ତିରୁନେଲଭେଲି : ଏକ ବ୍ୟଙ୍ଗଚିତ୍ର (କାର୍ଟୁନ୍)ରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ, ତିରୁନେଲଭେଲି ପୁଲିସ କମିସନର ଏବଂ ଜିଲ୍ଲାପାଳଙ୍କ ଛବିକୁ ଅଶ୍ଳୀଳ ଭାବରେ ଉପସ୍ଥାପନ କରିଥିବାରୁ ଚେନ୍ନାଇର ଲୋକପ୍ରିୟ ବ୍ୟଙ୍ଗ ଚିତ୍ରଶିଳ୍ପୀ ଜି ବାଳକ୍ରିଷନ୍ ଓରଫ ବାଲା(୩୬) ଗିରଫ ହୋଇଛନ୍ତି। ଦୀର୍ଘ ୧୨ ବର୍ଷ ଧରି ଏକ ପ୍ରମୁଖ ତାମିଲ ପତ୍ରିକାରେ କାମ କରୁଥିବା ବାଲା ଗତ ଫେବ୍ରୁଆରିରୁ ଉକ୍ତ ପତ୍ରିକା ଛାଡ଼ି ଏକ ନ୍ୟୁଜ୍ ପୋର୍ଟାଲ୍ ସହ ଜଡ଼ିତ ହୋଇଥିବା ବେଳେ ତାଙ୍କ ଘରୁ ପୁଲିସ କମ୍ପ୍ୟୁଟର, ହାର୍ଡ ଡିସ୍କ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଉପକରଣ ଜବତ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗତ ୨୩ ତାରିଖରେ ତିରୁନେଲଭେଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗୋଟିଏ ପରିବାରର ୪ ଜଣ ଆତ୍ମଦାହ କରିବା ଘଟଣା ଆଧାରରେ ଚିତ୍ରକର ବାଲା ଏହି ବ୍ୟଙ୍ଗଚିତ୍ର କରିଥିଲେ। ଚିତ୍ରରେ ଜଣେ ଶିଶୁ ନିଆଁରେ ଜଳୁଥିବାର ଦୃଶ୍ୟ ରହିଥିବା ବେଳେ ତାହା ନିକଟରେ ମୁଖ୍ୟମନ୍ତ୍ରୀ, ପୁଲିସ କମିସନର ଏବଂ ଜିଲ୍ଲାପାଳ ଆଖି ବୁଜି ଛିଡ଼ା ହୋଇଥିଲେ। ଚିତ୍ରରେ ସେମାନେ ସମସ୍ତେ ବସ୍ତ୍ରହୀନ ଥିବା ସହ ଟଙ୍କାବିଡ଼ା ଦ୍ୱାରା ଗୋପନଅଙ୍ଗ ଘୋଡ଼ାଇ ଧରିଥିଲେ। ସୋସିଆଲ୍ ମିଡିଆରେ ବାଲା ଛାଡ଼ିଥିବା ଏହି ବ୍ୟଙ୍ଗଚିତ୍ରକୁ ଲକ୍ଷାଧିକ ଲୋକ ଦେଖିସାରିଥିବା ବେଳେ ୩୮ ହଜାର ଜଣ ମଧ୍ୟ ତାହାକୁ ସେୟାର୍ କରିଥିଲେ।
ଅକ୍ଟୋବର ୨୩ର ପାରିବାରିକ ଗଣଆତ୍ମଦାହ ଘଟଣା ପରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଇଛି। ମାତ୍ର ବ୍ୟଙ୍ଗଚିତ୍ରରେ ସତେ ଯେପରି ମୁଖ୍ୟମନ୍ତ୍ରୀ ଏବଂ ଦୁଇ ପ୍ରମୁଖ ଅଧିକାରୀ ଲାଞ୍ଚ ଖାଇ ନିରବ ରହିଥିବାର ଧାରଣା ସୃଷ୍ଟି କରାଯାଇଛି ବୋଲି ତିରୁନେଲଭେଲି ଜିଲ୍ଲାପାଳ ସନ୍ଦୀପ ନାନ୍ଦୁରି କହିଛନ୍ତି। ସମାଲୋଚନା କରିବାକୁ କାହାକୁ ମନା ନାହିଁ, ମାତ୍ର ଘଟଣାକୁ ଭୁଲ୍ ଭାବେ ଚିତ୍ରଣ କରି ଏବଂ ଅଶ୍ଳୀଳ ଚିତ୍ର ମାଧ୍ୟମରେ ପ୍ରକାଶ କରି ସମ୍ମାନ ହାନି ଘଟାଇଥିବାରୁ ବାଲାଙ୍କୁ ଧାରା ୫୦୧ ଏବଂ ୬୭ରେ ଗିରଫ କରାଯାଇଛି ବୋଲି ସେ କହିଛନ୍ତି।