ହ୍ଵାଟସ୍ଆପ୍ ସାମ୍ନାରେ ୩ କଠୋର ସର୍ତ୍ତ
oମିଥ୍ୟା ଖବରକୁ ରୋକ ନହେଲେ କାର୍ଯ୍ୟାନୁଷ୍ଠାନ oମିଥ୍ୟା ଖବର ଉତ୍ସ ଖୋଜି ବାହାର କରoସ୍ଥାନୀୟ କାର୍ଯ୍ୟାଳୟ ଖୋଲ
ନୂଆଦିଲ୍ଲୀ: ଲୋକପ୍ରିୟ ମୋବାଇଲ୍ ମେସେଜିଂ ଆପ୍ ହ୍ଵାଟସ୍ଆପ୍ର ସିଇଓ କ୍ରିସ୍ ଡାନିଏଲ୍ ଭାରତ ଗସ୍ତରେ ଆସିଛନ୍ତି। ସେ ଆଜି କେନ୍ଦ୍ର ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କୁ ଭେଟି ଆଲୋଚନା କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ପ୍ରସାଦ ହ୍ଵାଟସ୍ଆପ୍ ସିଇଓଙ୍କ ସମ୍ମୁଖରେ ତିନିଟି କଠୋର ସର୍ତ୍ତ ରଖିଛନ୍ତି। ଭାରତରେ କାରବାର କରିବାକୁ ହେଲେ ଏହି ତିନି ସର୍ତ୍ତକୁ ମାନିବାକୁ ପଡ଼ିବ। ମିଥ୍ୟା ଖବର ସମସ୍ୟାର ସମାଧାନ ନକଲେ କାର୍ଯ୍ୟାନୁଷ୍ଠାନ ସାମ୍ନା କରିବାକୁ ପଡ଼ିବ ବୋଲି ଶ୍ରୀ ପ୍ରସାଦ ହ୍ଵାଟସ୍ଆପ୍ର ସିଇଓଙ୍କୁ ଜଣାଇ ଦେଇଛନ୍ତି। ହ୍ଵାଟସ୍ଆପ୍ ଜରିଆରେ ଅନେକ ମିଥ୍ୟା ଖବର ପ୍ରଚାରିତ ହେଉଥିବାରୁ ହ୍ଵାଟସ୍ଆପ୍ ଉପରେ ସରକାର ଅସନ୍ତୁଷ୍ଟ ଅଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ସବୁ ମିଥ୍ୟା ଖବର ଯୋଗୁ ଅନେକ ସ୍ଥାନରେ ହିସାଂକାଣ୍ଡ ଘଟୁଛି। ମିଥ୍ୟା ଖବର ଉପରେ ଲଗାମ ଲଗାଇବା ପାଇଁ ପ୍ରଭାବଶାଳୀ ସମାଧାନ ବିକଶିତ କରିବାକୁ ହ୍ଵାଟସ୍ଆପ୍କୁ କୁହାଯାଇଛି। ମିଥ୍ୟା ଖବରଗୁଡ଼ିକ କେଉଁ ଉତ୍ସରୁ ଆସୁଛି ତାହାକୁ ଖୋଜି ବାହାର କରିବା ଓ ବିଭିନ୍ନ ପ୍ରକାର ଅଭିଯୋଗର ସମାଧାନ କରିବା ନିମନ୍ତେ ସ୍ୱତନ୍ତ୍ର ଅଧିକାରୀ ନିଯୁକ୍ତ କରିବାକୁ ହ୍ଵାଟସ୍ଆପ୍ର ସିଇଓଙ୍କୁ ପ୍ରସ୍ତାବ ଦିଆଯାଇଛି। ଏଥି ସହିତ ଭାରତରେ କାମ କରିବା ପାଇଁ ଏକ ସ୍ଥାନୀୟ କାର୍ଯ୍ୟାଳୟ ସ୍ଥାପନ କରିବାକୁ ମଧ୍ୟ କଂପାନିକୁ କୁହାଯାଇଛି। ମିଥ୍ୟା ଖବରକୁ ନେଇ ହ୍ଵାଟସ୍ଆପ୍ ଏବେ ସାରା ଦୁନିଆର ଅନେକ ଦେଶରେ ବିରୋଧର ସାମ୍ନା କରୁଛି। ଏଭଳି ଖବର ପ୍ରଚାରପ୍ରସାରକୁ ରୋକିବା ପାଇଁ ନିକଟରେ କଂପାନି କେତେକ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରିଛି।