ନିର୍ଯାତନା ଦେଉଥିବା ବାପାଙ୍କ ବିରୋଧରେ ମାମଲା ଦାଏର କଲା ୧୧ ବର୍ଷିୟ ବାଳକ

କରିମନଗର: ବାପା ହଇରାଣ ହରକତ ଏବଂ ଶାରୀରିକ ନିର୍ଯାତନା ଦେଉଥିବା ଅଭିଯୋଗ କରି ଶୁକ୍ରବାର ଦିନ କରିମନଗର ଜିଲ୍ଲାର ଜଣେ ୧୧ ବର୍ଷିୟ ବାଳକ ଅଭିଯୋଗ ପତ୍ର ଦାଏର କରିଛି।

ଜାମ୍ମିକୁନ୍ତା ପୁଲିସ କହିବାନୁସାରେ, ୧୧ ବର୍ଷିୟ ମୋଲୁଗୁଡ଼ି ଶଶି କୁମାର ବାପା ଏମ୍‌ ଶ୍ରୀନିବାସଙ୍କ ଦ୍ୱାରା ନିର୍ଯାତିତ ହେଉଥିଲେ। ଜାମ୍ମିକୁନ୍ତା ପୁଲିସକୁ ଦେଇଥିବା ଏକ ହାତଲେଖା ଚିଠିରେ ଶଶି କୁମାର ଅଭିଯୋଗ କରିଛନ୍ତି ଯେ ଗତ କେତେ ମାସ ହେବ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆ ଯାଉଛି।

ତା’ ଅଭିଯୋଗ ଆଧାରରେ ପୁଲିସ ଆଇପିସି ଏବଂ ଜୁଭେନାଇଲ୍‌ ଆକ୍ଟ୍‌ର ବିଭିନ୍ନ ଦଫାରେ କେସ୍‌ ଦାଏର କରି ଶ୍ରୀନିବାସଙ୍କୁ ଗିରଫ କରିଛି। ଶଶି କୁମାର ପୁଲିସକୁ କହିଛି ଯେ ବାପାଙ୍କ ସଙ୍ଗରେ ରହିବାକୁ ତା’ର ମନ ବଳୁ ନାହିଁ। ବିନା ବାଧାରେ ପାଠଶାଠ ପଢ଼ା ଜାରି ରଖିବାକୁ ତାକୁ କୌଣସି ଛାତ୍ରାବାସରେ ରଖି ଦିଆ ଯାଉ ବୋଲି ସେ ପୁଲିସ ନିକଟରେ ଜିଗର କରିଛି। ଜାମ୍ମିକୁନ୍ତା ପୁଲିସ ଇନ୍‌ସ୍‌ପେକ୍ଟର୍‌ ପି ପ୍ରଶାନ୍ତ ରେଡ୍ଡି କହିଛନ୍ତି ଯେ ଶ୍ରୀନିବାସ ଜଣେ ମଦୁଆ। ସେ ସବୁବେଳେ ପତ୍ନୀ ରାମୟା ଏବଂ ପୁଅ ଶଶି କୁମାରକୁ ବାଡ଼ିଆପିଟା କରନ୍ତି।

ଗୁରୁବାର ରାତିରେ ଶ୍ରୀନିବାସ କାମରୁ ଘରକୁ ଫେରିଲା ବେଳେ ରାମୟା ତାଙ୍କୁ ପଚାରିଲା ନାହିଁ। ରାମୟାଙ୍କ ଆଚରରେ ଚିଡ଼ି ଯାଇ ସେ ଶଶି କୁମାରଙ୍କୁ ବାଡ଼ାବାଡ଼ି କରିଥିଲେ। ତାଙ୍କ ଉପରକୁ ଲଙ୍କାଗୁଣ୍ଡ ମଧ୍ୟ ଫିଙ୍ଗିଥିଲେ। ଶୁକ୍ରବାର ଦିନ ବାଳକ ଶଶି ଥାନାରେ ପହଞ୍ଚି ବାପାଙ୍କ ବିରୋଧରେ ଏତଲା ଦେଇଥିଲେ। ଜାମ୍ମିକୁନ୍ତା ପୁଲିସ ଘଟଣାର ତଦନ୍ତ କରୁଛି।

ପରେ ଶ୍ରୀନିବାସଙ୍କୁ ଅଦାଲତରେ ହାଜର କରାଯିବା ପରେ ଅଦାଲତ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ନେଇଯିବାକୁ କହିଥିଲେ। ଚିକିତ୍ସା ପାଇଁ ବାଳକ ଶଶିକୁ ଡାକ୍ତରଖାନା ପଠାଯାଇଥିଲା।

ସମ୍ବନ୍ଧିତ ଖବର