ନିଶା ଦେଇ ୨ ଜଣଙ୍କଠାରୁ ୫୦ ହଜାର ଟଙ୍କା ଲୁଟ୍‌

ଖଣ୍ଡଗିରି): ଦୀପାବଳିରେ ରାଜଧାନୀର ନିଶାଦିଆ ଲୁଟେରା ଗ୍ୟାଙ୍ଗ୍‌ ୨ ଜଣଙ୍କଠାରୁ ୫୦ ହଜାର ଟଙ୍କା ଲୁଟିବାରେ ସଫଳ ହୋଇଛନ୍ତି। ଲୁଟ୍‌ର ଶିକାର ହୋଇଥିବା ଯୁବକଦ୍ୱୟ ହେଲେ, କଟକ ଜିଲ୍ଲା କାନପୁର ଥାନା ଗୋଡ଼ିବନ୍ଧର ବସନ୍ତ କୁମାର ସାହୁ (୨୫) ଓ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା କୁଂଜମରାର ନୀଲୁ ସେଠୀ (୨୨)।

ସୂଚନାନୁସାରେ, ବସନ୍ତ ବେଙ୍ଗାଲୁର୍‌ରେ କାମ କରନ୍ତି ଓ ସେ ବୁଧବାର ରାତିରେ ପ୍ରଶାନ୍ତି ଏକ୍ସପ୍ରେସ୍‌ ଯୋଗେ ଭୁବନେଶ୍ୱର ଫେରିଥିଲେ। ଷ୍ଟେସନରୁ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଯିବା ରାସ୍ତାରେ ତାଙ୍କୁ ଅଟୋଚାଳକ ଚା’ ପିଇବାକୁ ଦେଇଥିଲା। ଚା’ ପିଇବା ପରେ ସେ ଆଉ କିଛି ଜାଣି ପାରିନଥିଲେ। ପରଦିନ ତାଙ୍କୁ ପିସିଆର୍‌ ଭ୍ୟାନ୍‌ ଏକ ନମ୍ବର ହାଟ ପଛପଟୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଥିଲା। ତାଙ୍କଠାରୁ ୪୫ ହଜାର ଟଙ୍କା ଓ ମୋବାଇଲ୍‌ ଲୁଟ୍‌ ହୋଇଛି ବୋଲି ସେ କହିଛନ୍ତି। ଦୀପାବଳି ପାଳନ ପାଇଁ ସେ ବେଙ୍ଗାଲୁର୍‌ରୁ ଘରକୁ ଫେରୁଥିଲେ ଓ ବର୍ଷକର ରୋଜଗାର ଲୁଟେରାମାନେ ନେଇଗଲେ ବୋଲି ସେ କହିଛନ୍ତି। ସେହିଭଳି ନୀଲୁ ଚେନ୍ନାଇରେ ଶ୍ରମିକ ଭାବେ କାମ କରନ୍ତି। ସେ ବୁଧବାର କୋଣାର୍କ ଏକ୍ସପ୍ରେସ୍‌ ଯୋଗେ ଭୁବନେଶ୍ୱରରେ ଓହ୍ଲାଇବା ପରେ ନିଶାଦିଆ ଲୁଟେରାଙ୍କ ହାବୁଡ଼ରେ ପଡ଼ିଥିଲେ। ତାଙ୍କୁ ପିସିଆର୍‌ ପିଏମ୍‌ଜି ଛକରୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତି କରିଥିଲା। ତାଙ୍କଠାରୁ ୬ ହଜାର ଟଙ୍କା ଓ ମୋବାଇଲ୍‌ ଫୋନ୍‌ ଲୁଟ୍‌ ହୋଇଛି। କ୍ୟାପିଟାଲ ହସ୍ପିଟାଲର ଡାକ୍ତରମାନେ ଏବଂ ସ୍ୱେଚ୍ଛାସେବୀ ସଂଗଠନ ‘ସହାୟ’ ପକ୍ଷରୁ ସେମାନଙ୍କ ଚିକିତ୍ସା ବ୍ୟବସ୍ଥା କରାଯାଇଥିଲା ଓ ଆଜି ସେମାନଙ୍କୁ ସେମାନଙ୍କ ସମ୍ପର୍କୀୟମାନଙ୍କ ଜିମାରେ ଛାଡ଼ି ଦିଆଯାଇଛି।

ସମ୍ବନ୍ଧିତ ଖବର