ତ୍ରୟମାସରେ ତାହା ୪.୫ ପ୍ରତିଶତ ହାରରେ ଆଗକୁ ବଢ଼ିଛି। ୨୦୧୮-୧୯ରେ ଦେଶର ଅଭିବୃଦ୍ଧି ହାର ୫.୭ ପ୍ରତିଶତ ଥିଲା। ୨୦୧୯-୨୦ରେ ସେଥିରେ ବଡ଼ ଧରଣର ହ୍ରାସ ଘଟିଛି। ୨୦୧୯-୨୦ରେ ଅଭିବୃଦ୍ଧି ହାର ୫% ହେବ ବୋଲି ସରକାର ଆକଳନ କରିଥିଲେ ତାହା ଭୁଲ ପ୍ରମାଣିତ ହୋଇଛି। ବିକାଶ ହାର ଆକଳନ ଠାରୁ କମ୍ ରହିଛି। ୨୦୧୧-୧୨ର ମୂଲ୍ୟ ହିସାବ ଅନୁସାରେ, ମୋଟ ଘରୋଇ ଉତ୍ପାଦ ପରିମାଣ ୧୪୫.୬୬ ଲକ୍ଷ କୋଟି ଟଙ୍କା ଓ ମୁଣ୍ଡପିଛା ଆୟ ହେଉଛି ୯୪,୯୫୪ ଟଙ୍କା। ୨୦୧୮-୧୯ରେ ମୁଣ୍ଡପିଛା ଆୟ ୯୨,୦୮୫ ଟଙ୍କା ଥିଲା। ବର୍ଷକ ଭିତରେ ମୁଣ୍ଡପିଛା ଆୟ ୩.୧ ପ୍ରତିଶତ ବୃଦ୍ଧି ହୋଇଛି। କିନ୍ତୁ ୨୦୧୮-୧୯ର ୪.୮ ବୃଦ୍ଧି ତୁଳନାରେ ତାହା କମ୍‌। ୨୦୧୯-୨୦ର ମୂଲ୍ୟକୁ ନେଇ କରାଯାଇଥିବା ହିସାବ ଅନୁସାରେ ଜିଡିପିର ମୂଲ୍ୟ ୨୦୩.୪୦ ଲକ୍ଷ କୋଟି ଟଙ୍କା ଆକଳନ କରାଯାଇଥିବା ବେଳେ ମୁଣ୍ଡପିଛା ଆୟ ହେଉଛି ୧୩୪,୨୨୬ ଟଙ୍କା। ୨୦୧୮-୧୯ରେ ମୁଣ୍ଡପିଛା ଆୟ ଏହି ହିସାବ ଅନୁସାରେ ଥିଲା ୧,୨୬,୫୨୧ ଟଙ୍କା।

ସମ୍ବନ୍ଧିତ ଖବର